ଆଡିଲେଡ୍ ଆଶା, ବିଜୟଠାରୁ ୬ ୱିକେଟ୍ ଦୂରରେ ଭାରତ ଲକ୍ଷ୍ୟ ୩୨୩: ଅଷ୍ଟ୍ରେଲିଆ ୧୦୪/୪

ଆଡିଲେଡ୍: ଆଡିଲେଡ୍‌ରେ ଭାରତ ପାଇଁ ବିଜୟ ଆଶା ସଂଚାର ହୋଇଛି। ୧୫ ବର୍ଷ ତଳେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ବରେ ଭାରତ ଏହି ପଡ଼ିଆରେ ଯେଉଁ ଐତିହାସିକ ସଫଳତା ଲାଭ କରିଥିଲା କୋହଲି ବାହିନୀ ତାକୁ ଦୋହରାଇବା ଦ୍ବାର ଦେଶରେ ରହିଛି । ତେବେ ପ୍ରତୀକ୍ଷିତ ବିଜୟଠାରୁ ଭାରତୀୟ ଦଳ ଏବେ ବି ୬ ପାଦ ଦୂରରେ ରହିଛି। ଅର୍ଥାତ୍ ଭାରତ ଏବଂ ବିଜୟ ମଧ୍ୟରେ ଅଷ୍ଟ୍ରେଲିଆର ଆଉ ୬ ଜଣ ଖେଳାଳି ଅଛନ୍ତି। ସୋମବାର ପଞ୍ଚମ ତଥା ଶେଷ ଦିନରେ କଙ୍ଗାରୁ ଦଳର ବଳକା ୬ ୱିକେଟ୍ ନେଇପାରିଲେ ଭାରତ ଦୀର୍ଘ ଦେଢ଼ ଦଶନ୍ଧିରୁ ଅଧିକ ସମୟ ପରେ ଆଡିଲେଡ୍‌ରେ ପ୍ରଥମ ତଥା ମୋଟ ଦ୍ବିତୀୟ ଟେଷ୍ଟ୍‌ ବିଜୟ ହାସଲ କରିବ। ସେପଟେ ଘରୋଇ ଅଷ୍ଟ୍ରେଲିଆ ପଞ୍ଚମ ଦିନର ପିଚ୍‌ରେ ଆଉ ୨୧୯ ରନ୍ କରି ପାରିଲେ ଆଡିଲେଡ୍ ଇତିହାସରେ ସର୍ବବୃହତ୍ ପଶ୍ଚାତଧାବନ ବିଜୟ ପାଇବ।

