ଅଷ୍ଟ୍ରେଲିଆକୁ ହରାଇବାକୁ ଭାରତ ସକ୍ଷମ: ଗାଙ୍ଗୁଲି

‘‘ରୋହିତ, ଈଶାନ୍ତଙ୍କୁ ମିଳିପାରେ ସୁଯୋଗ’’

କୋଲକାତା: ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଭାରତ ୩ ଲେଖାଏଁ ଦିନିକିଆ ଓ ଟି-୨୦ ଖେଳିବା ପରେ ଡିସେମ୍ବର ୧୭ରୁ ୪ଟି ଟେଷ୍ଟ୍‌ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବ। ବିରାଟ କୋହଲିଙ୍କ ଦଳ ସମ୍ମୁଖରେ ଟେଷ୍ଟ୍‌ ଶୃଙ୍ଖଳା ବେଳକୁ କଡ଼ା ଟକ୍କର ମିଳିବ। ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଆତ୍ମବିଶ୍ବାସ ରହିଛି ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇବାକୁ ସକ୍ଷମ। ‘ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆର ମୁକାବିଲା କରିବା ନିଶ୍ଚିତ ଭାବେ କଷ୍ଟକର। ଷ୍ଟିଭ୍ ସ୍ମିଥ୍‌ ଓ ଡେଭିଡ୍‌ ୱାର୍ନରଙ୍କ ପ୍ରତ୍ୟାବର୍ତନ କାରଣରୁ ଅଷ୍ଟ୍ରେଲିଆ ନିଶ୍ଚିତ ଦୃଢ଼ ହୋଇଛି। ମାର୍ନସ ଲବୁସାନଙ୍କ ଭଳି ବିସ୍ମୟ ଖେଳାଳି ବି ଉଭା ହୋଇଛନ୍ତି। ଭାରତ ପାଇଁ ଏହା ନିଶ୍ଚିତ ଭଲ ପରୀକ୍ଷା ହେବ, କିନ୍ତୁ ସେମାନେ ବିଜୟୀ ହେବାକୁ ସକ୍ଷମ’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି।

ସୂଚନା‌ଯୋଗ୍ୟ, ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ବିରାଟ କୋହଲିଙ୍କ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟେଷ୍ଟ୍ ଶୃଙ୍ଖଳା (୨-୧) ଜିତିଥିଲା। ସେପର୍ଯ୍ୟନ୍ତ ଭାରତୀୟ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧-୧ ଅମୀମାଂସିତ ଶୃଙ୍ଖଳା। ଯାହାକି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଦଳ ୨୦୦୩ ମସିହାରେ ହାସଲ କରିଥିଲା। କୋହଲିଙ୍କ ଦଳ ସଫଳତାର ଶୃଙ୍ଖଳା ବେଳକୁ କିନ୍ତୁ ଷ୍ଟିଭ୍ ସ୍ମିଥ୍‌ ଓ ଡେଭିଡ୍ ୱାର୍ନର ନିଲମ୍ବିତ ଥିବାରୁ ଭାରତକୁ ଫାଇଦା ମିଳିଥିଲା। ଏହି ଦୁଇ ଖେଳାଳିଙ୍କ ପ୍ରତ୍ୟାବର୍ତନ ସହିତ ଅଷ୍ଟ୍ରେଲିଆ ଦଳର ଶକ୍ତି ବୃଦ୍ଧି ପାଇଥିଲେ ମଧ୍ୟ ଗାଙ୍ଗୁଲି ଆଶାବାଦୀ ରହିଛନ୍ତି। ‘ଉଭୟ ଦଳ ପାଇଁ ଏଥର ୫୦:୫୦ ସୁଯୋଗ ରହିଛି। ବୋର୍ଡରେ ରନ୍‌ ହେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଯେଉଁ ଦଳ ଭଲ ବ୍ୟାଟିଂ କରିବ ନିଶ୍ଚିତ ଶୃଙ୍ଖଳା ଜିତିବ’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଉଭୟ ଦଳର ପେସ୍‌ ବୋଲିଂ ଶକ୍ତି ମଧ୍ୟ ଭଲ ରହିଛି। ଅଷ୍ଟ୍ରେଲିଆ ସହ ଭାରତର ପେସ‌୍ ବୋଲିଂ ସାମର୍ଥ୍ୟ ତୁଳନୀୟ ସ୍ଥିତିରେ ରହିଛି। ଯଶପ୍ରୀତ୍ ବୁମରା, ମହମ୍ମଦ ସାମି ଏବଂ ନଭଦୀପ ସୈନିଙ୍କ ଆକ୍ରମଣ ଅଷ୍ଟ୍ରେଲିଆ ଭଳି ଭଲ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍‌ରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍ ଦିବାରାତ୍ର ବିଶିଷ୍ଟ ହେବ। ଗାଙ୍ଗୁଲି କହିଛନ୍ତି, ‘ଗୋଲାପି ବଲ୍ ଟେଷ୍ଟ୍‌ ଏହ‌ି ଫର୍ମାଟ ଖେଳର ଭବିଷ୍ୟତ। ଟେଷ୍ଟ୍ କ୍ରିକେଟକୁ ଏହା ଆଗକୁ ନେଇଛି। ଅଷ୍ଟ୍ରେଲିଆରେ ମଧ୍ୟ ଦର୍ଶକଙ୍କୁ ଅନୁମତି ମିଳିଥିବାରୁ କ୍ରିକେଟ୍‌ କିଛିଟା ସ୍ବଭାବିକ ସ୍ଥିତିକୁ ଫେରିବାକୁ ଯାଉଛି’। ଆମେ ଗତ ଗସ୍ତରେ ଆଡିଲେଡ୍‌ରେ ଜିତିଥିଲୁ, ୨୦୦୩ରେ ମଧ୍ୟ ସେଠାରେ ଆମେ ଜିତିଥିଲୁ। ତେଣୁ ସେଠାରେ ଭାରତର ବିଜୟୀ ହେବାର ଇତିହାସ ରହିଛି ବୋଲି ଗାଙ୍ଗୁଲି ପ୍ରକାଶ କରିଥିଲେ।

ରୋହିତଙ୍କୁ ଆଇପିଏଲ୍ ନ ଖେଳିବାକୁ ପରାମର୍ଶ
ଭାରତର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ଈଶାନ୍ତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଦଳରେ ଯୋଗଦେବାର ସମ୍ଭାବନା ରହିଛି‌। ଉଭୟ ଆହତ ସମସ୍ୟା‌ ଦେଇ ଗତି କରୁଥିବାରୁ ଗତ ସପ୍ତାହରେ ଘୋଷିତ ଦଳରେ ସ୍ଥାନ ପାଇନାହାନ୍ତି। ହେଲେ ସେମାନେ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିନାହାନ୍ତି, ଟେଷ୍ଟ୍ ଶୃଙ୍ଖଳା ବେଳକୁ ଉଭୟଙ୍କୁ ସାମିଲ କରାଯାଇପାରେ ବୋଲି ଗାଙ୍ଗୁଲି ସୂଚନା ଦେଇଛନ୍ତି। ଆହତ ସମସ୍ୟାକୁ ଅଧିକ ଖରାପ ନହେବା ଲାଗି ରୋହିତଙ୍କୁ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ ନ ଖେଳିବାକୁ ମଧ୍ୟ ଗାଙ୍ଗୁଲି ପରାମର୍ଶ ଦେଇଛନ୍ତି। ରୋହିତ କିନ୍ତୁ ମଙ୍ଗଳବାର ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍‌ ଖେଳି ୭ ବଲରୁ ୪ ରନ୍ କରିଥିଲେ। ଟସ୍ ବେଳେ ମଧ୍ୟ ମୁଁ ଫିଟ୍‌ ଓ ଫାଇନ୍ ଅଛି ବୋଲି କହି ରୋହିତ ନିଜ ପ୍ରଶଂସକଙ୍କୁ ଆଶ୍ବସ୍ତ କରିଥିଲେ।

ସମ୍ବନ୍ଧିତ ଖବର