ନୂଆଦିଲ୍ଲୀ: ରବିବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଏହି ଫର୍ମାଟରେ ବେଶ୍ କିଛି ସ୍ମରଣୀୟ ମୁକାବିଲା ଏବଂ ସ୍ବଳ୍ପ ବ୍ୟବଧାନ ଫରକ ଦେଖିବାକୁ ମିଳିଥିଲେ ମଧ୍ୟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସମସ୍ତ ୮ ମ୍ୟାଚ୍କୁ ଭାରତ ଜିତି ନେଇଛି। ୪ଟି ସ୍ମରଣୀୟ ମ୍ୟାଚ୍ର ସଂକ୍ଷିପ୍ତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା।
୨୦୧୪ ବିଶ୍ବକପ୍
ଆୟୋଜକ ଦେଶ ଭାବେ ବାଂଲାଦେଶଠାରୁ ପ୍ରଶଂସକମାନେ ବଡ଼ ଆଶା ରଖିଥିଲେ। ଭାରତ କିନ୍ତୁ ବାଂଲାଦେଶକୁ ନିଜର ପ୍ରଥମ ଟି-୨୦ ମୁକାବିଲାରେ ୮ ୱିକେଟ୍ ବ୍ୟବଧାନରେ ହରାଇ ଦେଇଥିଲା। ଅନାମୁଲ ହକ୍ (୪୦), ମୁସଫିକର ରହିମ୍ (୨୪), ମହମ୍ମଦୁଲ୍ଲା (୩୩*)ଙ୍କ ବଳରେ ବାଂଲାଦେଶ ୧୩୮/୭ ସ୍କୋର୍ କରିଥିଲା। ଅମିତ୍ ମିଶ୍ରା ୩ ୱିକେଟ୍ ନେଇଥିଲେ। କିନ୍ତୁ ଅଶ୍ବିନ୍ ଲଗାତାର ବଲ୍ରେ ୱିକେଟ୍ ନେଇ ବାଂଲାଦେଶ ଗତିକୁ ରୋକିଥିଲେ। ଜବାବରେ ରୋହିତ ଶର୍ମା (୫୬, ୪୪ ବଲ) ଏବଂ ବିରାଟ କୋହଲି (୫୭*)ଙ୍କ ମଧ୍ୟରେ ହୋଇଥିବା ୧୦୦ ରନ୍ ଭାଗୀଦାରି ଭାରତକୁ ସହଜ ବିଜୟ ଦେଇଥିଲା। ମସରାଫ ମୋର୍ତାଜାଙ୍କୁ ଛକା ମାରି ଧୋନି ଭାରତକୁ ସେମିଫାଇନାଲରେ ପହଞ୍ଚାଇଥିଲେ।
୨୦୧୬ ଏସିଆ କପ୍ ଫାଇନାଲ୍
ବାଂଲାଦେଶ ୩ ଥର ଏସିଆ କପ୍ ଫାଇନାଲ୍ ପହଞ୍ଚିଥିଲା, କିନ୍ତୁ ପ୍ରତି ଥର ଟ୍ରଫି ଜିତିବାରେ ବିଫଳ ରହିଥିଲା। ପ୍ରଥମ ଥର ଟି-୨୦ ଫର୍ମାଟରେ ଖେଳାଯାଇଥିବା ୨୦୧୬ ସଂସ୍କରଣ ଫାଇନାଲରେ ଭାରତ ମଧ୍ୟ ୮ ୱିକେଟ୍ରେ ବିଜୟୀ ହୋଇଥିଲା। ବର୍ଷା ପାଇଁ ମ୍ୟାଚ୍ ୧୫ ଓଭର ବିଶିଷ୍ଟ ହୋଇଥିଲା। ମହମ୍ମଦୁଲ୍ଲା (୩୩*) ଏବଂ ସବିର୍ ରହମାନ (୩୨*)ଙ୍କ ବଳରେ ବାଂଲାଦେଶ ୧୨୦/୫ କରିଥିଲା। ରୋହିତ ବିରଳ ବିଫଳତା ପାଇଥିଲେ ମଧ୍ୟ ଶିଖର ଧାୱନ (୬୦, ୪୪ ବଲ) ଏବଂ ବିରାଟ କୋହଲି (୪୧*, ୨୮ ବଲ୍)ଙ୍କ ବଳରେ ଭାରତ ବିଜୟ ମୁହାଁ ହୋଇଥିଲା। ଧୋନି ପୁଣି ମ୍ୟାଚ୍ ଶେଷ କରି ଭାରତକୁ ଷଷ୍ଠ ଥର ଏସିଆ କପ୍ ବିଜେତା କରାଇଥିଲେ।
