ବିଜୟଓ୍ଵାଡା: କର୍ନ ଶର୍ମା ଓ ସାହାବାଜ୍ ନଦୀମ୍ (୪/୪୧)ଙ୍କ ସ୍ପନ୍ ଜାଲରେ ଛନ୍ଦି ହୋଇଗଲେ ନ୍ୟୁଜିଲାଣ୍ଡ୍ ଖେଳାଳି। ଏହି ଦୁଇ ଭାରତୀୟ ସ୍ପିନର ମିଳିତ ଭାବେ ୧୧୯ ରନ୍ରେ ୯ ଓ୍ଵିକେଟ୍ ବାଣ୍ଟି ନେବାରୁ ନ୍ୟୁଜିଲାଣ୍ଡ୍ ‘ଏ’ ଦଳ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାଳିରେ ୨୧୦ ରନ୍ କରିପାରିଥିଲା। ନିଜର ଚତୁର୍ଥ ମ୍ୟାଚ୍ରେ କର୍ନ ଶର୍ମା ତୃତୀୟ ୫ ଓ୍ଵିକେଟ୍ ସଫଳତା ପାଇଲେ। ଅଧିନାୟକ ନିକୋଲ୍ସ (୯୪) ଓ ରାଭାଲ (୪୭) କିଛି ସମୟ ଲଢ଼ିଥିଲେ ବି ପାଳି ପରାଜୟରୁ ଦଳକୁ ରକ୍ଷା କରିପାରିନଥିଲେ। ଫଲୋଅନ୍ ଖେଳିଥିବା ନ୍ୟୁଜିଲାଣ୍ଡ୍ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୧୦୪ ରନ୍ରେ ଗୋଟିଏ ଓ୍ଵିକେଟ୍ ହରାଇଥିଲା।
ଅଧିନାୟକ ନିକୋଲ୍ସ ୫୫ ଓ ରାଭାଲ ୪୧ ରନ୍ରେ ଅପରାଜିତ ଥିଲେ। ସେତେବେଳେ ପାଳି ପରାଜୟ ଏଡାଇବା ପାଇଁ ଦଳକୁ ଆଉ ୧୩୨ ରନ୍ ଦରକାର ଥିଲା। ହେଲେ କର୍ନ ଶର୍ମା ଓ ନଦୀମ୍ ସବୁକିଛି ବିଗାଡ଼ି ଦେଲେ। ଫଳରେ ମଙ୍ଗଳବାର ଚତୁର୍ଥ ତଥା ଶେଷ ଦିବସରେ ଆଉ ୧୦୬ ରନ୍ ଯୋଡ଼ି ଅବଶିଷ୍ଟ ୯ ଓ୍ଵିକେଟ୍ ହରାଇଥିଲା। ଏପରିକି ଦଳ ଶେଷ ୯ ଓ୍ଵିକେଟ୍ ମାତ୍ର ୮୬ ରନ୍ ମଧ୍ୟରେ ହରାଇଥିଲା। ପ୍ରଥମ ପାଳିରେ ୬୯.୫ ଓଭରରେ ୨୧୧ ରନ୍ କରିଥିବା ନ୍ୟୁଜିଲାଣ୍ଡ୍ ଦ୍ୱିତୀୟ ପାଳିରେ ୭୯.୩ ଓଭର ଖେଳି ୨୧୦ ରନ୍ରେ ସବୁ ଓ୍ଵିକେଟ୍ ହରାଇଲା।
ଫଳରେ ଭାରତ ଏହି ଟେଷ୍ଟକୁ ଏକ ପାଳି ଓ ୨୬ ରନ୍ରେ ଜିତି ନେଲା। ଏଥି ସହିତ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ମଧ୍ୟ ୨-୦ରେ ଘରୋଇ ଦଳ ମୂଳପୋଛ କରିନେଲା। ପ୍ରଥମ ପାଳିରେ ବି କର୍ନ ଶର୍ମା (୩/୪୯) ଓ ସାହବାଜ୍ ନଦୀମ୍ (୨/୪୧) ମିଳିତ ଭାବେ ୫ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ଯାହାଫଳରେ ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ୨୧୧ ରନ୍ କରିପାରିଥିଲା। ଏହା ପୂର୍ବରୁ ଘରୋଇ ଭାରତୀୟ ‘ଏ’ ଦଳ ତା’ର ପ୍ରଥମ ପାଳିରେ ଅଙ୍କିତ ବାଉନେ (୧୬୨) ଦମ୍ଦାର ଶତକ ସାଙ୍ଗକୁ ଶ୍ରେୟସ ଆୟର (୮୨) ଓ ଓ୍ଵିକେଟ୍ରକ୍ଷକ ପାର୍ଥିବ ପଟେଲ (୬୫)ଙ୍କ ଅର୍ଧଶତକ ବଳରେ ୪୪୭ ରନ୍ କରିଥିଲା।