ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): ଦୁଇଟି ଦେଶକୁ ସଂପ୍ରସାରିତ ୨୮ ଦିନ ଓ ୫୪ ମ୍ୟାଚ୍‌ର କ୍ରିକେଟ୍‌ ଯୁଦ୍ଧ ପରେ ଫାଇନାଲ୍‌ ଟକ୍କର ପାଇଁ ସମର ସଜ୍ଜା ସରିଛି। ଫଟାଫଟ୍‌ କ୍ରିକେଟ୍‌ ମହାକୁମ୍ଭର ମହାମୁକାବିଲା ଲାଗି ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ମଞ୍ଚ ‘ନରେନ୍ଦ୍ର ମୋଦୀ କ୍ରିକେଟ୍‌ ଷ୍ଟାଡିୟମ୍‌’ ବି ପୂରା ପ୍ରସ୍ତୁତି ହୋଇ ରହିଛି। କେବଳ ଭାରତ କିମ୍ବା ଏସିଆ ମହାଦେଶ ନୁହେଁ, ସାରା ବିଶ୍ବର ପ୍ରଶଂସକ ଏହି ମହାଲଢ଼େଇକୁ ଢେର ଉଲ୍ଲସିତ ଅଛନ୍ତି। ରାତି ୭ଟାରୁ ଆରମ୍ଭ ହେବାକୁ ଥିବା ଶୁଭ ରବିବାରର ଏହି ଐତିହାସିକ ଟକ୍କର ଲାଗି ଦୁଇ ଫାଇନାଲିଷ୍ଟ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟ ମାନସିକ ଓ ଶାରୀରିକ ଭାବେ ନିଜକୁ ସଜାଡ଼ି ନେଇଛନ୍ତି। ଜୋରଦାର ଅଭ୍ୟାସ କରି ନିଜ ନିଜ ଶକ୍ତିକୁ ଆହୁରି ଶଣିତ କରିଛନ୍ତି। ଅହମଦାବାଦରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ ନେଇ ଅପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି।

Advertisment

ସମଗ୍ର ବିଶ୍ବର ନଜର ଯେମିତି ଏହି ଐତିହାସିକ ତଥା ପ୍ରତୀକ୍ଷିତ ମହାଲଢ଼େଇ ଉପରେ କେନ୍ଦ୍ରୀଭୂତ ହୋଇଛି। ଆଉ ମାତ୍ର କିଛି ଘଣ୍ଟା ପରେ ହିଁ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। କ୍ରିକେଟ୍‌ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଚେଷ୍ଟା କରିବେ। ଉଭୟ ଦଳ ପାଖରେ ଅଭିନବ ଓ ଅନନ୍ୟ ଇତିହାସ ରଚିବାର ସୁଯୋଗ ରହିବ। ଭାରତ ଜିିତିଲେ ଆ‌ୟୋଜକ ଦେଶ ଭାବେ ବିଶ୍ବକପ୍‌ ଜିତିବାର ବିରଳ ଗୌରବ ଗାଥା ଲେଖିବ। ସେହିଭଳି ଲଗାତାର ବିଶ୍ବକପ୍‌ ଜିତିବାର ଅସାଧାରଣ ସଫଳତାରକୁ ସାକାର କରିବ। ନ୍ୟୁଜିଲାଣ୍ଡ ଜିତିଲେ ପ୍ରଥମ ଥର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତିବାର ପ୍ରତୀକ୍ଷିତ ସ୍ବପ୍ନକୁ ପୂରଣ କରିବ। ଏହି ହାଇଭୋଲ୍‌ଟେଜ୍‌ ମୁକାବିଲା ପୂର୍ବର ରେକର୍ଡ କିନ୍ତୁ ଭାରତ ବିପକ୍ଷ‌ରେ ରହିଛି। କାରଣ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡକୁ କେବେବି ହରାଇନି ଟିମ୍‌ ଇଣ୍ଡିଆ। ୩ଥର ଭେଟି ସବୁଥର ପରାଜିତ ହୋଇଛି। ଏଣୁ ରବିବାର ବିଜୟୀ ହେଲେ କିୱି ଦଳଠାରୁ ପୂର୍ବର ସବୁ ପରାଜୟର ମଧୁର ପ୍ରତିଶୋଧ ବି ନେଇ ପାରିବ ସୂର୍ଯ୍ୟକୁମାର ଯାଦବଙ୍କ ଦକ୍ଷ ସେନା। ଭାରତୀୟ କ୍ରିକେଟ୍‌ ଦଳ ପାଖରେ ମଧ୍ୟ ୨୦୨୩ ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ପରାଜୟର ଦୁଃଖକୁ ଦୂର କରିବାର ସୁଯୋଗ ରହିବ। ୩ବର୍ଷ ତଳେ ଏହି ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଆଉ ଏକ ଏକଦିବସୀୟ ବିଶ୍ବକପ୍‌ ଜିତିବାର ସୁଯୋଗକୁ ହାତଛଡ଼ା କରିଥିଲା। .ଏଥର ସେହି ଭୁଲ୍‌ ନଦୋହରାଇବାକୁ ପ୍ରତିଶ୍ରୁତିବଦ୍ଧ ରହିବ।

