ପୁଣି ସେଇ ଭୁଲ କଲା ଭାରତ: ଜମିସନ୍‌ଙ୍କୁ ୫ ୱିକେଟ୍‌, କୋହଲି ବାହିନୀ ୨୪୨

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ୍‌ର ୫ ଜଣିଆ ପେସ୍‌ ଆକ୍ରମଣ ଭାରତ ପାଳିକୁ ଦୁଇ ଦୁଇ ଥର ଦୃଢ଼ ସ୍ଥିତିରୁ ପଛକୁ ଟାଣିଦେବାରୁ ଭ୍ରମଣକାରୀ ବିରାଟ କୋହଲିଙ୍କ ଦଳ ଦଳ ମାତ୍ର ୨୪୨ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଛି। କାଏଲ୍ ଜାମିସନଙ୍କ ପ୍ରଥମ ୫ ୱିକେଟ୍ ହିଁ ଭାରତକୁ ପ୍ରତ୍ୟାବର୍ତନ ବାଟ ଓଗାଳି ଦେଇଛି। ପୃଥ୍ବୀ ସ’, ଚେତେଶ୍ବେର ପୂଜାରା ଏବଂ ହନୁମା ବିହାରୀଙ୍କ ଅର୍ଧଶତକ ସତ୍ତ୍ବେ ଭାରତ ଲଢ଼ୁଆ ସ୍କୋର କରିପାରିନାହିଁ। ଫଳରେ ଦିନିକିଆ ପରେ ଟେଷ୍ଟ୍ ଶୃଙ୍ଖଳାକୁ ମୂଳପୋଛ କରିବା ଲାଗି କେନ୍ ୱିଲିୟମ୍‌ସନ୍‌ଙ୍କ ଦଳ ଦୃଢ଼ ମୂଳଦୁଆ ପକାଇ ନେଇଛି। ଭାରତର ୨୪୨ ରନ୍ ଜବାବରେ ପ୍ରଥମ ଦିନ ସୁଦ୍ଧା ମଧ୍ୟ ଘରୋଇ ଦଳ ବିନା କ୍ଷତିରେ ୬୩ ରନ୍ ସଂଗ୍ରହ କରି ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି।

ନ୍ୟୁଜିଲାଣ୍ଡ୍‌ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଟ୍ରେଣ୍ଟ୍ ବୋଲ୍ଟ, କାଏଲ୍ ଜାମିସନ୍‌ ଏବଂ ଟିମ୍ ସାଉଦି ପ୍ରଥମ ୩ ଝଟ୍‌କା ଦେଇ ଭାରତକୁ ୮୫/୩ରେ ସଂଘର୍ଷ କରାଇଥିଲେ। ଏହି ୩ ବୋଲର ଯଥାକ୍ରମେ ମୟଙ୍କ ଅଗ୍ରୱାଲ (୭), ପୃଥ୍ବୀ ସ (୫୪, ୬୪ ବଲ୍) ଏବଂ ବିରାଟ କୋହଲି (୩)ଙ୍କୁ ପ୍ୟାଭିଲିଅନ୍ ପଠାଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ କୋହଲି ଏବଂ ରାହାଣେ (୭)ଙ୍କୁ ଶସ୍ତାରେ ଆଉଟ୍ କରି ସାଉଦି ତାଙ୍କ କାମ କରିଥିଲେ। ଭାରତ ୪ ୱିକେଟ୍‌ ବିନିମୟରେ ୧୯୪ ରନ୍ ସଂଗ୍ରହ କରି ନେଇଥିଲା। କିନ୍ତୁ ହନୁମା ବିହାରୀ (୫୫)ଙ୍କୁ ନିଲ୍ ୱାଗନର୍‌ କଟ୍ ବିହାଇଣ୍ଡ୍ କରାଇବା ପରେ ନ୍ୟୁଜିଲାଣ୍ଡ୍ ବୋଲର ଶେଷ ୬ ୱିକେଟ୍‌କୁ ମାତ୍ର ୪୮ ରନ୍‌ ଭିତରେ ବାହାର କରି ନେଇଥିଲେ। ଋଷଭ ପନ୍ତ, ରବୀନ୍ଦ୍ର ଜାଦେଜାଙ୍କ ଉପରେ ଥିବା ଭରସା ବି ନିଷ୍ଫଳ ରହିଥିଲା। ଚା’ପାନ ବିରତି ପରେ ପତନ ଘଟିଥିବା ୫ ୱିକେଟ୍ ମଧ୍ୟରୁ କାଏଲ୍ ଜାମିସନ୍‌ ଏକାକୀ ୪ ୱିକେଟ୍ ନେଇ ଭାରତର ଲାଞ୍ଜ କାଟିଥିଲେ। ପୃଥ୍ବୀ ସ’, ଚେତେଶ୍ବର ପୂଜାରା, ଋଷଭ ପନ୍ତ, ରବୀନ୍ଦ୍ର ଜାଦେଜା ଏବଂ ଉମେଶ ଯାଦବଙ୍କୁ ଆଉଟ୍ କରି ଜାମିସନ୍‌ ନିଜ ଦ୍ବିତୀୟ ଟେଷ୍ଟ୍‌ରେ ପ୍ରଥମ ଥର ୫ ୱିକେଟ୍‌ ସଫଳତା ପାଇଥିଲେ। ଭାରତ ମାତ୍ର ୧୨ ରନ୍‌ ଭିତରେ ୫ ୱିକେଟ୍ ହରାଇବା ପରେ ମହମ୍ମଦ ସାମି (୧୬, ୧୨ ବଲ୍‌) ଏବଂ ଯଶ୍‌ପ୍ରୀତ ବୁମରା (୧୦*, ୧୧ ବଲ୍‌) ଶେଷ ୱିକେଟ୍‌ରେ ୨୬ ରନ୍ ଯୋଡ଼ିଥିଲେ। ଜାମିସନଙ୍କୁ ଠିକଣା ସହଯୋଗ ଦେଇ ବୋଲଟ୍‌, ସାଉଦି ୨-୨ ଏବଂ ୱାଗନର୍ ଗୋଟିଏ ୱିକେଟ୍ ନେଇଥିଲେ। ଭାରତୀୟ ବୋଲର କିନ୍ତୁ ଅପରାହ୍ନରେ ପାଇଥିବା ୨୩ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ପ୍ରାରମ୍ଭିକ ଯୋଡ଼ି ଟମ୍ ଲଥାମ (୨୭*, ୬୫ ବଲ୍‌) ଏବଂ ‌ଟମ୍ ବ୍ରେଣ୍ଡଲ୍ (୨୯*, ୭୩ ବଲ୍‌)ଙ୍କୁ ଅଲଗା କରିବାରେ ବିଫଳ ରହିଥିଲେ। ଘରୋଇ ଦଳ ଏବେ ହାତରେ ସମସ୍ତ ୧୦ ୱିକେଟ୍ ରଖି ୧୭୯ ରନ୍‌ ପଛରେ ରହିଛି। ଦଳକୁ ପ୍ରତ୍ୟାବର୍ତନ କରିଥିବା ଉମେଶ ଯାଦବ ଏବଂ ରବୀନ୍ଦ୍ର ଜାଦେଜା ପ୍ରଥମ ଦିବସରେ ବିଫଳ ହୋଇଛନ୍ତି।

ସ’ଙ୍କ ବିରଳ ସଫଳତା, ହଗ୍‌ଲେ ଓଭାଲ୍‌ରେ ଅର୍ଧଶତକ ଜମାଇବାରେ ସର୍ବକନିଷ୍ଠ
ଖ୍ରିଷ୍ଟଚର୍ଚ୍ଚ: ଯୁବ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ବୀ ସ ଶନିବାରଠୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ପ୍ରଥମ ଦିବସରେ ଅର୍ଧଶତକ ହାସଲ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଦ୍ବିତୀୟ ଟେଷ୍ଟ୍‌ ଅର୍ଧଶତକ। ଫଳରେ ଖ୍ରିଷ୍ଟଚର୍ଚ୍ଚର ହଗ୍‌ଲେ ଓଭାଲ୍‌ ପଡ଼ିଆରେ ଅର୍ଧଶତକ ଜମାଇବାରେ ସେ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ର ବିରଳ ସଫଳତା ହାତେଇଛନ୍ତି। ଶନିବାର ଅର୍ଧଶତକ ହାସଲ କରିବା ବେଳକୁ ସ’ଙ୍କୁ ୨୦ ବର୍ଷ ୧୧୨ ଦିନ ବୟସ ହୋଇଛି। ପୁଣି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର (୧୬ ବର୍ଷ, ୨୯୩ ଦିନ)ଙ୍କ ପରେ ଦ୍ବିତୀୟ ସର୍ବକନିଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଭାବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ୍‌ ଅର୍ଧଶତକ ହାସଲ କରିବାର ଗୌରବ ପାଇଲେ ସ’। ସଚିନ୍‌ ୧୯୯୦ରେ ନାପିଏର୍‌ ଟେଷ୍ଟ୍‌ରେ ଅର୍ଧଶତକ ଜମାଇଥିଲେ।

ସମ୍ବନ୍ଧିତ ଖବର