ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା, ଗୁଆହାଟି ପହଞ୍ଚିଲା ଶ୍ରୀଲଙ୍କା ଦଳ

ଗୁଆହାଟୀ: ଆସନ୍ତା ୫ ତାରିଖରୁ ଭାରତ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ପାଇଁ ପୁରୁଖା ଦ୍ରୁତ ବୋଲର ଲସିତ୍‌ ମାଲିଙ୍ଗାଙ୍କ ନେତୃତ୍ବାଧୀନ ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଗୁରୁବାର ଗୁଆହାଟିରେ ପହଞ୍ଚିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ରାଜ୍ୟସାରା ବିକ୍ଷୋଭ ଚାଲିଥିବା ବେଳେ ସିଂହଳୀ ଦଳକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିମାନବନ୍ଦରରୁ ସିଧାସଳଖ ହୋଟେଲକୁ ନିଆଯାଇଥିଲା। ଅନ୍ୟପକ୍ଷରେ ଘରୋଇ ଭାରତୀୟ ଦଳର ସଦସ୍ୟମାନେ ଦଫା ଦଫା ହୋଇ ଶୁକ୍ରବାର ଏଠାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଉଭୟ ଦଳ ପାଇଁ ଶୁକ୍ରବାର ଅତିରିକ୍ତ ପ୍ରସ୍ତୁତି ବ୍ୟବସ୍ଥା ରଖାଯାଇଛି। ପ୍ରଥମେ ଶ୍ରୀଲଙ୍କା ଦଳ ଅଭ୍ୟାସ କରିବା ପରେ ସଂଧ୍ୟାରେ ଭାରତୀୟ ଦଳ ଅଭ୍ୟାସ କରିବ ବୋଲି ଆସାମ କ୍ରିକେଟ୍‌ ସଂଘ (ଏସିଏ) ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ସିଏଏକୁ ବିରୋଧ ଯୋଗୁଁ ଆସାମରେ କର୍ଫୁ ଜାରି ହୋଇଥିଲା। ଯେଉଁଥିପାଇଁ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ସାଙ୍ଗକୁ ୧୯ ବର୍ଷରୁ କମ୍‌ ମ୍ୟାଚ୍‌ ପ୍ରଭାବିତ ହୋଇଥିଲା। ତେବେ ଏବେ ପରିସ୍ଥିତିରେ ସୁଧାର ଆସିଛି। ସ୍ଥିତି ନିୟଂତ୍ରଣରେ ରହିଥିଲା ବେଳେ ପର୍ଯ୍ୟଟକମାନେ ମଧ୍ୟ ରାଜ୍ୟକୁ ଆସିବା ଆରମ୍ଭ କରିଛନ୍ତି। ଫଳରେ ଦେଶର ଅନ୍ୟ ସ୍ଥାନ ତୁଳନାରେ ଆସାମ ଏବେ ଅଧିକ ନିରାପଦ ରହିଛି। ରାଜ୍ୟ ସରକାର ମଧ୍ୟ ଭାରତ-ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ଷ୍ଟାଡିୟମ୍‌ର ମୋଟ ୩୯,୫୦୦ ଟିକେଟ ମଧ୍ୟରୁ ୨୭,୦୦୦ ବିକ୍ରି ହୋଇସାରିଲାଣି। ରାଜ୍ୟବାସୀ ମଧ୍ୟ ଏବେ ଖ୍ରୀଷ୍ଟମାସ ଓ ନୂଆ ବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି। ଏପରିକି ରାଜ୍ୟବାସୀଙ୍କ ନଜର ଏବେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଉପରକୁ ଯାଇଛି।

ସମ୍ବନ୍ଧିତ ଖବର