ଲାୟନ୍‌ସ ଘାଇଲା: ଭାରତ-ଏ ପାଇଁ ବିଜୟ ସୁଯୋଗ

ମହୀଶୁର: ଦ୍ବିତୀୟ ତଥା ଶେଷ ୪ ଦିନିଆ ଟେଷ୍ଟ୍‌ରେ ଭାରତ-ଏ ବୋଲରଙ୍କ ମିଳିତ ଆକ୍ରମଣରେ ଇଂଲଣ୍ଡ ଲାୟନ୍‌ସ ଦଳ ଘାଇଲା ହୋଇଯାଇଛି। ଘରୋଇ ଦଳ ୩୯୨ ରନ୍‌ କରିବା ପରେ ଲାୟନ୍‌ସ ପ୍ରଥମ ପାଳିକୁ ୧୪୦ ରନ୍‌ରେ ସଫା କରିଦେଇଛି। ଫଳରେ ଭାରତ ‘ଏ’ ୨୫୨ ରନ୍‌ର ପ୍ରଥମ ପାଳି ଅଗ୍ରଣୀ ପାଇଛି। ଫଲୋଅନ୍‌ ଖେଳିଥିବା ଲାୟନ୍‌ସ ଦ୍ବିତୀୟ ପାଳିରେ କୌଣସି ୱିକେଟ୍‌ ନହରାଇ କରିଛି ୨୪ ରନ୍‌। ଏଥି ସହିତ ଭାରତ-ଏ ସ୍କୋର୍‌ଠାରୁ ଏବେ ବି ୨୨୮ ରନ୍‌ ପଛରେ ରହି ପରାଜୟ ଆଶଙ୍କାରେ ପଡ଼ିଛି। ଆହୁରି ଦୁଇ ଦିନ ଖେଳ ବାକି ରହିଛି।
ପ୍ରଥମ ଦିବସ ସ୍କୋର୍‌ ୨୮୨/୩ରୁ ଖେଳିଥିବା ଭାରତ-ଏ ଗୁରୁବାର ଦ୍ବିତୀୟ ଦିବସରେ ଆଉ ୧୧୦ ରନ୍‌ ଯୋଡ଼ି ଅବଶିଷ୍ଟ ୭ ୱିକେଟ୍‌ ହରାଇଥିଲା। କରୁଣ ନାୟାର (୧୪) ପୂର୍ବ ସ୍କୋର୍‌ରେ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ୱିକେଟ୍‌ରକ୍ଷକ ଶ୍ରୀକର ଭରତ ୪୬ ରନ୍‌ କରି ପାଳି ଆଗେଇ ନେଇଥିଲେ। ୩୯୨ ରନ୍‌ କରିନେବା ପରେ ଭାରତ-ଏ ବୋଲରମାନେ ଘାତକ ବୋଲିଂ କରି ଲାୟନ୍‌ସ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ବାନ୍ଧି ରଖିଥିଲେ। ସାହବାଜ୍‌ ନଦୀମ୍‌ (୩/୩୨), ନଭ୍‌ନୀତ୍‌ ସାଇନି (୩/୩୦), ବରୁଣ ଆରୋନ୍‌ (୨/୪୭) ଓ ଜଲଜ ସାକ୍ସେନା (୨/୧୦)ଙ୍କ ମାରାତ୍ମକ ବୋଲିଂ ନିକଟରେ ତିଷ୍ଠି ନପାରି ଲାୟନ୍‌ସ ୧୪୦ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଦଳ ପକ୍ଷରୁ ୱିକେଟ୍‌ରକ୍ଷକ ପୋପେ ୨୫, ହୋଲ୍‌ଡେନ୍‌ ୧୯, ମୁଲାନି ୧୯, ବେସ୍‌ ୧୬ ରନ୍ କରିଥିଲେ। ଲାୟନ୍‌ସ ୨୫୨ ରନ୍‌ ପଛରେ ରହି ଫଲୋଅନ୍‌ ଖେଳୁଛି।

ସମ୍ବନ୍ଧିତ ଖବର