ଏସିଆ କପ୍‌ର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ : ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ‘ଟାଇ’

ଦୁବାଇ: ଏସିଆ କପ୍‌ରେ ମଙ୍ଗଳବାର ସବୁଠୁ ଉତ୍କଣ୍ଠାପୂର୍ଣ୍ଣ ତଥା ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଗୁରୁତ୍ୱହୀନ ମ୍ୟାଚ୍‌ ହୋଇଥିଲେ ବି ଏହା ସବୁଠୁ ଅଧିକ ମନୋରଂଜନ ଯୋଗାଇଥିଲା। ଭାରତ ଏବଂ ଆଫଗାନିସ୍ତାନ ମ୍ୟାଚ୍‌କୁ ‘ଟାଇ’ରେ ଶେଷ କରି ସନ୍ତୁଷ୍ଟ ରହିଲେ। ବାଂଲାଦେଶ ଓ ପାକିସ୍ତାନ ନିକଟରୁ ଶେଷ ଓଭରରେ ହାରିଥିବା ଆଫଗାନିସ୍ତାନ ଶେଷରେ ନିଜ୍‌ ହକ୍‌କୁ ‘ଟାଇ’ରେ ଶେଷ କରି ସାନ୍ତ୍ୱନାର ସହ ଅଭିଯାନ ଶେଷ କଲା। ଆକର୍ଷଣୀୟ ଶତକ ପାଇଁ ସାହଜାଦ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ବୁଧବାର ଖେଳାଯିବାକୁ ଥିବା ପାକିସ୍ତାନ-ବାଂଲାଦେଶ ମ୍ୟାଚ୍‌ର ବିଜେତା ଶୁକ୍ରବାର ଭାରତକୁ ଫାଇନାଲ୍‌ରେ ଭେଟିବ।
୨୫୩ ରନ୍‌କୁ ପିଛା କରିଥିବା ଭାରତ ପାଇଁ ଅମ୍ବାତି ରାୟୁଡୁ (୫୭, ୪୯ ବଲ୍‌, ୪ ଚୌକା, ୪ ଛକା) ଏବଂ ଲୋକେଶ ରାହୁଲ (୬୦, ୬୬ ବଲ୍‌, ୫ ଚୌକା, ୧ ଛକା) ପ୍ରଥମ ଓ୍ଵିକେଟ୍‌ ପାଇଁ ୧୭ ଓଭରରେ ୧୧୦ ରନ୍‌ ଉଠାଇଥିଲେ। ୩ ନମ୍ବର ଦୀନେଶ କାର୍ତିକ (୪୪, ୬୬ ବଲ, ୪ ଚୌକା) କିନ୍ତୁ ଅର୍ଧଶତକରୁ ବଞ୍ଚିତ ରହିଥିଲେ। ମହେନ୍ଦ୍ର ସିଂହ ଧୋନି, ମନୀଷ ପାଣ୍ଡେ, କେଦାର ଯାଦବଙ୍କ ବିଫଳତା ଦଳକୁ ସଙ୍କଟରେ ପକାଇଥିଲା। ତିନି ତିନିଟି ରନ୍‌ ଆଉଟ୍‌ ଭାରତକୁ ଅଡୁଆରେ ପକାଇଥିଲା। ଶେଷ ଓଭରରେ ଭାରତକୁ ୭ ରନ୍‌ ଆବଶ୍ୟକ ପଡ଼ିଥିଲା। ରସିଦ୍‌ ଖାନ୍‌ (୦, ୪, ୧, ୧, ଓ୍ଵିକେଟ୍‌) ରବୀନ୍ଦ୍ର ଜାଦେଜାଙ୍କୁ ଆଉଟ୍‌ କରି ମ୍ୟାଚ୍‌କୁ ଟାଇ କରି ଦେଇଥିଲେ।
ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫାଗାନିସ୍ତାନ ପାଇଁ ଅଭିଜ୍ଞ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମହମ୍ମଦ ସାହଜାଦ୍‌ ଚମତ୍କାର ବ୍ୟାଟିଂ କରିଥିଲେ। ପ୍ରଥମ ଓ୍ଵିକେଟ୍‌ ପାଇଁ ୬୫ ରନ୍‌ ସଂଗ୍ରହ କରିଥିବା ଆଫଗାନିସ୍ତାନ ଭାରତୀୟ ସ୍ପିନରଙ୍କ ଆଗମନ ପରେ ନିୟମିତ ଓ୍ଵିକେଟ୍‌ ହରାଇ ଚାଲିଥିଲା। ହଠାତ୍‌ ଏହି ଉତ୍ସାହୀ ଦଳ ୮୨ ରନ୍‌ରେ ୪ ଓ୍ଵିକେଟ୍‌ ହରାଇ ଦେଇଥିଲା। ସାହଜାଦ୍‌ କିନ୍ତୁ ଗୋଟିଏ ପାର୍ଶ୍ୱରେ ନିଜ ଆକ୍ରାମକ ବ୍ୟାଟିଂ ଜାରି ରଖିଥିଲେ। ଗୁଲବଦିନ୍‌ (୧୫)ଙ୍କୁ ସାଥୀ କରି ସାହଜାଦ୍‌ ୫୦ ରନ୍‌ ଯୋଡ଼ିଥିଲେ। ନିମ୍ନକ୍ରମରେ ମହମ୍ମଦ ନବି (୬୪, ୫୬ ବଲ, ୩ ଚୌକା, ୪ ଛକା)ଙ୍କ ଅର୍ଧଶତକ ଦଳକୁ ୨୫୦ ରନ୍‌ରେ ପହଞ୍ଚାଇଥିଲା। କିନ୍ତୁ ପୃଥଳାକାୟ ଚେହେରାର ଓ୍ଵିକେଟ୍‌ରକ୍ଷକ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ମହମ୍ମଦ ସାହାଜାଦ୍‌ ଥିଲେ ମଙ୍ଗଳବାର ମ୍ୟାଚ୍‌ର ଚର୍ଚିତ ଖେଳାଳି। ପ୍ରଥମରୁ ହିଁ ସେ ଆକ୍ରମଣାତ୍ମକ ଖେଳି ୩୭ ବଲ୍‌ରୁ ଅର୍ଧଶତକ ଏବଂ ୮୮ ବଲ୍‌ରୁ ଶତକ ଅର୍ଜନ କରିଥିଲେ। କେଦାର ଯାଦବଙ୍କ ଶିକାର ହେବା ପୂର୍ବରୁ ଦଳର ଦୁଇ ତୃତୀୟାଂଶ ରନ୍‌ (୧୨୪/୧୮୦) ରନ୍‌ ସଂଗ୍ରହ କରିଥିଲେ। ବାଉଣ୍ଡରି ଉପରେ ବିଶେଷ ନିର୍ଭର କରିଥିବା ସାହଜାଦ୍‌ ୧୧ ଚୌକା ଓ ୭ ଛକା ମାରିଥିଲେ। ଆଫ୍‌ଗାନିସ୍ତାନ ପାଳିରୁ ଆସିଥିବା ୧୧ ଛକା ସାହଜାଦ (୭) ଓ ନବି (୪) ମାରିଥିଲେ। ଭାରତର ସମସ୍ତ ୬ ବୋଲର ଅନ୍ୟୁନ ଗୋଟିଏ ଲେଖାଏଁ ଛକାର ଶିକାର ହୋଇଥିବା ବେଳେ ସିଦ୍ଧାର୍ଥ କୌଲ୍‌ ସର୍ବାଧିକ ୩ଟି ବରଣ କରିଥିଲେ। ରବୀନ୍ଦ୍ର ଜାଦେଜା (୧୦-୧-୪୬-୩) କିନ୍ତୁ ସଫଳତମ ବୋଲର ରହିଥିଲେ।
ଭାରତ ୫ ପରିବର୍ତନ ସହ ଏହି ମ୍ୟାଚ୍‌ ଖେଳିଥିଲା। ଫାଇନାଲ୍‌ ପୂର୍ବରୁ ବିଶ୍ରାମ ପାଇବା ସହ ସଂରକ୍ଷିତ ଖେଳାଳିଙ୍କ ପାଇଁ ବାଟ ଖୋଲିଥିଲେ ରୋହିତ ଶର୍ମା, ଶିଖର ଧାଓ୍ଵନ, ଭୁବନେଶ୍ୱର କୁମାର, ଯଶପ୍ରୀତ୍‌ ବୁମରା ଏବଂ ୟୁଜବେନ୍ଦ୍ର ଚହଲ। ଏମାନଙ୍କ ବଦଳରେ ଲୋକେଶ ରାହୁଲ, ମନୀଷ ପାଣ୍ଡେ, ସିଦ୍ଧାର୍ଧ କୌଲ, ଦୀପକ ଚହର, ଖଲିଲ୍‌ ଅହମ୍ମଦଙ୍କୁ ସୁଯୋଗ ମିଳିଥିଲା। ଦୀପକ ଚହରଙ୍କ ଅର୍ନ୍ତଜାତୀୟ କ୍ରିକେଟ୍‌ ଜୀବନ ଆରମ୍ଭ ହୋଇଥିଲା।
ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ‘ଟାଇ’
ଆଫ୍‌ଗାନିସ୍ତାନ ପାଳି:
ସାହଜାଦ୍‌୍‌-କ-କାର୍ତିକ-ବୋ-କେଦାର-୧୨୪
ଅହମ୍ମଦି-ଷ୍ଟମ୍ପ୍‌ ଧୋନି-ବୋ-ଜାଦେଜା-୦୫
ରହମତ୍‌ ସାହା-ବୋ-ଜାଦେଜା-୦୩
ହାସ୍‌ମତୁଲ୍ଲା-ଷ୍ଟମ୍ପ୍‌-ଧୋନି-ବୋ-କୁଲ୍‌ଦୀପ-୦୦
ଅସ୍‌ଗର ଆଫ୍‌ଗାନ-ବୋ-କୁଲ୍‌ଦୀପ-୦୦
ଗୁଲ୍‌ବଦିନ୍‌-କ-କେଦାର-ବୋ-ଚହର୍‌-୧୫
ମହମ୍ମଦ ନବି-କ-କୁଲ୍‌ଦୀପ-ବୋ-ଖଲିଲ-୬୪
ନାଜିବୁଲ୍ଲା-ଏଲ୍‌ବି-ବୋ-ଜାଦେଜା-୨୦
ରସିଦ୍‌-ଅପରାଜିତ-୧୨
ଅଫ୍‌ତାବ-ଅପରାଜିତ-୦୨
ଅତିରିକ୍ତ: (ଲେ/ବା-୧, ନୋ-୧, ଓ୍ଵା-୫)୦୭
ମୋଟ-(୫୦ ଓଭର, ୮ ଓ୍ଵିକେଟ୍‌)-୨୫୨
ଓ୍ଵିକେଟ୍‌ ପତନ-୧/୬୫, ୨/୮୧, ୩/୮୨, ୪/୮୨, ୫/୧୩୨, ୬/୧୮୦, ୭/୨୨୬, ୮/୨୪୪।
ବୋଲିଂ: ଖଲିଲ ଅହମ୍ମଦ ୧୦-୧-୪୫-୧, ଦୀପକ ଚହର ୪-୦-୩୭-୧, ସିଦ୍ଧାର୍ଥ କୌଲ ୯-୦-୫୮-୦, ରବୀନ୍ଦ୍ର ଜାଦେଜା ୧୦-୧-୪୬-୩, କୁଲ୍‌ଦୀପ ଯାଦବ ୧୦-୦-୩୮-୨, କେଦାର ଯାଦବ ୭-୦-୨୭-୧।
ଭାରତ ପାଳି:
ଲୋକେଶ ରାହୁଲ୍‌-ଏଲ୍‌ବି-ବୋ-ରସିଦ୍‌-୬୦
ଅମ୍ବାଟି ରାୟୁଡୁ-ରନ୍‌ ଆଉଟ୍‌୍‌-୫୭
ଦୀନେଶ କାର୍ତିକ-ଏଲ୍‌ବି-ବୋ-ନବି-୪୪
ଧୋନି-ଏଲ୍‌ବି-ବୋ-ଅହମ୍ମଦି-୦୮
ମନୀଷ ପାଣ୍ଡେ-କ-ସାହାଜାଦ୍‌-ବୋ-ଅଫ୍‌ତାବ-୦୮
କେଦାର ଯାଦବ-ରନ୍‌ ଆଉଟ୍‌-୧୯
ରବୀନ୍ଦ୍ର ଜାଦେଜା-କ-ନାଜିବୁଲା-ବୋ-ରସିଦ୍‌-୨୫
ଦୀପକ୍‌ ଚହର-ବୋ-ଅଫ୍‌ତାବ-୧୨
କୁଲ୍‌ଦୀପ୍‌-ରନ୍‌ ଆଉଟ୍‌-୦୯
ସିଦ୍ଧାର୍ଥ କୌଲ-ରନ୍‌ ଆଉଟ୍‌-୦୦
ଖଲିଲ ଅହମ୍ମଦ-ଅପରାଜିତ-୦୧
ଅତିରିକ୍ତ: (ଲେ/ବା-୫, ନୋ-୧, ଓ୍ଵା-୩)୦୯
ମୋଟ-(୩୯.୩ ଓଭର, ୧ ଓ୍ଵିକେଟ୍‌)-୨୩୮
ଓ୍ଵିକେଟ୍‌ ପତନ-୧/୧୧୦, ୨/୧୨୭, ୩/୧୪୨, ୪/୧୬୬, ୫/୨୦୪, ୬/୨୦୫, ୭/୨୨୬, ୮/୨୪୨, ୯/୨୪୫, ୧୦/୨୫୨।
ବୋଲିଂ: ଅଫ୍‌ତାବ୍‌ ଆଲମ୍‌ ୧୦-୦-୫୩-୨, ମୁଜିବ୍‌ ଉର୍‌ ରହମନ୍‌ ୧୦-୧-୪୩-୦, ଗୁଲ୍‌ବଦିନ୍‌ ନାଏବ୍‌ ୪-୦-୪୧-୦, ମହମ୍ମଦ ନବି ୧୦-୦-୪୦-୨, ରସିଦ୍‌ ଖାନ୍‌ ୯.୫-୦-୪୧-୨, ଜାଭେଦ୍‌ ଅହମ୍ମଦି ୪-୦-୧୯-୧, ରହମତ୍‌ ସାହା ୨-୦-୧୦-୦।

ସମ୍ବନ୍ଧିତ ଖବର