ଓ୍ଵର୍ସେଷ୍ଟର: ଇଂଲଣ୍ଡ ଲାୟନ୍ସ ବିପକ୍ଷ ଅଣଆନୁଷ୍ଠାନିକ ଟେଷ୍ଟରେ ଭାରତ ‘ଏ’ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ପାଳିରେ ମାତ୍ର ୧୯୭ ରନ୍ରେ ଅଲଆଉଟ୍ ହୋଇଯିବା ପରେ ଦ୍ୱିତୀୟରେ ୧୧ ରନ୍ରେ ୩ ଓ୍ଵିକେଟ୍ ହରାଇ ପରାଜୟ ଏଡ଼ାଇବାକୁ ସଂଘର୍ଷ ଜାରି ରଖିଛି। ଇଂଲଣ୍ଡ ଲାୟନ୍ସ ୪୨୧ ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ହେଲେ ହାତରେ ୭ ଓ୍ଵିକେଟ୍ ଥାଇ ଭାରତ ‘ଏ’ ଏବେବି ୪୧୦ ରନ୍ ପଛରେ ରହିଛି। ପୂର୍ବରୁ ସାମ୍ କୁରାନ୍ଙ୍କ ଘାତକ ବୋଲିଂ (୧୧.୫-୩-୪୩-୫)ର ସମ୍ମୁଖୀନ ହୋଇ ନପାରି ଭାରତ-ଏ ପ୍ରଥମ ପାଳିରେ ୬୬.୫ ଓଭରରେ ୧୯୭ ରନ୍ରେ ସଫା ହୋଇଯାଇଥିଲା। ଫଳରେ ଇଂଲଣ୍ଡ ଲାୟନ୍ସର ପ୍ରଥମ ପାଳି (୪୨୩ ରନ୍)ଠୁ ୨୨୬ ରନ୍ ପଛରେ ରହିଥିଲା। କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ଵୀ ସ’ (୬୨), ଓ୍ଵିକେଟ୍ରକ୍ଷକ ଋଷଭ ପନ୍ତ୍ (୫୮) ଓ ଟେଷ୍ଟ ଦଳର ଉପଅଧିନାୟକ ଆଜିଙ୍କ୍ୟ ରହାଣେ (୪୯) ଦୁଇ ଅଙ୍କ ଛୁଇଁଥିଲେ। ଇଂଲଣ୍ଡ ଲାୟନ୍ସ ୧୯୫/୫ରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଭାରତ ‘ଏ’ ଆଗରେ ୪୨୧ ରନ୍ର କଷ୍ଟକର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର ଜବାବରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୁରଲୀ ବିଜୟ ଓ ପୃଥ୍ଵୀ ସ’ ଖାତା ଖୋଲି ପାରି ନଥିଲେ। ସେହିଭଳି ଦିନର ଶେଷ ବଲ୍ରେ ମୟଙ୍ଗ ଅଗ୍ରଓ୍ଵାଲ ନିଜ ଓ୍ଵିକେଟ୍ ଫିଙ୍ଗି ଦେଇଥିଲେ। ଫଳରେ ୪.୨ ଓଭରରେ ୧୧/୩ରେ ଭାରତ ଖେଳ ଶେଷ କରିଥିଲା।