ଧାୱନ ଶତକ: ଅର୍ଧଶତକ ବିଜୟ

ଲଣ୍ଡନ୍‌: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ରବିବାର ୧୩୭ ଦିନିକିଆରୁ ୫୦ତମ ବିଜୟ ହାସଲ କରିଛି। ସେହିଭଳି କୋହଲି ବାହିନୀ ଅଷ୍ଟ୍ରେଲିଆର ଲଗାତାର ୧୦ ବିଜୟରେ ରୋକ୍‌ ଲଗାଇଛି। ଅଷ୍ଟ୍ରେଲିଆ ୧୯୯୯ରେ ଲିଡ୍ସରେ ପାକିସ୍ତାନ ଠାରୁ ହାରିବା ପରେ ବିଶ୍ବକପ୍‌ରେ ପ୍ରଥମ ପଶ୍ଚାତଧାବନ ପରାଜୟ ବରଣ କରିଛି। ରବିବାର ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦେଖିଚାହିଁ ଖେଳି ଶିଖର ଧାୱନ (୧୧୭ ରନ୍, ୧୦୯ ବଲ୍, ୧୬ ଚୌକା) ଓ ରୋହିତ ଶର୍ମା (୫୭ ରନ୍, ୭୦ ବଲ୍, ୩ ଚୌକା, ୧ ଛକା) ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୱିକେଟ୍‌ରେ ୧୨୭ ରନ୍ ଯୋଡ଼ିଥିଲେ। ଯାହା ପ୍ରାରମ୍ଭିକ ଯୋଡ଼ି ଭାବେ ଏହି ଦୁଇ ଜଣଙ୍କର ଷୋଡ଼ଶ ଶତକୀୟ ଭାଗୀଦାରି ଥିଲା। ରୋହିତ ମୋଟ ଉପରେ ୪୨ତମ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟମ ଅର୍ଧଶତକ ପୂରଣ କରିଥିଲେ। ଏହାର ୭ ରନ୍ ପରେ କୁଲଟର ନାଇଲଙ୍କ ଅଫ୍ ଷ୍ଟମ୍ପ ବାହାରେ ଥିବା ବଲ୍‌କୁ ଠିକ୍ ଭାବେ ଖେଳି ନପାରି କଙ୍ଗାରୁ ୱିକେଟ୍ ରକ୍ଷକ ଆଲେକ୍ସ କାରିଙ୍କ ଗ୍ଲୋଭ୍ସରେ ଧରାପଡ଼ିଥିଲେ। ଭାରତ ୨୨.୩ ଓଭରରେ ୧୨୭ ରନ୍‌ରେ ପ୍ରଥମ ୱିକେଟ୍ ହରାଇଥିଲା।

ଓଭାଲରେ ପୁଣି ଧାୱନ ଧମାଲ
ଆଇସିସି ପ୍ରତିଯୋଗିତାରେ ଧାୱନ ସବୁବେଳେ ଭଲ କରନ୍ତି। ରବିବାର ମଧ୍ୟ ସେ ଏହି ଧାରାକୁ ବଜାୟ ରଖିଥିଲେ। ୫୩ ବଲ୍‌ରୁ ଅର୍ଧଶତକ ଅର୍ଜନ କରିବା ପରେ ୯୫ ବଲ୍‌ରୁ ଚିତ୍ତାକର୍ଷକ ଶତକ ଅର୍ଜନ କରିନେଇଥିଲେ। ତେବେ ୧୧୭ ରନ୍‌ର ପାଳି ପରେ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଚଳିତ ବିଶ୍ବକପ୍‌ରେ ଏହା ତାଙ୍କର ପ୍ରଥମ ଏବଂ ମୋଟ ଉପରେ ସପ୍ତଦଶ ଦିନିକିଆ ଆନ୍ତର୍ଜାତିକ ଶତକ ଥିଲା। ରୋହିତ ଶର୍ମାଙ୍କ ସହ ୧୨୭ ରନ୍‌ର ଭାଗୀଦାରି କରିବା ପରେ ଅଧିନାୟକ କୋହଲିଙ୍କ ସହ ମିଶି ସେ ଭାରତୀୟ ପାଳିରେ ୯୩ ରନ୍ ଯୋଡ଼ିଥିଲେ। ଷ୍ଟାର୍କଙ୍କୁ ବଡ଼ ସଟ୍ ମାରିବା ବେଳେ ବଦଳ ଖେଳାଳି ନାଥନ ଲାୟନଙ୍କ ହାତରେ ମିଡୱିକେଟ୍ ଅଞ୍ଚଳରେ ଧରାପଡ଼ି ଯାଇଥିଲେ ଧା‌ୱନ। ୩ ବର୍ଷ ତଳେ ଓଭାଲରେ ଖେଳା ଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଧାୱନ ଶତକୀୟ ପାଳି ଖେଳିଥିଲେ।

କୋହଲିଙ୍କ ଅର୍ଧଶତକୀୟ ଅର୍ଧଶତକ
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ମୁକାବିଲାରେ କୋହଲି (୮୨ ରନ୍, ୭୭ ବଲ୍, ୪ ଚୌକା, ୨ ଛକା) ବିଶେଷ କିଛି କରି ପାରି ନଥିଲେ। ରବିବାର କିନ୍ତୁ ସେ ଦୃଢ଼ ଏକାଗ୍ରତା ଦେଖାଇଥିଲେ। ରନ୍ ହାରକୁ କମିବାକୁ ନଦେଇ କୋହଲି ପ୍ରଥମେ ଧାୱନ ଏବଂ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଦୁଇଟି ମହତ୍ବପୂର୍ଣ୍ଣ ଭାଗୀଦାରି କରିଥିଲେ। ପାଣ୍ଡ୍ୟା ଓ ସେ କ୍ରିଜ୍‌ରେ ଥିଲା ବେଳେ ଭାରତ କ୍ଷୀପ୍ର ଗତିରେ ରନ୍ ସଂଗ୍ରହ କରିଥିଲା। ଉଭୟ ଭାରତ ସ୍କୋରକୁ ୩୦୦ ରନ୍ ପାର କରାଇଥିଲେ। ଚଳିତ ବିଶ୍ବକପ୍‌ରେ କୋହଲି ରବିବାର ପ୍ରଥମ ଅର୍ଧଶତକ ଅର୍ଜନ କରିଥିଲେ। ଏଥିଲାଗି ସେ ୫୫ ବଲ୍ ନେଇଥିଲେ। ଏହା ମଧ୍ୟ ତାଙ୍କ ଖେଳଜୀବନର ୫୦ତମ ଅର୍ଧଶତକ ଥିଲା।

ଚାରି ନମ୍ବରରେ ପାଣ୍ଡ୍ୟା ପରାକ୍ରମ
ଓଭର କମ୍ ଥିବାରୁ ଏବଂ ରନ୍ ଗତି ବଢ଼ାଇବା ଲାଗି ରବିବାର ହାର୍ଦିକ ପାଣ୍ଡ୍ୟା (୪୮ ରନ୍, ୨୭ ବଲ୍, ୪ ଚୌକା, ୩ ଛକା) ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ। ସେ ମଧ୍ୟ ନିରାଶ କରି ନଥିଲେ। ୩ଟି ବିଶାଳ ଛକା ଏବଂ ୪ ଚୌକା ବଳରେ ଏକ ଦର୍ଶନୀୟ ପାଳି ଖେଳିଥିଲେ ପାଣ୍ଡ୍ୟା। ବିସ୍ଫୋରକ ବ୍ୟାଟିଂ କରି ଦର୍ଶକଙ୍କ ମନ ମୋହି ନେଇଥିଲେ। ଦୁର୍ଭାଗ୍ୟଜନକ ଭାବେ ପ୍ୟାଟ୍ କମିନ୍ସଙ୍କ ବଲ୍‌କୁ ଛକା ମାରିବା ପ୍ରୟାସରେ ଆଉଟ୍ ହୋଇ ଯାଇଥିଲେ। ଫଳରେ ମାତ୍ର ୨ ରନ୍ ପାଇଁ ବିଶ୍ବକପ୍‌ରେ ପ୍ରଥମ ଅଧର୍ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ପାଣ୍ଡ୍ୟା ଯିବା ପରେ ମହେନ୍ଦ୍ର ସିଂହ ଧୋନି (୨୭ ରନ୍, ୧୪ ବଲ୍, ୩ ଚୌକା, ୧ ଛକା) ଓ ଲୋକେଶ ରାହୁଲ (୧୧* ରନ୍, ୩ ବଲ୍, ୧ ଚୌକା, ୧ ଛକା) ଦ୍ରୁତ ରନ୍ ସଂଗ୍ରହ ଧାରାକୁ ଜାରି ରଖିଥିଲେ। ଫଳରେ ଶେଷ ୪୪ ବଲ୍‌ରୁ ଭାରତ ୮୬ ରନ୍ ଅମଳ କରି ନେଇଥିଲା। ଶେଷ ଓଭରରେ ମାର୍କସ ଷ୍ଟୋଇନିସ୍ ନିଜ ବୋଲିଂରେ ଗୋଟିଏ ହାତରେ କ୍ୟାଚ୍ ନେଇ ଧୋନି ଏବଂ ପରେ କୋହଲିଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ତଥାପି ରାହୁଲଙ୍କ ଛକା, ଚୌକା ବଳରେ ଭାରତ ୧୪ ରନ୍ ଅମଳ କରି ୩୫୦ ଟପିଥିଲା।

ସମ୍ବନ୍ଧିତ ଖବର