ଭାରତ (୬) ବନାମ ପାକିସ୍ତାନ (୫)

ନୂଆଦିଲ୍ଲୀ: ଏସିଆ କପ୍‌ ଇତିହାସରେ ଭାରତ ସବୁଠୁ ସଫଳତମ ଦେଶ ରହିଛି। ମୋଟ ୬ ଥର ବିଜେତା ହୋଇ ଆଗରେ ରହିଛି। ଏଥର ଦୁବାଇରେ ଖେଳାଯିବାକୁ ଥିବା ୧୪ତମ ସଂସ୍କରଣରେ ଭାରତ ୧୮ ତାରିଖରେ ହଂକଂ ଏବଂ ୧୯ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଖେଳିବାକୁ ଯାଉଛି। ପ୍ରତିଯୋଗିତାରେ ଅନ୍ୟ ଦେଶ ତୁଳନାରେ ପାକିସ୍ତାନ ସର୍ବାଧିକ ଆହ୍ଵାନ ଦେଇଛି ଭାରତକୁ। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ମୋଟ ୧୨ ମୁକାବିଲା ମଧ୍ୟରୁ ଭାରତ ୬ ଏବଂ ପାକିସ୍ତାନ ୫ ଜିତିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ୧୯୮୪ ପ୍ରଥମ ସଂସ୍କରଣରେ ଭାରତ ୫୪ ରନ୍‌ରେ ପାକିସ୍ତାନକୁ ହରାଇଥିଲା। ଓ୍ଵିକେଟରକ୍ଷକ ସୁରିନ୍ଦର ଖାନ୍ନାଙ୍କ ୫୬, ସନ୍ଦୀପ ପାଟିଲଙ୍କ ୪୩ ଏବଂ ସୁନୀଲ ଗାଭାସ୍କରଙ୍କ ୩୬ ରନ୍‌ ବଳରେ ଭାରତ ୧୮୮ ରନ୍‌ କରିବା ପରେ ପାକିସ୍ତାନକୁ ୧୩୪ ରନରେ ସୀମିତ ରଖିଥିଲା। ରବି ଶାସ୍ତ୍ରୀ ଏବଂ ରୋଜର ବିନ୍ନି ପ୍ରତ୍ୟେକ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ପାକିସ୍ତାନ ପାଳିର ୪ ରନ୍‌ ଆଉଟ୍‌ ଭାରତକୁ ବିଜୟୀ କରାଇବାରେ ବଡ଼ ଭୂମିକା ନେଇଥିଲା।

୧୯୮୮ରେ ଭାରତ ୪ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଅର୍ସଦ ଆୟୁବଙ୍କ ୫ ଓ୍ଵିକେଟ୍‌ ବଳରେ ପାକିସ୍ତାନକୁ ୧୪୨ ରନ୍‌ରେ ଭାରତ ସୀମିତ ରଖିଥିଲା। ମହିନ୍ଦର ଅମରନାଥଙ୍କ ଚମତ୍କାର ୭୪* ରନ୍‌ ବଳରେ ଭାରତ ୨୬ ବଲ୍‌ ପୂର୍ବରୁ ବିଜୟୀ ହୋଇଥିଲା।

୧୯୯୫ରେ ଭାରତ ବିପକ୍ଷରେ କିନ୍ତୁ ପାକିସ୍ତାନ ପ୍ରଥମ ବିଜୟ ହାସଲ କରିଥିଲା। ଇଞ୍ଜାମମ ଉଲ୍‌ ହକ୍‌ଙ୍କ ୮୮ ରନ୍‌ ବଳରେ ପାକିସ୍ତାନ ୨୬୬/୯ ସ୍କୋର୍‌ କରିଥିଲା। ଜବାବରେ ଭାରତ ସଚିନ ତେନ୍ଦୁଲକର, ମନୋଜ ପ୍ରଭାକରଙ୍କୁ ଜଲଦି ହରାଇବା ପରେ ନବଜୋତ ସିଂହ ସିଦ୍ଧୁ ଓ ସଞ୍ଜୟ ମଞ୍ଜରେକର ପାଳି ସଜାଡ଼ିଥିଲେ। ଉଭୟଙ୍କ ଆଉଟ୍‌ ପରେ କିନ୍ତୁ ଭାରତ ୧୬୯ ରନରେ ସୀମିତ ରହି ୯୭ ରନ୍‌ରେ ହାରିଯାଇଥିଲା। ଆକ୍ୱିବ୍‌ ଜାଭେଦ୍‌ ୫ ଓ୍ଵିକେଟ୍‌ ନେଇ ଭାରତ ପରାଜୟର କାରଣ ସାଜିଥିଲେ।

୧୯୯୭ ମସିହାରେ କଲମ୍ବୋ ମ୍ୟାଚ୍‌ ବର୍ଷାରେ ଧୋଇଯାଇଥିଲା। କିନ୍ତୁ ଭେଙ୍କଟେଶ ପ୍ରସାଦଙ୍କ (୪/୧୭) ଘାତକ ବୋଲିଂ କାରଣରୁ ପାକିସ୍ତାନ ୩୦/୫ରେ ସଂଘର୍ଷ କରୁଥିବା ବେଳେ ମ୍ୟାଚ୍‌ ଆଗକୁ ବଢ଼ିପାରିନଥିଲା। କିନ୍ତୁ ୨୦୦୦ ମସିହାରେ ମହମ୍ମଦ ୟୁସୁଫଙ୍କ ଶତକ (୧୧୨, ୧୦୦ ବଲ୍‌) ବଳରେ ପାକିସ୍ତାନ ୨୯୫ ରନ୍‌ କରିଥିଲା। ଅଜୟ ଜାଦେଜାଙ୍କ ଲଢ଼ୁଆ ୯୩ ରନ୍‌ ସତ୍ତ୍ୱେ ଭାରତ ୨୫୧ ରନ୍‌ କରିପାରିଥିଲା।

୨୦୦୪ କଲମ୍ବୋ ସଂସ୍କରଣରେ ପାକିସ୍ତାନ ୫୯ ରନ୍‌ରେ ଜିତି ଲଗାତାର ବିଜୟ ହାସଲ କରିଥିଲା। ଏସିଆ କପ୍‌ ଇତିହାସରେ ଭାରତ ବିପକ୍ଷରେ ପ୍ରଥମ ଥର ୩୦୦ ରନ୍‌ ଟପିଥିଲା। ସୋଏବ ମଲ୍ଲିକ ୧୨୭ ବଲ୍‌ରୁ ୧୪୩ ରନ୍‌ କରିଥିଲେ। ସଚିନ ତେନ୍ଦୁଲକରଙ୍କ ୭୮ ରନ୍‌ ଏବଂ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ୩୯ ରନ୍‌ ସତ୍ତ୍ୱେ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚି ପାରିନଥିଲା।

୨୦୦୮ କରାଚି ସଂସ୍କରଣରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ୬ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇ ଦେଇଥିଲା। ସୋଏବ ମଲ୍ଲିକ (୧୨୫, ୧୧୯ ବଲ୍‌)ଙ୍କ ଶତକ ବଳରେ ପାକିସ୍ତାନ ୨୯୯/୪ରେ ପହଞ୍ଚିଥିଲା। ଜବାବରେ ବୀରେନ୍ଦ୍ର ସେହବାଗ (୧୧୯, ୯୫ ବଲ) ଏବଂ ସୁରେଶ ରାଇନା (୮୪, ୬୯ ବଲ୍‌)ଙ୍କ ୧୯୮ ରନ୍‌ ଭାଗୀଦାରି ବଳରେ ଭଲ ସ୍ଥିତିରେ ପହଞ୍ଚିଥିଲା ଭାରତ। ଯୁବରାଜ ସିଂହ (୪୮) ଏବଂ ମହେନ୍ଦ୍ର ସିଂହ ଧୋନି (୨୬*) ମ୍ୟାଚ୍‌ ଶେଷ କରିଥିଲେ। ସେହି ସଂସ୍କରଣ ସୁପର୍‌ ଫୋର୍‌ରେ କିନ୍ତୁ ପାକିସ୍ତାନ ୮ ଓ୍ଵିକେଟ୍‌ରେ ଜିତି ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ପ୍ରତିଶୋଧ ନେଇଯାଇଥିଲା। ଧୋନି ଓ ରୋହିତ ଶର୍ମାଙ୍କ ଅର୍ଧଶତକ ବଳରେ ଭାରତ ୩୦୮/୭ କରିଥିଲା। ୟୁନିସ୍‌ ଖାନ୍‌ଙ୍କ ଶତକ (୧୨୩, ୧୧୭ ବଲ୍‌) ବଳରେ ପାକିସ୍ତାନ ୨୭ ବଲ୍‌ ପୂର୍ବରୁ ଜିତିଯାଇଥିଲା।

୨୦୧୦ରେ କିନ୍ତୁ ଉଭୟ ଦେଶ ମଧ୍ୟରେ ସବୁଠୁ ରୋମାଞ୍ଚକ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଯାହାକୁ ଭାରତ ୩ ଓ୍ଵିକେଟ୍‌ରେ ଜିତିଥିଲା। ପାକିସ୍ତାନର ୨୬୭ ରନ୍‌କୁ ପିଛା କରି ଭାରତ ଗୌତମ ଗମ୍ଭୀର ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅର୍ଧଶତକ ବଳରେ ସୁଯୋଗ କାଏମ ରଖିଥିଲା। ଶେଷ ଭାଗରେ ହରଭଜନ ସିଂହ ଏବଂ ସୋଏବ ଅଖତରଙ୍କ ମଧ୍ୟରେ ବାକ୍ୟ ବିନିମୟ ମ୍ୟାଚ୍‌କୁ ଉତ୍ତେଜିତ ମୁହୂର୍ତକୁ ନେଇଥିଲା। ତେବେ ମହମ୍ମଦ ଆମିରଙ୍କୁ ଛକା ମାରି ହରଭଜନ ସିଂହ ଗୋଟିଏ ବଲ୍‌ ପୂର୍ବରୁ ଭାରତକୁ ବିଜୟୀ କରାଇବା ଏବେ ବି ସ୍ମରଣୀୟ ରହିଛି।

୨୦୧୨ରେ ବାଂଲାଦେଶରେ ଭାରତ କିନ୍ତୁ ୬ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇ ଦେଇଥିଲା। ପାକିସ୍ତାନ ପୁଣି ଥରେ ୩୦୦ ରନ୍‌ ଟପିଥିଲା। ମହମ୍ମମ ହାଫିଜ ଓ ନାସିର୍‌ ଜାମସେଦ ଶତକ ଜମାଇ ଦଳକୁ ୩୨୯/୬ରେ ପହଞ୍ଚାଇଥିଲେ। କିନ୍ତୁ ବିରାଟ କୋହଲିଙ୍କ ଶତକ (୧୮୩, ୧୪୮ ବଲ୍‌, ୨୨ ଚୌକା, ୧ ଛକା) ବଳରେ ଭାରତ ୧୩ ବଲ୍‌ ପୂର୍ବରୁ ଜିତିଥିଲା।

୨୦୧୪ରେ ଭାରତର ୩ ଜଣ ଅର୍ଧଶତକ ଜମାଇଥିଲେ ମଧ୍ୟ ଦଳ ୨୪୫/୮ରେ ସୀମିତ ରହିଯାଇଥିଲା। ଜବାବରେ ପାକିସ୍ତାନ ୨ ବଲ୍‌ ପୂର୍ବରୁ ୧ ଓ୍ଵିକେଟ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା। ଶେଷ ଓଭରରେ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କୁ ୨ ଛକା ମାରି ସାହିଦ ଆଫି୍ରଦି (୩୪*, ୧୮ ବଲ୍‌) ମ୍ୟାଚ୍‌ ଶେଷ କରିଥିଲେ।

୨୦୧୬ରେ ବିଶ୍ୱକପ୍‌ ଦୃଷ୍ଟିରୁ ଟେ୍ଵଣ୍ଟି-୨୦ ଫର୍ମାଟ୍‌ରେ ଖେଳାଯାଇଥିଲା ଏସିଆ କପ୍‌। ଭାରତ ୫ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇଥିଲା। ଭାରତୀୟ ବୋଲର ଚମତ୍କାର ଖେଳି ପାକିସ୍ତାନକୁ ୮୩ ରନ୍‌ରେ ସୀମିତ ରଖିଥିଲେ। ହାର୍ଦିକ ପାଣ୍ଡ୍ୟା (୩/୮), ରବୀନ୍ଦ୍ର ଜାଦେଜା (୨/୧୧)ଙ୍କ ସହିତ ଆଶିଷ ନେହେରା, ଯଶପ୍ରୀତ୍‌ ବୁମରା ଓ ଯୁବରାଜ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ମହମ୍ମଦ ଆମିରଙ୍କ ବିସ୍ଫୋରଣ କାରଣରୁ ଭାରତ ୩/୮ରେ ସଂଘର୍ଷ କରିଥିଲା। ତେବେ ବିରାଟ କୋହଲି (୪୯, ୫୧ ବଲ୍‌)ଙ୍କ ବଳରେ କିନ୍ତୁ ଭାରତ ବିଜୟୀ ହୋଇଯାଇଥିଲା।

ସମ୍ବନ୍ଧିତ ଖବର