ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଦଳରେ କୁରାନ୍‌ ଭ୍ରାତା

୧୯ ବର୍ଷ ପରେ ଇଂଲଣ୍ଡ ଦଳରେ ପୁଣି ଦୁଇ ଭାଇ

ଲଣ୍ଡନ: ଆଗାମୀ ଅଷ୍ଟ୍ରେଲିଆ ଓ ଭାରତ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳା ପାଇଁ ଇଂଲଣ୍ଡ ତା’ର ଦଳ ଘୋଷଣା କରିଛି। ଆସନ୍ତା ୨୭ରୁ ଜୁଲାଇ ୮ ତାରିଖ ମଧ୍ୟରେ ଇଂଲଣ୍ଡ ୪ ମ୍ୟାଚ୍‌ ଖେଳିବ। ଘରୋଇ ଦଳ ୨୭ ତାରିଖରେ ଅଷ୍ଟ୍ରେଲିଆ ସହ ଖେଳିବା ପରେ ଜୁଲାଇ ୩, ୬ ଓ ୮ ତାରିଖରେ ଭାରତ ସହ ତିନିଟି ମ୍ୟାଚ୍‌ ଖେଳିବ। ଭାରତ ସହ ତିନିଟିଯାକ ମ୍ୟାଚ୍‌ ଯଥାକ୍ରମେ ଓଲ୍‌ଡ ଟ୍ରାଫୋର୍ଡ, କାର୍ଡିଫ୍‌ ଓ ବ୍ରିଷ୍ଟଲ୍‌ରେ ଖେଳାଯିବ। ଏଥିପାଇଁ ଇଓ୍ଵିନ୍‌ ମୋର୍ଗାନ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ୧୪ ଜଣିଆ ଦଳ ଘୋଷଣା କରିଛି। ଆଉ ଏହି ଦଳରେ ଦୁଇ କୁରାନ୍‌ ଭ୍ରାତା (ସାମ୍‌ ଓ ଟମ୍‌)ଙ୍କୁ ସ୍ଥାନ ମିଳିଛି। ଇଂଲଣ୍ଡ ପକ୍ଷରୁ ଏକାଠି କୌଣସି ଗୋଟିଏ ଦଳରେ ସାମିଲ ହେବାରେ କୁରାନ୍‌ ଭ୍ରାତା ୧୯ ବର୍ଷ ପରେ ପ୍ରଥମ ହୋଇଛନ୍ତି। ଯଦି ଉଭୟେ ଏକାଠି ମ୍ୟାଚ୍‌ ଖେଳନ୍ତି, ତେବେ ଇଂଲଣ୍ଡ ପାଇଁ ୧୯ ବର୍ଷ ବ୍ୟବଧାନ ପରେ ନୂଆ ଇତିହାସ ରଚିବେ। ଏହା ପୂର୍ବରୁ ଶେଷ ଦୁଇ ଭାଇ ଭାବେ ୧୯୯୯ ବିଶ୍ୱକପ୍‌ରେ ସିଡ୍‌ନି ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ହୋଲିଓକେ ଭ୍ରାତା ବେନ୍‌ ଓ ଆଦାମ୍‌ ଇତିହାସ ରଚିଥିଲେ। ସଂଯୋଗବଶତଃ ବେନ୍‌ ଓ ଆଦାମ୍‌ ହୋଲିଓକେ ଏବଂ କୁରାନ୍‌ ଭ୍ରାତା ସାମ୍‌ ଓ ଟମ୍‌ ସମସ୍ତେ ସରେ କାଉଣ୍ଟି ଦଳର ସଦସ୍ୟ। ଏବେ ଦୁଇ ଦ୍ରୁତ ବୋଲର କ୍ରିସ୍‌ ଓକ୍‌ସ ଏବଂ ବେନ୍‌ ଷ୍ଟୋକ୍‌ସ ଆହତ ଯୋଗୁଁ ଦଳରୁ ବାଦ୍‌ ପଡ଼ିଥିବାରୁ ତାଙ୍କ ବଦଳରେ କୁରାନ୍‌ ଭ୍ରାତା ଇଂଲଣ୍ଡ ଦଳରେ ଇତିହାସ ରଚିବାର ସୁଯୋଗ ରଖିଛନ୍ତି। ଅନ୍ୟପକ୍ଷରେ ସାମ୍‌ ବିଲିଙ୍ଗ୍‌ସ, ଡେଭିଡ୍‌ ମଲାନ୍‌, ଲିଆମ୍‌ ଡସନ୍‌ ଏବଂ ଜେମ୍‌ସ ଭିନ୍‌ସେଙ୍କୁ ଟେ୍ଵଣ୍ଟି-୨୦ ଦଳରେ ସ୍ଥାନ ମିଳିନଥିଲା ବେଳେ ମାର୍କ ଉଡଙ୍କୁ ବିଶ୍ରାମ ଦିଆଯାଇଛି।

ଇଂଲଣ୍ଡ ଦଳ: ଇଓ୍ଵିନ୍‌ ମୋର୍ଗାନ୍‌ (ଅଧିନାୟକ), ମୋଇନ୍‌ ଅଲ୍ଲୀ, ଜୋନାଥନ୍‌ ବେୟାରଷ୍ଟୋ, ଜାକ୍‌ ବାଲ୍‌, ଜୋସ୍‌ ବଟ୍ଟଲର୍‌, ସାମ୍‌ କୁରାନ୍‌, ଟମ୍‌ କୁରାନ୍‌, ଆଲେକ୍ସ ହେଲ୍‌ସ, କ୍ରିସ୍‌ ଜୋର୍ଡାନ୍‌, ଲିଆମ୍‌ ପ୍ଲଙ୍କେଟ୍‌, ଆଦିଲ ରସିଦ୍‌, ଜୋଏ ରୁଟ୍‌, ଜାସନ୍‌ ରୟ ଏବଂ ଡେଭିଡ୍‌ ଓ୍ଵିଲି।

ସମ୍ବନ୍ଧିତ ଖବର