ଦିନିକିଆ ଶୃଙ୍ଖଳା ‌ମୂଳପୋଛ କଲା ଭାରତ ଏ’: ଶେଷ ମ୍ୟାଚ୍‌କୁ ୧୦୬ ରନ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ: ମଧ୍ୟମଗତି ବୋଲର ରାଜ ଅଙ୍ଗଦ ବାୱା (୫.୩-୦-୧୧-୪)ଙ୍କ ଘାତକ ବୋଲିଂ ବଳରେ ଭାରତ ଏ’ ତୃତୀୟ ତଥା ଶେଷ ଦିନିକିଆରେ ନ୍ୟୁଜିଲାଣ୍ଡ ଏ’କୁ ୧୦୬ ରନ୍‌ରେ ପରାସ୍ତ କରିଦେଇଛି। ଏଥିସହ ଭାରତ ଏ’ ମଧ୍ୟ ୩ ମ୍ୟାଚ୍‌ ବିଶି‌ଷ୍ଟ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିନେଇଛି। ଭାରତ ପ୍ରଥମ ମ୍ୟାଚ୍‌କୁ ୭ ଏବଂ ଦ୍ବିତୀୟକୁ ୪ ୱିକେଟ୍‌ରେ ଜିତିଥିଲା। ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ଘରୋଇ ଦଳ ୪୯.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ଅଧିନାୟକ ସଂଜୁ ସାମସନ (୫୪, ୬୮ ବଲ୍‌, ୧‌ ଚୌକା, ୨ ଛକା), ଶାର୍ଦୁଳ ଠାକୁର (୫୧, ୩୩ ବଲ୍‌, ୪ ଚୌକା, ୩ ଛକା) ଏବଂ ତିଲକ ବର୍ମା (୫୦, ୬୨ ବଲ୍‌, ୧ ଚୌକା, ୩ ଛକା)ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ଭ୍ରମଣକାରୀ ୩୮.୩ ଓଭରରେ ୧୭୮ ରନ୍‌ରେ ଅଟକି ଯାଇଥିଲା। ଡାନ୍‌ କ୍ଲେଭର (୮୩) ଅର୍ଦ୍ଧଶତକ ହାସଲ କରିଥିଲେ। ବାୱାଙ୍କ ବାଦ୍‌ ଲେଗ୍‌ ସ୍ପିନର ରାହୁଲ ଚହର (୨/୩୯) ଏବଂ କୁଲଦୀପ (୨/୨୯) ମଧ୍ୟ ବୋଲିଂ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର