ଦକ୍ଷିଣ ଆଫ୍ରିକା-ଏ ପୁଣି ହାରିଲା, ଦ୍ବିତୀୟ ଦିନିକିଆ ଜିତିଲା ଭାରତ-ଏ

ତିରୁବନନ୍ତପୁରମ୍‌: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ଦଳ ଭାରତ ଗସ୍ତରେ ପରାଜୟ ଧାରା ଜାରି ରଖିଛି। ଭାରତ-ଏ ଦଳ ନିକଟରୁ ପ୍ରଥମ ଅଣଆନୁଷ୍ଠାନିକ ଦିନିକିଆ ମ୍ୟାଚ୍‌କୁ ୬୯ ରନ୍‌ରେ ହାରିଯାଇଥିବା ଦକ୍ଷିଣ ଆଫ୍ରିକା ଶନିବାର ଦ୍ବିତୀୟ ଦିନିକିଆକୁ ମଧ୍ୟ ହାରିଯାଇଛି। ଏହି ମ୍ୟାଚ୍‌ରେ ଭ୍ରମଣକାରୀ ଦଳକୁ ୬ ବଲ୍‌ ପୂର୍ବରୁ ୨ ୱିକେଟ୍‌ରେ ପରାସ୍ତ କରି ଘରୋଇ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୨-୦ର ଅଗ୍ରଣୀ ପାଇଯାଇଛି।

୫୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ ବର୍ଷା ଯୋଗୁଁ ୨୧ ଓଭରକୁ କମାଇ ଦିଆଯାଇଥିଲା। ଏଥିରେ ଟସ୍‌ ଜିତି ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ତଥାପି ଜର୍ଜ ଲିଣ୍ଡେ (୫୨ ରନ୍‌, ୨୫ ବଲ୍‌, ୧ ଚୌକା, ୫ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଅଧିନାୟକ ଟେମ୍ବା ବଭୂମା (୪୦), ଖାୟା ଜୋଣ୍ଡୋ (୨୪), ଏବଂ ୱିକେଟ୍‌ରକ୍ଷକ ହେନ୍‌ରିକ୍‌ କ୍ଲାସେନ୍‌ (୩୧)ଙ୍କ ମୂଲ୍ୟବାନ ଯୋଗଦାନ ବଳରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ ବିନିମୟରେ ୧୬୨ ରନ୍‌ କରିନେଇଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ, କ୍ରୁନାଲ ପାଣ୍ଡ୍ୟା, ଦୀପକ ଚହର, ଖଲିଲ ଅହମ୍ମଦ ଓ ୟୁଜ୍‌ବେନ୍ଦ୍ର ଚହଲ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ୱିକେଟ୍‌ ରକ୍ଷକ ଈଶାନ କିଷନ୍‌ (୫୫ ରନ୍‌, ୨୪ ବଲ୍‌, ୫ ଚୌକା, ୪ ଛକା))ଙ୍କ ଧୁଆଁଧାର ଅର୍ଧଶତକ ସତ୍ତ୍ବେ ଏକ ସମୟରେ ୭ ବଲ୍‌ ଏବଂ ୫ ରନ୍‌ ଭିତରେ ୩ ୱିକେଟ୍‌ ହରାଇ ଦଳ ସଂକଟରେ ପଡ଼ିଯାଇଥିଲା। ଅକ୍ଷର ପଟେଲ (୧୦), ଦୀପକ ଚହର (୦) ଓ ସାର୍ଦୁଲ ଠାକୁର (୨) ଭାରତକୁ କିଛିଟା ଅଡୁଆରେ ପକାଇ ଦେଇଥିଲେ। ହେଲେ ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା (୨୩ ରନ୍‌, ୧୫ ବଲ୍‌, ୧ ଲେଖାଏଁ ଚୌକା ଓ ଛକା) ଚହଲ୍‌ (୧*)ଙ୍କୁ ସାଥୀ କରି ୨୦ତମ ଓଭରର ଶେଷ ବଲ୍‌ରେ ବିଜୟ ମୁଣ୍ଡି ମାରିଥିଲେ। ଭାରତ ୮ ୱିକେଟ୍‌ରେ ଧାର୍ଯ୍ୟ ଲକ୍ଷ୍ୟ ୧୬୩ ରନ୍‌ କରିନେଇଥିଲା ବେଳେ ଈଶାନ କିଷନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସଫଳ ବୋଲର ଭାବେ ଜୁନିଅର ଡାଲା ୨ ୱିକେଟ୍‌ ପାଇଥିଲେ।

ସମ୍ବନ୍ଧିତ ଖବର