୨୦୧୬ ବିଶ୍ବକପ୍
ଏହି ମ୍ୟାଚ୍ କିନ୍ତୁ ସବୁଠୁ ଉତ୍ତେଜକ ଏବଂ ରୋମାଞ୍ଚଭରା ଥିଲା। ବେଙ୍ଗାଲୁରୁରେ ଭାରତ ୧ ରନ୍ରେ ଜିତିଥିଲା। ସୁରେଶ ରାଇନା ସର୍ବାଧିକ ୩୦ ରନ୍ କରିଥିବା ବେଳେ ଭାରତ ୧୪୬/୭ରେ ସୀମିତ ରହିଥିଲା। ହାର୍ଦିକ ପାଣ୍ଡ୍ୟା ବୋଲିଂ କରିଥିବା ଶେଷ ଓଭରରୁ ବାଂଲାଦେଶ ୯ ରନ୍ କରିପାରିଥିଲା। ଶେଷ ବଲ୍ରେ ମହମ୍ମଦୁଲ୍ଲା ଫୁଲଟସ୍କୁ ବଡ଼ ସଟ୍ ଖେଳିଥିଲେ ମଧ୍ୟ ଡିପ୍ ମିଡ୍ୱିକେଟ୍ ଅଞ୍ଚଳରେ ରବୀନ୍ଦ୍ର ଜାଦେଜା ଚମତ୍କାର କ୍ୟାଚ୍ ନେଇ ବାଂଲାଦେଶକୁ ରୋକି ଦେଇଥିଲେ। ୱିକେଟ୍ ପଛପଟେ ଧୋନିଙ୍କ ଚିନ୍ତା ଏବଂ ପଡିଆ ସଜାରୁ ହିଁ ଭାରତକୁ ସୁଫଳ ମିଳିଥିଲା।
୨୦୧୮ ତ୍ରିରାଷ୍ଟ୍ରୀୟ ଫାଇନାଲ୍
ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଶ୍ରୀଲଙ୍କାରେ ଖେଳିଥିଲା ନିଦହାସ ଟ୍ରଫି ତ୍ରିରାଷ୍ଟ୍ରୀୟ। ବାଂଲାଦେଶକୁ ଫାଇନାଲରେ ୪ ୱିକେଟ୍ରେ ହରାଇ ଜିତିଥିଲା ଟ୍ରଫି ଭାରତ। ବାଂଲାଦେଶ ୧୬୬/୮ ସ୍କୋର୍ କରି ଭାରତ ସମ୍ମୁଖରେ ବଡ଼ ଆହ୍ବାନ ରଖିଥିଲା। ସବିର୍ ରହମାନ ୫୦ ବଲରୁ ୭୭ ରନ୍ କରିବା ଉଲ୍ଲେଖନୀୟ ଥିଲା। ୟୁଜବେନ୍ଦ୍ର ଚହଲ ୩ ଏବଂ ଜୟଦେବ ଉନାଦକତ୍ ୨ ୱିକେଟ୍ ନେଇଥିଲେ। ଜବାବରେ ରୋହିତ ଶର୍ମା (୫୬, ୪୨ ବଲ୍) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ। ମନୀଷ ପାଣ୍ଡେ (୨୮)ଙ୍କୁ ମୁସ୍ତାଫିଜୁର୍ ଆଉଟ୍ କରିବା ବେଳକୁ ଭାରତ ଶେଷ ୨ ଓଭରରୁ ୩୪ ରନ୍ ଆବଶ୍ୟକ କରିଥିଲା। ଦୀନେଶ କାର୍ତିକ ନୂଆ ନାୟକ ଉଭା ହୋଇଥିଲେ। ରୁବେଲ ହୋସେନଙ୍କ ଏହି ଓଭରରୁ ସେ ବଲ୍କୁ ୪ ଥର (୬,୪,୬,୦,୨,୪) ସୀମା ରେଖା ବାହାରକୁ ପଠାଇ ଦେଇଥିଲେ। ଫଳରେ ଶେଷ ଓଭରରୁ ୧୨ ରନ୍ ଆବଶ୍ୟକ ପଡ଼ିଥିଲା। ଏପରିକି ଶେଷ ବଲରୁ ୫ ରନ୍ ଆବଶ୍ୟକ ହେଉଥିବା ବେଳେ ସୌମ୍ୟ ସରକାରଙ୍କୁ କଭର୍ ବାଉଣ୍ଡରି ଉପରେ ଛକା ମାରି ଦୀନେଶ କାର୍ତିକ ଭାରତକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ସ୍ମରଣୀୟ ଟ୍ରଫି ଭେଟି ଦେଇଥିଲେ।