ଏଥରର ଫାଇନାଲ୍‌ରେ ଦୁଇ ଦଳର ଯୁବ ଯୋଦ୍ଧା ସଞ୍ଜୁ ସାମସନ ଓ ଫିନ୍‌ ଆଲେନଙ୍କ ବ୍ୟାଟିଂ ପ୍ରମୁଖ ଆକର୍ଷଣ ହେବ। ଯଶପ୍ରୀତ୍‌ ବୁମ୍‌ରା ପୁଣି ଥରେ ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେବେ। ଅଭିଷେକ ଶର୍ମାଙ୍କ ଫ୍ଲସ୍‌ ସୋ’ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟୟ ବହୁଳ ବୋଲିଂ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଦୁଇଟି ଯାକ ଦଳ ବେଶ୍‌ ସନ୍ତୁଳିତ ‌ହୋଇଥିବାରୁ ଟକ୍କର ଜୋରଦାର ହେବ ବୋଲି ଆଶା କରାଯାଉଛି। ତେବେ ନ୍ୟୁଜିଲାଣ୍ଡ୍‌ ସ୍ପିନରମାନେ ହିଁ ଭାରତୀୟ ବ୍ୟାଟର୍‌ଙ୍କୁ ସର୍ବାଧିକ ପରୀକ୍ଷାରେ ପକାଇବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଲାଲ୍ ଓ କଳା ରଙ୍ଗର ମିଶ୍ରିତ ମାଟିରେ ପ୍ରସ୍ତୁତ ଏବଂ ସ୍ବଳ୍ପ ଟର୍ଣ୍ଣ ଓ ଅଧିକ ବାଉନ୍ସ ଭରା ପିଚ୍‌ରେ ମ୍ୟାଚ୍‌କୁ ଅଧିକ ରୋଚକ ଓ ରୋମାଞ୍ଚକ କରିବ ବୋଲି ଆଶା କରାଯାଉଛି।

ଟ୍ବେଣ୍ଟି-୨୦ରେ ଭାରତ-ନ୍ୟୁଜିଲାଣ୍ଡ

  • ମୋଟ ମ୍ୟାଚ୍‌: ୩୦
  • ଭାରତ ବିଜୟୀ: ୧୮
  • ନ୍ୟୁଜିଲାଣ୍ଡ ବିଜୟୀ: ୧୧

ବିଶ୍ବକପ୍‌ରେ ଭାରତ-ନ୍ୟୁଜିଲାଣ୍ଡମୋଟ ମ୍ୟାଚ୍‌: ୩

  • ଭାରତ ବିଜୟୀ: ୦
  • ନ୍ୟୁଜିଲାଣ୍ଡ ବିଜୟୀ: ୩

ଅହମଦାବାଦରେ ଦୁଷ୍ଟିଦୂର ପୂଜା

ଅହମଦାବାଦ ଷ୍ଟାଡିୟମ୍‌ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ସେତେଟା ଶୁଭଙ୍କର ସାବ୍ୟସ୍ତ ହୋଇନି। ଏଠାରେ ଭାରତ ୨୦୨୩ ମସିହା ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ ହାରିଥିଲା। ଏଥରର ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ମ୍ୟାଚ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା। ଏଣୁ କେହିକେହି ଏହି ଷ୍ଟାଡିୟମ୍‌ ଭାରତୀୟ ଦଳ ପାଇଁ ପନୌତି ବା ଅଶୁଭ ଆଖ୍ୟା ଦିଅନ୍ତି।ସେଥିପାଇଁ ଅହମଦାବାଦର କ୍ରିକେଟ୍‌ପ୍ରେମୀ ଶନିବାର ଦୁଷ୍ଟି ଦୂର ପୂଜା କରିଛନ୍ତି। ବାସ୍ତୁ ଦୋଷ ସହ ନକାରାତ୍ମକ ଶକ୍ତି (ଦୁଷ୍ଟି) ଦୂର କରିବା ପାଇଁ ସେମାନେ ହନୁମାନ ଚାଳିଶା ପାଠ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଗାୟତ୍ରୀ ମନ୍ତ୍ର, ଗଙ୍ଗାଜଳ ସିଞ୍ଚନ ସହ ହନୁମାନ ମନ୍ଦିରରେ ପୂଜାକରିଥିଲେ। ଏହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଯାହାର ଭିଡିଓ ଏବେ ବେଶ୍ ରାଇରାଲ୍‌ ହେଉଛି। 

ମଦୁରାଇରେ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଭାରତ ବିଜୟ ପାଇଁ ପ୍ରଶଂସକମାନେ ତାମିଲନାଡୁର ମଦୁରାଇର ପେରିୟାବା ମନ୍ଦିରରେ ସ୍ବତନ୍ତ୍ର ପୂର୍ଜାର୍ଚ୍ଚନା କରିଛନ୍ତି। ଏହି ପୂଜାର୍ଚ୍ଚନା ସମୟରେ ସେମାନେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ପୂର୍ବକ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରିଥିଲେ। ସେହିଭଳି ଭଗବାନ ପେରିୟାବା ଏବଂ ତାଙ୍କ ରୌପ୍ୟ ପାଦୁକାଙ୍କୁ ହଳଦୀ ପାଣି, ପଞ୍ଚାମ୍ବୃତ, କ୍ଷିଣ, ଦହି, ଘିଅ, ମହୁ, ନଡ଼ିଆ ଜଳ, ଚନ୍ଦନ,ଆଗୁର ଆଦିରେ ଅଭିଷେକ କରାଯାଇଥିଲା। ପ୍ରଶଂସକମାନେ ମଧ୍ୟ ଭାରତୀୟ ଦଳର ଖେଳାଳିଙ୍କ ଫଟୋ ଥିବା ଏକ ଫ୍ଲେକ୍ସ ପ୍ଲାକାର୍ଡ ଧରି ଭଗବାନଙ୍କ ସମ୍ମୁଖରେ ସ୍ବତନ୍ତ୍ର ପୂଜା କରିଥିଲେ।