ଚତୁଷ୍କୋଣୀୟ ଶୃଙ୍ଖଳା, ଭାରତକୁ ପୁଣି ଯୁଗଳ ବିଜୟ

ତିରୁବନ୍ତପୁରମ୍‌: କେରଳରେ ଆୟୋଜିତ ଚତୁଃକୋଣୀୟ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ଶୃଙ୍ଖଳାରେ ଭାରତକୁ ପୁଣି ଥରେ ଯୁଗଳ ବିଜୟ ମିଳିଛି। ମଙ୍ଗଳବାର ପ୍ରଥମ ଦିବସରେ ଦୁଇ ଭାରତୀୟ ଦଳ (ଏ ଓ ବି) ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ବେଳେ ଗୁରୁବାର ଉଭୟ ଘରୋଇ ଦଳ ପୁଣି ନିଜ ନିଜର ଦ୍ବିତୀୟ ବିଜୟ ହାସଲ କରିଛନ୍ତି। ଗୁରୁବାର ଭାରତ-ଏ ଦଳ ୯୨ ରନ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ-ବି’ ୧ ରନ୍‌ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ପାଇଛି। ଉଭୟ ଭାରତୀୟ ଦଳ ମଧ୍ୟ ୨ ଲେଖାଏଁ ମ୍ୟାଚ୍‌ରୁ ଅପରାଜେୟ ସହ ସମାନ ୮ ପଏଣ୍ଟ୍‌ ଲେଖାଏଁ ପାଇଁ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହି ଫାଇନାଲ୍‌ ଖେଳିବା ନିଶ୍ଚିତ କରିଥିଲା ବେଳେ ଦୁଇ ଅତିଥି ଦଳ ବିଜୟ ଶୂନ୍ୟ ରହି ପଏଣ୍ଟ୍‌ ଖାତା ଖୋଲିପାରିନାହାନ୍ତି।ଗୁରୁବାର ତିରୁବନ୍ତପୁରମ୍‌ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ଭାରତ-ଏ ସିଦ୍ଦେଶ ଭୀର୍‌ (୮୧ ରନ୍‌, ୮୨ ବଲ୍‌, ୯ ଚୌକା, ୩ ଛକା)ଙ୍କ ଅର୍ଧଶତକ ସାଙ୍ଗକୁ ସାଶ୍ବତ ରାୱତ୍‌ (୪୫), ପ୍ରିୟାଙ୍କ ଆର୍ଯ୍ୟ (୪୪) ଓ ଧ୍ରୁବ ଜୋରେଲ୍‌ (୨୯)ଙ୍କ ବଳରେ ୪୭.୪ ଓଭରରେ ୨୫୨ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଆଫ୍‌ଗାନିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ସଫିକଉଲା ଗଫାରି ୪ ଓ ଆରିଫ୍‌ ଖାନ୍‌ ୨ ୱିକେଟ୍‌ ପାଇଥିଲେ। ଜବାବରେ ଆରିଫ୍‌ ଖାନ୍‌ (୩୩), ସଫିକ୍‌ଉଲା ଗଫାରି (୨୮), ଅଧିନାୟକ ଫରହାନ୍‌ ଜାକିଲ୍‌ (୨୮), ଜାମ୍‌ସିଦ୍‌ ଖାନ୍‌ (୨୧), ଆବିଦ୍‌ ମହମ୍ମଦି (୧୫) ଓ ଇସ୍‌ଲାମ ଜଜାଇ (୧୪)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ଭ୍ରମଣକାରୀ ଦଳ ୪୮.୪ ଓଭରରେ ୧୬୦ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଯୁବରାଜ ଚୌଧୁରୀ ୩ ଓ ସିଦ୍ଦେଶ ଭୀର ୨ ୱିକେଟ୍‌ ଅକ୍ତିଆର କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଭୀର୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଶେଷ ଓଭରର ଉତ୍କଣ୍ଠା: ଦକ୍ଷିଣ ଆଫ୍ରିକା ୧ ରନ୍‌ରେ ହାରିଲା
ସେହିପରି ଥୁମ୍ବା ମ୍ୟାଚ୍‌ରେ ଟସ୍‌ ଜିତି ଭାରତ-ବି ପ୍ରଥମେ ବ୍ୟାଟିଂ କରିଥିଲା। ଦୁର୍ଗେଶ କନ୍‌ପିଲେୱାର (୪୨), ସମୀର ରିଜ୍‌ଭି (୪୦), ତିଲକ୍‌ ବର୍ମା (୩୩) ଓ ରୟ ବର୍ମନ୍‌ (୨୮)ଙ୍କ ଦମ୍‌ଦାର ପାଳି ବଳରେ ଘରୋଇ ଦଳ ୪୯.୧ ଓଭରରେ ସମସ୍ତ ୱିକେଟ୍‌ ହରାଇବା ପୂର୍ବରୁ ୧୯୮ ରନ୍‌ କରିନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ଲାଜି ୩, ଜାର୍ଦିନେ ଓ ପର୍ସନ୍‌ସ ୨ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ତେର୍‌ବ୍ଲାଞ୍ଚେ (୭୩) ଓ ଆନ୍ଦିଲେ ମୋଙ୍ଗାକେନ୍‌ (୬୪)ଙ୍କ ଲଢୁଆ ଅର୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୪୯ତମ ଓଭର ଶେଷ ବେଳକୁ ସମାନ ୧୯୭ ସ୍କୋର୍‌ କରି ବିଜୟଠୁ ମାତ୍ର ଗୋଟିଏ ରନ୍‌ ଦୂରରେ ରହିଥିଲା। ହାତରେ ସେତେବେଳକୁ ଆଉ ୪ ୱିକେଟ୍‌ ଥିଲା। ହେଲେ ଶେଷ ଓଭର ବୋଲିଂ କରିଥିବା ସୁଶାନ୍ତ ମିଶ୍ର ମ୍ୟାଚ୍‌ରେ ନାଟକୀୟ ପରିବର୍ତନ ଆଣିଥିଲେ। ସେହି ଓଭରରେ ସେ ଆଦୌ ରନ୍‌ ବ୍ୟୟ କରିନଥିଲା ବେଳେ ୩ ଜଣ ବ୍ୟାଟ୍‌ସମ୍ୟାନ୍‌ ରନ୍‌ ଆଉଟ୍‌ ହୋଇଯାଇଥିଲେ। ଫଳରେ ଗୋଟିଏ ରନ୍‌ କରି ନିଶ୍ଚିତ ବିଜୟ ଅପେକ୍ଷାରେ ଥିବା ଦକ୍ଷିଣ ଆଫ୍ରିକା ହାତରୁ ସୁଶାନ୍ତ ହିଁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୧୯୭ ରନ୍‌ରେ ୯ ୱିକେଟ୍‌ ହରାଇ ଏକ ରନ୍‌ର ପରାଜୟ ବରଣ କଲା। ତଥାପି ମୋଙ୍ଗାକେନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇନେଲେ।

ସମ୍ବନ୍ଧିତ ଖବର