ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ: ଭାରତ ୫-ପାକିସ୍ତାନ ୧ରେ ଆଗୁଆ

ଭୁବନେଶ୍ବର : ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଭାରତର ଆଧିପତ୍ୟ ରହିଆସିଛି। ‌ଦୁବାଇରେ ପାକିସ୍ତାନ ପରାଜୟ ଧାରା ଭାଙ୍ଗିଥିଲେ ସୁଦ୍ଧା ଭାରତ ୫-୧ରେ ଆଗୁଆ ରହିଛି। ଭାରତୀୟ ଦଳକୁ ଆହତ ବୁମ୍‌ରାଙ୍କ ସ୍ଥାନରେ ସାମିଲ ହୋଇଥିବା ସାମି ‌ଏବଂ ପାକିସ୍ତାନ ଦଳରେ ସାହିନ୍‌ ଅଫ୍ରିଦି ଅଭ୍ୟାସ ମ୍ୟାଚ୍‌ରୁ ସେମାନଙ୍କ ଜଲ୍‌ବା ଦେଖାଇଲେଣି। ତଥାପି ରୋହିତ ଶର୍ମାଙ୍କ ଦଳ ମେଲବର୍ଣ୍ଣରେ ରବିବାର ହେବାକୁ ଥିବା ମ୍ୟାଚ୍‌ରେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚାହିଁବ।

୨୦୦୭: ବୋଲ୍‌ ଆଉଟ୍‌ରେ ଭାରତ ୩-୦
ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ସଂସ୍କରଣରେ ବୋଲ୍‌ ଆଉଟ୍‌ ଘଟଣା ପ୍ରଥମ ଓ ଶେଷ ହୋଇ ରହିଯାଇଛି। ପ୍ରତିଯୋଗିତାରେ ଉଭୟ ଦଳର ପ୍ରଥମ ମ୍ୟାଚ୍‌ ଟାଇ ହେବାରୁ ବୋଲ୍‌ ଆଉଟ କରାଯାଇଥିଲା। ଏଥିରେ ଭାରତ ୩-୦ରେ ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଶୀର୍ଷକ୍ରମକୁ ମହମ୍ମଦ ଆସିଫ୍‌ (୪/୧୮) ଧ୍ବସ୍ତ କରିଦେଇଥିଲେ। ରବିନ୍‌ ଉଥପ୍ପା (୫୦) ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୩) ମଧ୍ୟକ୍ରମ ସମ୍ଭାଳିଥିଲା‌ ବେଳେ ନିମ୍ନକ୍ରମରେ ଇର୍ଫାନ୍‌ ପଠାନ୍‌ (୨୦), ଅଜିତ୍‌ ଅଗରକର (୧୪) ଭାରତକୁ ୧୪୧/୯ରେ ପହଞ୍ଚାଇଥିଲେ। ଜବାବରେ ପାକିସ୍ତାନ ମଧ୍ୟ ସଲ୍‌ମାନ ବଟ୍ (୧୭), କମରାନ ଆକମଲ୍‌ (୧୫), ସୋଏବ୍‌ ମଲ୍ଲିକ (୨୦)ଙ୍କୁ ସଅଳ ହରାଇଥିଲା। ହେଲେ ମିସ୍‌ବା ଉଲ୍‌ ହକ୍‌ ୫୩ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଶେଷ ଓଭରରେ ବିଜୟ ପାଇଁ ୧୧ ରନ୍‌ ଆବଶ୍ୟକ ହେଉଥିଲା ବେଳେ ମିସ୍‌ବା ଦୁଇଟି ଚୌକା ମାରି ଶେଷ ବଲ୍‌ ପର୍ଯ୍ୟନ୍ତ ମ୍ୟାଚ୍‌କୁ ଟାଣି ନେଇଥିଲେ। ଶେଷ ବଲ୍‌ରୁ ୧ ରନ୍‌ ନେବାକୁ ଯାଉଥିଲା ବେଳେ ଯୁବରାଜଙ୍କ‌ ଥ୍ରୋ’ରେ ମିସ୍‌ବା ରନ୍‌ ଆଉଟ ହୋଇଥିଲେ। ଫଳରେ ମ୍ୟାଚ୍‌ ଟାଇ ହେବାରୁ ବୋଲ୍‌ ଆଉଟ କରାଯାଇଥିଲା। ଏଥିରେ ଭାରତ ପକ୍ଷରୁ ବୀରେନ୍ଦ୍ର ସେହବାଗ୍‌, ହରଭଜନ ସିଂହ ଓ ରବିନ୍‌ ଉଥପ୍ପା ସଫଳ ହୋଇଥିଲେ। କିନ୍ତୁ ପାକିସ୍ତାନର ୟାସିର୍‌ ଆରଫାତ୍‌, ଉମର ଗୁଲ୍‌ ଓ ସାହିଦ୍ ଆଫ୍ରିଦି କେହି ବି ବଲ୍‌କୁ ଷ୍ଟମ୍ପ୍ସରେ ବଜାଇ ପାରିନଥିଲେ।

୨୦୦୭: ଫାଇନାଲ୍‌ରେ ନାଟକୀୟ ବିଜୟ
ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ରୋମାଞ୍ଚକର ରହିବା ପରେ ଫାଇନାଲ୍‌ରେ ପୁଣି ଥରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏଥର ପୁଣି ଭାରତ ୫ ରନ୍‌ରେ ବାଜି ଜିତିନେଇଥିଲା‌ ବେଳେ ପ୍ରଥମ ସଂସ୍କରଣର ବିଜେତା ହୋଇଥିଲା। ଭାରତ ଟସ୍‌ ଜିତି ବ୍ୟାଟିଂ କରିଥିଲା। ଗୌତମ ଗମ୍ଭୀରଙ୍କ ସହ ବିସ୍ଫୋରକ ୟୁସୁଫ ପଠାନ ପାଳି ଆରମ୍ଭ କରିଥିଲେ। କିନ୍ତୁ ୟୁସୁଫ (୧୫) ଶୀଘ୍ର ଆଉ ହୋଇଯିବା ସହ ଉଥପ୍ପା (୮), ୟୁବରାଜ ସିଂହ (୧୪), ଧୋନି (୬) ସଅଳ ପାଭିଲିଅନ୍‌ ଫେରିଥିଲେ। ଗମ୍ଭୀର (୭୫) ଗୋଟିଏ ପଟରୁ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲା ବେଳେ ରୋହିତଙ୍କ ଦ୍ରୁତ ୩୦ ରନ୍‌ ସହାୟତାରେ ଭାରତ ୫ ୱିକେଟ୍‌ ବିନିମୟରେ ୧୫୭ ରନ୍‌ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପାକିସ୍ତାନ ୫୩ ରନ୍‌ରେ ୩ ୱିକେଟ୍‌ ହରାଇଥିଲା। ଇମ୍ରାନ୍‌ ନାଜିର (୩୩), ୟୁନୁସ୍‌ ଖାନ୍‌ (୨୪) ଓ ମିସ୍‌ବା (୪୩)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠିପାରିନଥିଲେ। ନାଟକୀୟ ଶେଷ ଓଭରରେ ଯୋଗୀନ୍ଦର ଶର୍ମା ଭାରତକୁ ବିଜୟ ଭେଟି ଦେଇଥିଲେ।

୨୦୧୨: କୋହଲିଙ୍କ ଅର୍ଦ୍ଧଶତକ
କଲମ୍ବୋରେ ଖେଳାଯାଇଥିବା ଅନ୍ୟ ଏକ ମୁକାବିଲାରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ୩-୦ ଅଗ୍ରଣୀ ପାଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ସୋଏବ୍‌ ମଲ୍ଲିକଙ୍କ ୨୮ ଓ ଉମର ଆକମଲ୍‌ଙ୍କ ୨୧ ରନ୍‌ ସହାୟତାରେ ୧୯.୪ ଓଭରରେ ୧୨୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଲକ୍ଷ୍ମୀପତି ବାଲାଜି ୩, ଆର୍‌. ଅଶ୍ବିନୀ ଓ ଯୁବରାଜ ସିଂହ ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ। ଭାରତ ଏହି ଲକ୍ଷ୍ୟକୁ ଗୌତମ ଗମ୍ଭୀର (୦) ଓ ବିରେନ୍ଦ୍ର ସେହୱାଗ୍‌ (୨୯)ଙ୍କ କ୍ଷତିରେ ୧୭ ଓଭର ବେଳକୁ ହାସଲ କରି‌ପାରିଥିଲା। ବିରାଟ କୋହଲି ୭୮* (୬୧ ବଲ୍‌, ୮ଚୌକା, ୨ ଛକା) ଓ ଯୁବରାଜ ୧୯*ରନ୍ କରି ଦଳକୁ ଜିତାଇଥିଲେ।

୨୦୧୪: ଅମିତ୍‌ ମିଶ୍ରାଙ୍କ ସ୍ପିନ୍‌ରେ ଫସିଲେ
ବାଂଲାଦେଶରେ ହୋଇଥିବା ଏହି ସଂସ୍କରଣରେ ଭାରତ ୭ ୱିକେଟ୍‌ରେ ବିଜୟୀ ହୋଇ ଧାରା ଅବ୍ୟାହତ ରଖିଥିଲା। ଭାରତ ଟସ୍‌ ଜିତି ପାକିସ୍ତାନ୍‌କୁ ବ୍ୟାଟିଂ ଆରମ୍ଭ କରିବାକୁ ସୁଯୋଗ ଦେଇଥିଲା। ପାକିସ୍ତାନ ଧୀମା ଖେଳିବା ସହ ୭ ୱିକେଟ୍‌ ବିନିମୟରେ ୧୩୦ ରନ୍‌ କରିଥିଲା। ଅହମ୍ମଦ ସେହଜାଦ୍‌ ୨୨, ମହମ୍ମଦ ହାଫିଜ୍‌ ୧୫, ଉମର ଆକମଲ୍‌ ୩୩, ସୋଏବ୍‌ ମଲ୍ଲିକ ୧୮ ରନ୍‌ କରିଥିଲେ। ଅମିତ ମିଶ୍ରା ୨୨ ରନ୍‌ ଦେଇ ୨ ୱିକେଟ୍‌ ନେଇଥିଲା ବେଳେ ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜା ୧ ୱିକେଟ୍‌ ଲେଖାଏଁ ବାଣ୍ଟି ନେଇଥିଲେ। ୧୩୧ ରନ୍‌ର ଲକ୍ଷ୍ୟକୁ ଭାରତ ୧୮.୩ ଓଭରରେ ୩ ୱିକେଟ୍‌ ବିନିମୟରେ ହାସଲ କରିଥିଲା। ରୋହିତ ଶର୍ମା (୨୪), ଶିଖର ଧାୱନ (୩୦) ଆଉଟ୍‌ ହୋଇଥିଲା ବେଳେ ବିରାଟ କୋହଲି (୩୬*) ଓ ସୁରେଶ ରାଇନା (୩୫*) ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ। ଅମିତ୍‌ ମିଶ୍ରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

