ଭାରତ-ଆଫଗାନିସ୍ତାନ ଟେଷ୍ଟ: ଗର୍ଜିଲା ଭାରତୀୟ ଖେଳାଳିଙ୍କ ବ୍ୟାଟ୍‌, ସ୍କୋର ୬/୩୪୭

ଧାଓ୍ଵନ-ମୁରଲୀଙ୍କ ଶତକ, ଅର୍ଦ୍ଧଶତକ ହାସଲ କଲେ ଲୋକେଶ ରାହୁଲ

ବେଙ୍ଗାଲୁରୁ: ଆଫଗାନିସ୍ତାନ ବିପକ୍ଷରେ ଐତିହାସିକ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ପଡ଼ିଆରୁ ବିଦାୟ ନେବା ପୂର୍ବରୁ ଗୁରୁବାର ଭାରତ ୭୮ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୩୪୭ ରନ୍‌ ସଂଗ୍ରହ କରିଛି। ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବିଚନ୍ଦ୍ରନ ଅଶ୍ମିନ(୭ରନ୍‌) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୦ ରନ୍‌) ସଂଗ୍ରହ କରି କ୍ରିଜରେ ଅଛନ୍ତି।

ଶିଖର ଧାଓ୍ଵନ ଓ ମୁରଲୀ ବିଜୟଙ୍କ ପରେ ଲୋକେଶ ରାହୁଲ ୬୪ଟି ବଲ ଖେଳି ୫୪ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ଚେତେଶ୍ୱର ପୂଜାରା ୫୨ଟି ବଲ ଖେଳି ୩୫ ରନ୍‌ ସଂଗ୍ରହ କରିଛନ୍ତି।

ପ୍ରଥମ ଦିନରେ ଶିଖର ଧାଓ୍ଵନଙ୍କ ଶତକ ପରେ ମୁରଲୀ ବିଜୟ ମଧ୍ୟ ଚମତ୍କାର ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ମୁରଲୀଙ୍କ ଏହା ହେଉଛି ୧୨ତମ ଶତକ। ସେ ୫୦ତମ ଓଭରରେ ଆଫଗାନିସ୍ତାନ ବୋଲର ବଫାଦାରଙ୍କ ବଲକୁ ଚୌକା ମାରି ଶତକ ହାସଲ କରିଛନ୍ତି। ୧୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ମୁରଲୀ ୧୦୫ ରନ୍‌ ସଂଗ୍ରହ କରିବା ପରେ ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ଓପନର ଶିଖର ଧାଓ୍ଵନ(୧୦୭ରନ୍‌, ୯୬ଟି ବଲ, ୧୯ଟି ଚୌକା ଓ ୩ଟ ଛକା) ଓ ମୁରଲୀ ବିଜୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଶିଖର ଧାଓ୍ଵନ ଆଜି ପ୍ରଥମେ ତାଙ୍କର କ୍ୟାରିୟରର ୭ମ ଶତକ ହାସଲ କରିଛନ୍ତି। ଏଥି ସହିତ ସେ ମଧ୍ୟାହ୍ନ ବିରତି ପୂର୍ବରୁ ଶତକ ହାସଲ କରିବାରେ ୬ଷ୍ଠ ଭାରତୀୟ ହୋଇ ପାରିଛନ୍ତି। ଧାଓ୍ଵନ ୯୧ଟି ବଲରେ ୧୦୪ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର