ବ୍ରିସବେନ : ଗାବା ଟେଷ୍ଟ ଜିତି ଭାରତୀୟ ଦଳ ଆଜି ଇତିହାସ ରଚିଛି । ଏହା ସହିତ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ନିଜ ପାଖରେ ରଖିଛି । ଫଳରେ ଏହି ବିଜୟକୁ ନେଇ ସାରା ଦେଶରେ କ୍ରିକେଟପ୍ରେମୀମାନେ ଆନନ୍ଦ ମନାଉଛନ୍ତି । ତେବେ ଆଜି ଭାରତ ଜିତିବା ପରେ କେତେଜଣ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟ ଖେଳାଳିଙ୍କ ମୁହଁ ଆମ୍ବିଳା ହୋଇଯାଇଛି ।
ଏସବୁ ଖେଳାଳୀଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ମାର୍କ ଓ୍ବ, ରିକି ପଣ୍ଟିଂ, ମାଇକେଲ କ୍ଲାର୍କ ଓ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ବ୍ରାଡ ହାଡିନ ଏବଂ ପୂର୍ବତନ ଇଂଲାଣ୍ଡ ଅଧିନାୟକ ମାଇକେଲ ଭନ । ପ୍ରଥମ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ପରେ ଏହି ପୁରୁଖା ଖେଳାଳୀମାନେ ଭାରତୀୟ ଦଳକୁ ଟାହି ଟାପରା କରିଥିଲେ ।
/sambad/media/post_attachments/wp-content/uploads/2021/01/ponting-300x200.jpg)
ରିକି ପଣ୍ଟିଂ କହିଥିଲେ ଯେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ସିରିଜକୁ ପୋଛିନେବାର ଏକ ଉତ୍ତମ ସୁଯୋଗ ରହିଛି । ଏପରି ଏକ ପରାଜୟ ପରେ ଭାରତୀୟ ଦଳରେ ଏପରି କେହି ନାହାନ୍ତି ଯିଏକି ଦଳକୁ ପରାଜୟରୁ ବଞ୍ଚାଇପାରିବ । ମାର୍କ ଓ୍ବ ଲେଖିଥିଲେ ଯେ ପ୍ରଥମ ଟେଷ୍ଟ ପରାଜୟ ପରେ ଭାରତ ଆଉ ଉଠିପାରିବ ନାହିଁ ଓ ଅଷ୍ଟ୍ରେଲିଆ ୪-୦ରେ ଜିତିବ ।
/sambad/media/post_attachments/wp-content/uploads/2021/01/mark-300x225.jpg)
ସେହିପରି ମାଇକେଲ କ୍ଲାର୍କ ଲେଖିଥିଲେ, ବିରାଟଙ୍କ ଅନୁପସ୍ଥିତିରେ ଆପଣ ଭାରତୀୟ ବ୍ୟାଟିଂ ଲାଇନଅପର ଶୋଚନୀୟ ଅବସ୍ଥାକୁ ଅନୁମାନ କରିପାରୁଛନ୍ତି । ସେମାନେ ଏବେ ବଡ଼ ବିପଦରେ ପଡ଼ିଛନ୍ତି ।
ମାଇକେଲ ଭନ ଲେଖିଥିଲେ, “ କହିଥିଲି ନା, ଭାରତୀୟ ଦଳ ଏହି ସିରିଜରେ ପିଟି ହୋଇଯିବ ।
/sambad/media/post_attachments/wp-content/uploads/2021/01/clark.jpg)
କିନ୍ତୁ ଭାରତୀୟ ଦଳ ପ୍ରଥମ ପରାଜୟ ପରେ ଲଢୁଆ ଖେଳ ଦେଖାଇ ସିରିଜକୁ ଜିତିବା ପରେ ଏସବୁ ତଥାକଥିତ ମହାନ କ୍ରିକେଟ ଖେଳାଳି ଏବେ ଚୁପ ହୋଇଯାଇଛନ୍ତି । ଅବଶ୍ୟ ଟ୍ବିଟରେ ସେମାନେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଭାରତୀୟ ଲୋକେ ସୋସିଆଲ ମିଡିଆରେ ଏମାନଙ୍କୁ ପ୍ରବଳ ଟ୍ରୋଲ କରିବାରେ ଲାଗିଛନ୍ତି ।
ଭାରତୀୟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଖେଳାଳିମାନଙ୍କୁ ସମ୍ବୋଧନ କରି ଲେଖିଛନ୍ତି, ଏବେ ନିଜ ଶବ୍ଦକୁ ନିଜେ କିପରି ଢୋକିବ ? ସେକିକି, ଛାଣିକି ବା ପୋଡ଼ିକି ?