ରବିବାର ୧୫୧/୩ରୁ ଖେଳ ଆରମ୍ଭ କରିଥିବା ଭାରତ ଏଥିରେ ୧୫୬ ରନ୍‌ ଯୋଡ଼ି ଶେଷ ୭ ୱିକେଟ୍ ହରାଇଥିଲା। ଏଥିରେ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ (୭୦ ରନ୍, ୧୪୭ ବଲ୍, ୭ ଚୌକା) ଓ ସୌରାଷ୍ଟ୍ର ତାରକା ଚେତେଶ୍ବର ପୂଜାରା (୭୧ ରନ୍, ୨୦୪ ବଲ୍, ୯ ଚୌକା) ପ୍ରମୁଖ ଭୂମିକା ତୁଲାଇଥିଲେ। ଉଭୟଙ୍କ ଉପଯୋଗୀ ଅର୍ଧଶତକ ବଳରେ ଭାରତ ଦ୍ବିତୀୟ ପାଳିରେ ୩୦୭ ରନ୍ କରିଥିଲା। ଫଳରେ ପ୍ରଥମ ପାଳିର ୧୫ ରନ୍‌ ଅଗ୍ରଣୀକୁ ମିଶାଇ ଅଷ୍ଟ୍ରେଲିଆ ସମ୍ମୁଖରେ ୩୨୩ ରନ୍‌ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବ୍ୟାଟିଂରେ ପୂଜାରା ଓ ରାହାଣେ ରୋମାଞ୍ଚ ପରେ ବୋଲିଂରେ ମହମ୍ମଦ ସାମି (୯-୩-୧୫-୨) ଓ ରବିଚନ୍ଦ୍ରନ୍‌ ଅଶ୍ବିନ (୧୯-୪-୪୪-୨) ଶୃଙ୍ଖଳିତ ବୋଲିଂ କରି ଅଷ୍ଟ୍ରେଲିଆକୁ ପୂରା ଘାଇଲା କରି ଦେଇଥିଲେ। ଚତୁର୍ଥ ଦିବସ ଖେଳ ବନ୍ଦ ବେଳକୁ କଙ୍ଗାରୁ ଦଳ ୪ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ଆରୋନ ଫିଞ୍ଚ (୧୧), ମାର୍କସ୍ ହାରିସ୍ (୨୬), ଉସମାନ ଖୱାଜା (୮) ଓ ପିଟର ହ୍ୟାଣ୍ଡ୍ସକମ୍ବ (୧୪)ଙ୍କୁ ଭାରତ ଶିକାର କରି ନେଇଥିଲେ। ସନ୍ ମାର୍ସ ୩୧ ଏବଂ ଟ୍ରାଭିସ୍ ହେଡ୍ ୧୧ ରନ୍‌ କରି ଅପରାଜିତ ରହିଥିଲେ। ଉଭୟ ସାମି ଏବଂ ଅଶ୍ବିନ ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲେ। ପୂର୍ବରୁ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ପୂଜାରା ଓ ରାହାଣେ ଖେଳ ଆରମ୍ଭ କରିବା ସହ ଦ୍ବିତୀୟ ପାଳିରେ ନିଜ ନିଜର ଅର୍ଧଶତକ ପୂରଣ କରି ନେଇଥିଲେ। ସେତେବେଳେ ଭାରତ ୪୦୦ରୁ ଅଧିକ ରନ୍ କରିନେବା ସମ୍ଭାବନା ଜାଗ୍ରତ ହୋଇଥିଲା। ତେବେ ଭାରତ ୪ ରନ୍‌ରେ ୪ ୱିକେଟ୍ ହରାଇ ୩୦୭ ରନ୍‌ରେ ସୀମିତ ରହିଯାଇଥିଲା। ପ୍ରଥମ ପାଳିରେ ଚିତ୍ତାକର୍ଷକ ଶତକ ହାସଲ କରିଥିବା ପୂଜାରା ଆଜି ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ପ୍ୟାଭିଲିୟନ ଫେରିଥିଲେ। ନାଥନ ଲିୟନ ତାଙ୍କୁ ଫିଞ୍ଚ୍‌ଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ପ୍ରଥମ ଝଟ୍‌କା ଦେଇଥି‌ଲେ। ଏହା ପୂର୍ବରୁ ରାହାଣେଙ୍କ ସହ ମିଶି ସେ ଚତୁର୍ଥ ୱିକେଟରେ ୮୭ ରନ୍ ଯୋଡ଼ି ନେଇଥିଲେ। ସେହିଭଳି ୨୦ତମ ଅର୍ଧଶତକ ପୂରଣ କରି ନେଇଥିଲେ। ଷଷ୍ଠ ସ୍ଥାନରେ ଆସିଥିବା ରୋହିତ ଶର୍ମା କିନ୍ତୁ ୧ ରନ୍ ଆଗକୁ ବଢ଼ି ପାରି ନଥିଲେ। ଫଳରେ ରାହାଣେ ୱିକେଟ୍ ରକ୍ଷକ ଋଷବ ପନ୍ତ (୨୮ ରନ୍, ୧୬ ବଲ୍, ୪ ଚୌକା, ୧ ଛକା)ଙ୍କ ମହ ମିଶି ଭାରତ ପାଳିକୁ ଆଗେଇ ନେଇଥିଲେ। ପନ୍ତ‌୍ ଘରୋଇ ସ୍ପିନର ନାଥନ ଲିୟନଙ୍କ ଗୋଟିଏ ଓଭରରୁ ୧୮ ରନ୍ ଅମଳ କରିଥିଲେ। ହେଲେ ପରବର୍ତୀ ଓଭରରେ ସେହି ଲିୟନଙ୍କ ଶିକାର ହୋଇଥିଲେ। ଅଶ୍ବିନ (୫) ଆରମ୍ଭରୁ ସଂଘର୍ଷ କରିବା ସହ ରୋହିତଙ୍କ ଭଳି ଏକ ଅଙ୍କରେ ସୀମିତ ରହିଥିଲେ। ଭାରତ ୩୦୩ରୁ ୩୦୭ ରନ୍ ମଧ୍ୟରେ ଅଶ୍ବିନ, ରାହାଣେ, ସାମି ଓ ଈଶାନ୍ତଙ୍କୁ ହରାଇଥିଲା। ରାହାଣେ ଏହା ପୂର୍ବରୁ ୧୧୧ ବଲ୍‌ରୁ ୬ ଚୌକା ବଳରେ ନିଜ ଷୋଡ଼ଶ ଅର୍ଧଶତକ ପୂରଣ କରି ନେଇଥିଲେ। ଅଷ୍ଟ୍ରେଲିଆର ସଫଳତମ ବୋଲର ଭାବେ ଲିୟନ ୧୨୨ ରନ୍ ଦେଇ ୬ ୱିକେଟ୍ କରାୟତ କରିଥିଲେ।

ଆଡିଲେଡ୍‌ରେ ଗୋଟିଏ ଜିତିଛି ଭାରତ
ଆଡିଲେଡ୍‌ରେ କିନ୍ତୁ ଭାରତର ପୂର୍ବ ପ୍ରଦର୍ଶନ ଉତ୍ସାହଜନକ ନାହିଁ। ଏଠାରେ ୧୧ ଟେଷ୍ଟ୍‌ ଖେଳିଥିବା ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଥିଲା ବେଳେ ତିନିଟି ଅମୀମାଂସିତ ରଖିପାରିଛି। ୨୦୦୩-୦୪ ଗସ୍ତରେ ରାହୁଲ୍‌ ଦ୍ରାବିଡ୍‌ଙ୍କ ନେତୃତ୍ବରେ ଭାରତୀୟ ଦଳ ଏଠାରେ ଏକମାତ୍ର ବିଜୟ ହାସଲ କରିଥିଲା। ସେହି ଟେଷ୍ଟ୍‌ରେ ଅଜିତ୍‌ ଆଗରକରଙ୍କ ୬ ୱିକେଟ୍‌ ଦଖଲ ହିଁ ଭାରତକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ନେଇଥିଲା। ଅନ୍ୟପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ଆଡିଲେଡ୍‌ରେ ୭ ଟେଷ୍ଟ୍‌ ଜିତି ବହୁ ଉପରେ ରହିଛି।

ସମ୍ବନ୍ଧିତ ଖବର