ଭାରତ ‘ଏ’ ଜିତିଲା ଅଣଆନୁଷ୍ଠାନିକ ଟେଷ୍ଟ ଶୃଙ୍ଖଳା

ବେଙ୍ଗାଲୁରୁ : ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଅଣଆନୁଷ୍ଠାନିକ ଟେଷ୍ଟ ଶୃଙ୍ଖଳାକୁ ଭାରତ ‘ଏ’ ୧-୦ରେ ଜିତିନେଇଛି। ପ୍ରଥମ ୨ ମ୍ୟାଚ୍‌ ଅମୀମାଂସିତ ଭାବେ ଶେ‌ଷ ହୋଇଥିଲା ବେଳେ ଶେଷ ତଥା ନିର୍ଣ୍ଣାୟକ ଟେଷ୍ଟକୁ ଭାରତ-ଏ ୧୧୩ ରନ୍‌ରେ ଜିତି ଶୃଙ୍ଖଳା କବ୍‌ଜା କରିଛି। ଏହି ଚାରିଦିନିଆ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୪୧୬ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ବାମହାତୀ ସ୍ପିନର ସୌରଭ କୁମାର ୫ ୱିକେଟ୍‌‌ ନେଇ ନ୍ୟୁଜିଲାଣ୍ଡର ଦ୍ବିତୀୟ ପାଳିକୁ ୩୦୨ ରନ୍‌ରେ ଅଟକାଇ ଦେଇଥିଲେ। ଜୋ କାର୍ଟର ୧୧୧, ଡାନେ କ୍ଲିଭର ୪୪ ଓ ଚାପମାନ ୪୫ ରନ୍‌ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ।

ପୂର୍ବରୁ ଭାରତ ପ୍ରଥମ ପାଳିରେ ଋତୁରାଜ ଗାଏକ୍ବାଡ (୧୦୮)ଙ୍କ ଶତକ ଏବଂ ଉପେନ୍ଦ୍ର ଯାଦବ (୭୬)ଙ୍କ ଅର୍ଦ୍ଧଶତକ ବଳରେ ୨୯୩ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ମାର୍କ ଚାପମାନ (୯୨) ଓ ସିଅନ୍‌ ‌ସୋଲିଆ (୫୪)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୩୭ ରନ୍‌ କରିଥିଲା। ୫୬ ରନ୍‌ରେ ପ୍ରଥମ ପାଳି ଆଗୁଆ ଥିବା ଭାରତ ରଜତ ପଟିଦାର (୧୦୯*)ଙ୍କ ଅପରାଜିତ ଶତକ, ଋତୁରାଜ ଗାଏକ୍ବାଡ (୯୪) ଓ ସର୍ଫରାଜ ଖାନ (୬୩)ଙ୍କ ଅର୍ଦ୍ଧଶତକ ବଳରେ ୩୫୯/୭ରେ ଦ୍ବିତୀୟ ପାଳି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର