ଭାରତ ୮/୮: ଦକ୍ଷିଣ ଆଫ୍ରିକା ୨୪୩ ରନ୍‌‌ରେ ପରାସ୍ତ

କୋଲ୍‌କାତା: ଇଡେନ୍‌ରେ ଟେବୁଲ୍‌ ଟପ୍ପରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ପୂର୍ବାନୁମାନ ଥିଲା। ଫାଇନାଲ୍ ପୂର୍ବରୁ ଏହା ଡ୍ରେସ୍ ରିହରସାଲ୍‌ ସଦୃଶ ରହିବ ବୋଲି ଅନେକ କ୍ରିକେଟ୍ ବିଶାରଦ କହୁଥିଲେ। କିନ୍ତୁ ଭାରତର ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକାର ଚର୍ଚ୍ଚିତ ବ୍ୟାଟିଂ ଫିକା ପଡ଼ିଗଲା। ବିରାଟ କୋହଲିଙ୍କ ମାଇଲଖୁଣ୍ଟ ଶତକ (୧୦୧* ରନ୍‌) ପ୍ରଥମ ପାଳିକୁ ରୁଦ୍ଧିମନ୍ତ କରିଥିଲା। ଭାରତୀୟ ବୋଲିଂ ବାହିନୀ କିନ୍ତୁ ପୁଣି ଥରେ ଏକାଠି ଲଢ଼ି ଶକ୍ତିଶାଳୀ ମନେ ହେଉଥିବା ଦକ୍ଷିଣ ଆଫ୍ରିକାକୁ ମାମୁଲି ସାବ୍ୟସ୍ତ କରିଦେଲେ। ୩୨୭ ରନ୍‌ ଲକ୍ଷ୍ୟକୁ ପିଛା କରିବାକୁ ଆସି ତେମ୍ବା ବଭୂମାଙ୍କ ଦଳ ପ୍ରଥମରୁ ହାର ମାନି ନେଇଥିଲା‌। ଯଶପ୍ରୀତ ବୁମରା ରନ୍ ରୋକିବା ପରେ ମହମ୍ମଦ ସାମି ୱିକେଟ୍ ପତନ ଧାରା ଆରମ୍ଭ କରିଥିଲେ। ଲୋକାଲ୍‌ ବୟ ମହମ୍ମଦ ସାମି ଡବଲ୍‌ ଝଟ୍‌କା ଦେବା ପରେ ଅବଶିଷ୍ଟ କାର୍ଯ୍ୟ ସମାପନ କରିଥିଲେ ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜା‌ଡ଼େଜା (୫/୩୩) ଏବଂ କୁଲଦୀପ ଯାଦବ (୨/୭)। ବ୍ୟାଟିଂ ବୀର କୁହାଯାଉଥିବା ଦକ୍ଷିଣ ଆଫ୍ରିକା ପାଳି ୨୭.୧ ଓଭର ଓ ୮୩ ରନ୍‌ରେ ରଗଡ଼ି ହୋଇଯାଇଥିଲା। ଆଉ ଏକ ବୃହତ ବିଜୟ (୨୪୩ ରନ୍‌) ପଞ୍ଜିକୃତ କରି ନେଇଥିଲା ଭାରତ। ଏଥିସହିତ ଭାରତର ୧୯୯୬ ବିଶ୍ବକପ୍‌ର ଇଡେନ୍ ତିକ୍ତତା ମନରୁ ସମ୍ପୂର୍ଣ୍ଣ ଲିଭିଯାଇଥିଲା। କୋଲ୍‌କାତା ଆସିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ନାମରେ ଚଳିତ ବିଶ୍ବକପ୍‌ର ସର୍ବୋଚ୍ଚ ଦଳଗତ ସ୍କୋର୍ (୪୨୮/୫), ସର୍ବାଧିକ ଛକା (୮୩), ସର୍ବାଧିକ ଶତକ (୮) ଆଦି ରେକର୍ଡ ଥିଲା। କିନ୍ତୁ ଅଲ୍‌ରାଉଣ୍ଡ୍‌ କ୍ରିକେଟ୍ ଖେଳୁଥିବା ରୋହିତ ସେନାଙ୍କ ‘ତିନ୍‌ କା ଡ୍ରିମ୍‌’ ଅଭିଯାନ ଆଗରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଯାଇଥିଲା। ଭାରତ ୮ରୁ ୮ ବିଜୟ ସହ ଶୀର୍ଷ ସ୍ଥାନକୁ ଏକ ପ୍ରକାର ଦୃଢ଼ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୮ରୁ ଦ୍ବିତୀୟ ପରାଜୟ ବରଣ କରିଛି। ୨୦୦୩ ଭଳି କ୍ରମାଗତ ୮ ବିଜୟ ପାଇବା ରେକର୍ଡର ସମକକ୍ଷ ହୋଇଛି ଭାରତ। ଏହି ଫଳାଫଳ ମଧ୍ୟ ବିଶ୍ବକପ୍‌ ଗ୍ରୁପ୍‌କୁ ମୁକୁଳା କରିଦେଇଛି। ବିଶେଷ କରି ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତ‌ାନକୁ ନୂଆ ଜୀବନ ଦେଇଛି। ବିରାଟ କୋହଲି ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ରବୀନ୍ଦ୍ର ଜାଡ଼େଜା ମ୍ୟାଚ୍‌ର ପ୍ରଭ‌ାବୀ ଖେଳାଳି ହୋଇଥିଲେ। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ ନଭେମ୍ବର ୧୨ରେ ବେଙ୍ଗାଲୁରୁରେ ନେଦରଲାଣ୍ଡ୍‌ସ ସହ ଖେଳିବ।

ଖେଳିଲେ, ଖେଳାଇଲେ, ନାଚିଲେ ମ୍ୟାଚ୍‌ ପୂର୍ବଦିନଠାରୁ କୋଲ୍‌କାତା ସହର ବିରାଟ କୋହଲି ଜ୍ବରରେ ପୀଡ଼ିତ ହୋଇସାରିଥିଲା। ଏହି ମାନିଆର ନିଶା ଇଡେନ୍‌କୁ ନୀଳ ସମୁଦ୍ରରେ ପରିଣତ କରିଥିବା ଭାରତୀୟ ପ୍ରଶଂସକଙ୍କୁ କୌଣସି ଭାବେ ମନୋରଂଜନଠାରୁ ବଞ୍ଚିତ ରଖି ନଥିଲା। ବିରାଟ କୋହଲି ତାଙ୍କ ଜନ୍ମଦିନରେ କେବଳ ଶତକ ମାରି ନଥିଲେ ସଚିନ ପାଜୀଙ୍କ ରେକର୍ଡର ସମକକ୍ଷ ମଧ୍ୟ ହୋଇଥିଲେ। ଭାରତୀୟ ଦଳ ବୋଲିଂ କରୁଥିବା ବେଳେ ଆଶ୍ବସ୍ତ କୋହଲି ବାଉଣ୍ଡରି ନିକଟରେ ଜନ୍ମଦିନ ଶୁଭେଚ୍ଛା ଜଣାଉଥିବା ଦର୍ଶକଙ୍କୁ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ଲାଗି ପଡ଼ିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାର ୱିକେଟ୍‌ ଧାରା ଜାରି ରହିବାବେଳେ କୋହଲିଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଥିଲା। ମଝିରେ ମଝିରେ ଝୁମି ଝୁମି ନାଚିବାକୁ ଲାଗୁଥିଲେ। ପ୍ରଶଂସକ ଖୁବ୍‌ ମଜା ନେଇଥିଲେ ଆଉ କହିଥିଲେ ପଇସା ଅସୁଲ ହୋଇଗଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ବେଳେ କୋହଲି କହିଥିଲେ ‘‘ମୁଁ ମୋ ଖେଳକୁ ଭଲ ଭାବେ ଉପଭୋଗ କରୁଛି। ନିଜ ନାୟକ ସଚିନଙ୍କ ରେକର୍ଡ ସମକକ୍ଷ ହେବା ସମ୍ମାନର କଥା। ସେ କିନ୍ତୁ ମୋ ପାଇଁ ଚିର ଆଦର୍ଶ ହୋଇ ରହିବେ। ୧୯୯୬ ମସିହା ବିଶ୍ବକପ୍‌ରେ ତାଙ୍କ ଛକାକୁ ଟିଭିରେ ଦେଖି ମୁଁ ଅନୁପ୍ରାଣିତ ହେବାଠାରୁ ଆଜିଯାଏଁ ତାଙ୍କୁ ଅନୁସରଣ କରି ଆସିଛି। ତାଙ୍କଠାରୁ ପ୍ରଶଂସ‌ା ପାଇବା ମୋ ପାଇଁ ବହୁତ କିଛି। ଲୋକମାନେ କିନ୍ତୁ ମୋ ଜନ୍ମଦିନକୁ ସ୍ବତନ୍ତ୍ର କରିଦେଲେ।’’

ସମ୍ବନ୍ଧିତ ଖବର