୨୦୧୬: ‌ଭାରତକୁ ଜିତାଇଲେ କୋହଲି
ଭାରତ ଆୟୋଜନ କରିଥିବା ବିଶ୍ବକପ୍‌ର ଚତୁର୍ଥ ସଂସ୍କରଣରେ ଘରୋଇ ଦଳ ପାକିସ୍ତାନକୁ ୬ ୱିକେଟ୍‌ରେ ହରାଇଥିଲା। ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍‌କୁ ୧୮ ଓଭର ବିଶିଷ୍ଟ କରାଯାଇଥିଲା ବେଳେ ଏଥର ମଧ୍ୟ ବ୍ୟାଟର୍‌ଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ପାକିସ୍ତାନ ୫ ୱିକେଟ୍‌ ବିନିମୟରେ ୧୧୮ ରନ୍‌ କରିଥିଲା। ସର୍ଜିଲ ଖାନ୍‌ ୧୭, ଅହମ୍ମଦ ସେହଜାଦ୍‌ ୨୫, ଉମର ଆକମଲ୍‌ ୨୨, ସୋଏବ୍‌ ମଲ୍ଲିକ ୨୬ ରନ୍‌ କରିଥିଲା ବେଳେ ଭାରତ ପକ୍ଷରୁ ଆଶିଷ ନେହେରା, ଯଶପ୍ରୀତ୍‌ ବୁମ୍‌ରା, ରବୀନ୍ଦ୍ର ଜାଦେଜା, ସୁରେଶ ରାଇନା, ହାର୍ଦ୍ଦିକ ପାଣ୍ଡ୍ୟା ୧ ୱିକେଟ୍‌ ଲେଖାଏଁ ନେଇଥିଲେ। ପୁଣି ଥରେ ବିରାଟ କୋହଲି (୫୫*)ଙ୍କ ବ୍ୟାଟ୍‌ରୁ ବଡ଼ ସଟ୍‌ ବାହାରିବା ସାଙ୍ଗକୁ ଯୁବରାଜ ସିଂହ (୨୪)ଙ୍କ ସହ ମିଶି ଭାରତକୁ ୧୫.୫ ଓଭର‌ରେ ଜିତାଇଥିଲେ।

୨୦୨୧: ପରାଜୟ ଧାରା ଭାଙ୍ଗିଲା ପାକିସ୍ତାନ
ଦୁବାଇରେ ଖେଳାଯାଇଥିବା ଗତ ସଂସ୍କରଣରେ ପାକିସ୍ତାନ ତା’ର ପରାଜୟ ଧାରା ଭାଙ୍ଗିବା ସହ ଭାରତକୁ ୧୦ ୱିକେଟ୍‌ରେ ଶୋଚନୀୟ ଭାବେ ହରାଇଥିଲା। ଏହି ମ୍ୟାଚ‌୍‌ରେ ପାକିସ୍ତାନ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ‌ ଦେଇଥିଲା। ସାହିନ୍‌ ଆଫ୍ରିଦିଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ଶୀର୍ଷକ୍ରମ ଭୁଶୁଡ଼ି ପଡ଼ିଥିଲା। ରୋହିତ ଶର୍ମା ଖାତା ଖୋଲିପାରିନଥିଲା ବେଳେ କେଏଲ୍ ରାହୁଲ (୩), ସୂର୍ଯ୍ୟକୁମାର ଯାଦବ (୧୧) ଶୀଘ୍ର ଆଉଟ ହୋଇଥିଲେ। ଅଧିନାୟକ କୋହଲି (୫୭) ଓ ଋଷଭ ପନ୍ତ୍‌ (୩୯) ଚତୁର୍ଥ ୱିକେଟ୍‌ରେ ୫୩ ରନ୍‌ ଯୋଡ଼ିବାରୁ ଭାରତ ୭ ୱିକେଟ୍‌ ବିନିମୟରେ୧୫୧ ରନ୍‌ କରିଥିଲା। ହେଲେ ପାକିସ୍ତାନର ପ୍ରାରମ୍ଭିକ ଯୋଡ଼ି ମହମ୍ମଦ ରିଜୱାନ୍‌ ଓ ବାବର ଆଜମ୍‌ ଭାରତୀୟ ବୋଲରଙ୍କୁ ଧୂଲେଇ କରିବା ସହ ବିନା କ୍ଷତିରେ ମ୍ୟାଚ୍‌ ଜିତିନେଇଥିଲେ। ରିଜୱାନ୍‌ ୫୫ ବଲ୍‌ରୁ ୬ ଚୌକା, ୩ ଛକା ସହାୟତାରେ ୭୯* ଓ ବାବର ୫୨ ବଲ୍‌ରୁ ୬ ଚୌକା, ୨ ଛକା ସହାୟତାରେ ୬୮* ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର