ପଦକ ମରୁଡ଼ି ଦୂର ଲକ୍ଷ୍ୟରେ ଭାରତ

ଟୋକିଓ ଗସ୍ତ ପୂର୍ବରୁ ପୁରୁଷ ହକି ଦଳର ଭର୍ଚୁଆଲ ସମ୍ମିଳନୀ

‌ଭୁବନେଶ୍ବର : ଚାରି ଦଶନ୍ଧି ହେବ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ପଦକ ଜିତିବାରେ ବିଫଳ ହୋଇଛି। ଶେଷ ଥର ଲାଗି ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସ ଗସ୍ତ ପୂର୍ବରୁ ଏହି ୪ ଦଶନ୍ଧିର ପଦକ ମରୁଡ଼ି ଦୂର କରବା ଲକ୍ଷ୍ୟ ରଖିଥିବା ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ ଶୁକ୍ରବାର ଆୟୋଜିତ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କ‌ରୋନା ମହାମାରୀ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ‌ଖେଳାଳିମାନେ ପ୍ରାୟତଃ ପ୍ରତିଯୋଗିତାମୂଳକ ଅଭ୍ୟାସ ସୁଯୋଗରୁ ବଞ୍ଚିତ ‌ହୋଇଛନ୍ତି। ‌କରୋନା ଯୋଗୁଁ ଖେଳିମାନଙ୍କ ମାନସିକ ସ୍ଥିରତାକୁ ନେଇ ରିଡ୍‌ ଚିନ୍ତିତ ଥିଲା ବେଳେ ଏହା ଭାରତୀୟ ଦଳର ଅଲିମ୍ପିକ୍‌ ଲକ୍ଷ୍ୟ ଉପରେ ପ୍ରଭାବ ପକାଇବାର ଆଶା ବ୍ୟକ୍ତ କରିଛନ୍ତି। ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତ ପୁଲ୍‌-ଏ’ରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ସ୍ପେନ୍‌, ନ୍ୟୁଜିଲାଣ୍ଡ ଏବଂ ଆୟୋଜକ ଜାପାନ ସହ ରହିଛି। ଜୁଲାଇ ୨୪ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରୁ ୮ ସ୍ବର୍ଣ୍ଣ ପଦକ ବିଜେତା ଭାରତ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବ।

ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ସନ୍ତୁଳିତ: ରିଡ୍‌
‘‘ଆମେ ଏକ ଭଲ ଦଳ ନେଇ ଟୋକିଓ ଯାଉଛୁ। ଏହି ଦଳ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ନେଇ ଖୁବ୍‌ ସନ୍ତୁଳିତ ରହିିଛି। ଟୋକିଓରେ ଆମେ ୪ ଦଶନ୍ଧି ଧରି ଅଲିମ୍ପିକ୍ସ ପଦକ ମରୁଡ଼ିର ଅବସାନ ଘଟାଇବା ଲକ୍ଷ୍ୟ ରଖିଛୁ। ମହାମାରୀ କରୋନା ଖେଳାଳିଙ୍କ ମାନସିକତା ଉପରେ ପ୍ରଭାବ ପକାଇଛି। ହେଲେ ମୁଁ ଭାବୁଛି ଭାରତୀୟମାନେ କିଭଳି ମାନିସିକ ସ୍ଥିରତା ରଖିପାରିବେ ତାହା ଜାଣିପାରୁନାହାନ୍ତି। ସେମାନେ କେତେ ଦୃଢ଼ ତାହା ମଧ୍ୟ ଜଣାନ୍ତିନି। ପ୍ରତିଯୋଗିତା ପାଇଁ ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ମୁଁ ଏହାକୁ ଅଣଦେଖା କରେନି। ଯାହା ଅଲିମ୍ପିକ୍‌ ଅଭିଯାନ ଉପରେ ପ୍ରଭାବ ପକାଇବ। ଏଥିପାଇଁ ସବୁବେଳେ ଖେଳିଳିମାନଙ୍କୁ ସାନ୍ତ୍ବନା ଦେଇଥାଏ’’ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।

ବେଙ୍ଗାଲୁରୁରେ ଆମେ ଜୈବ ବଳୟରେ ରହି ଜୋରଦାର ଅଭ୍ୟାସ କରିଥିଲୁ। ଯାହା ଟୋକିଓରେ ଆମକୁ ସହଯୋଗ କରିବ। ସୁଟ୍‌ଆଉଟ୍‌ରେ ଥିବା ଆମ ଅସୁବିଧାକୁ ତାଲିମ ସମୟରେ ସମାଧାନ କରିଛୁ। ଉଭୟ ଆକ୍ରମଣାତ୍ମକ ଏବଂ ପ୍ରତିରକ୍ଷା ଉପରେ ଶ୍ରୀଜେସ ମଧ୍ୟ ‌କଠିନ କାମ କରିଛନ୍ତି। ପ୍ରଶିକ୍ଷକ ଭାବେ ଆଗାମୀ ଅଲିମ୍ପିକ୍ସରେ ନିଶ୍ଚିତ ଅଧିକ କାର୍ଯ୍ୟ କରିବାକୁ ଚାହିଁବି। ଏହି ସମୟରେ ଏଭଳି କାମ କରିଛୁ। ସେହି ଆତ୍ମବିଶ୍ବାସ ନେଇ ଟୋକିଓ ଗସ୍ତ କରିବୁ। ମାନସିକ ସ୍ଥିରତା ପାଇଁ ଆମେ ସବୁ ଖେଳାଳିଙ୍କ ଜୀବନୀକୁ ନେଇ ୧୦ ମିନିଟ୍‌ର ଭିଡିଓ କରିଥିଲୁ। ଫଳରେ ପ୍ରତ୍ୟେକ ଖେଳାଳି ପ୍ରତ୍ୟେକଙ୍କୁ ଜାଣିବାର ସୁଯୋଗ ପାଇଥିଲେ। ଏହାଦ୍ବାରା ବିଶେଷ କରି ଖେଳାଳିମାନଙ୍କୁ ମାନସିକ ସାହସ ଦେବାକୁ ଚେଷ୍ଟା କରିଥିଲୁ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ୧୨ ଦଳକୁ ଭଲ ଭାବେ ଜାଣିଛୁ। କିନ୍ତୁ ଗତ ଦୁଇ ବର୍ଷରେ କାନାଡ଼ାକୁ ଛାଡ଼ି ଅନ୍ୟ ଦଳଗୁଡ଼ିକୁ ଆମେ ହରାଇଛୁ। ହେଲେ କାନାଡ଼ା ବିପକ୍ଷରେ ଖେଳିବାର ସୁଯୋଗ ପାଇନୁ। ଅଲିମ୍ପିକ୍ସ ପୂର୍ବରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯଦି ଆମେ ଭଲ ଖେଳିବୁ ଏବଂ ୧୦୦ ପ୍ରତିଶତ ଦେବୁ ନିଶ୍ଚିତ ପଦକ ପାଇବୁ। ଆମକୁ ପ୍ରଥମେ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବା ଦରକାର। ତା’ପରେ ଫାଇନାଲ୍‌ ଚିନ୍ତା ବୋଲି ୫୭ ବର୍ଷୀୟ ରିଡ୍‌ କହିଛନ୍ତି।

ଆତ୍ମବିଶ୍ବାସ ସହ ଟୋକିଓ ଯିବୁ: ମନ୍‌ପ୍ରୀତ
ମୋ ପାଇଁ ଏହା ତୃତୀୟ ଅଲିମ୍ପିକ୍ସ। ଏଥିପାଇଁ ଉତ୍ସାହିତ ଅଛି। ଏଥର ମୋ ‌ଉପରେ ନେତୃତ୍ବ ଭାର ଥିବାରୁ ଦାୟିତ୍ବ ବଢ଼ିଯାଇଛି। ୨୦୨୦ ପୂର୍ବରୁ ଦଳ ଭଲ ଫର୍ମରେ ଥିଲା। କିନ୍ତୁ ଏବେ‌ କୋଭିଡ ଯୋଗୁଁ ସେତେଟା ପ୍ରତିଯୋଗିତା ମୂଳକ ଅଭ୍ୟାସ ପାଇନୁ। ହେଲେ ବେଙ୍ଗାଲୁରୁ ଜୈବ ବଳୟ ମଧ୍ୟରେ ପୂରା ଦଳ ଏକାଠି ଅଭ୍ୟାସ କରିଥିବାରୁ ନିଜର ଆତ୍ମବିଶ୍ବାସ ବଢ଼ାଇଛୁ। କରୋନାର ପ୍ରଥମ ଲହର ପରେ ଆମେ ଜର୍ମାନି ଓ ଇଂଲଣ୍ଡ ଗସ୍ତ କରି ସେଠାରେ ଉଭୟ ଦଳକୁ ହରାଇଛୁ। ଏଥିସହ ପ୍ରୋଲିଗ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲୁ। ଏହି ସବୁ ଆତ୍ମବିଶ୍ବାସ ଟୋକିଓରେ ସହାୟକ ହେବ। ହରମନ୍‌ପ୍ରିତ ସିଂହ, ବୀରେନ୍ଦ୍ର ଲାକ୍ରା, ରୂପୀନ୍ଦର ପାଲ୍‌ ସିଂହ ଏବଂ ଅନ୍ୟ ଅଭିଜ୍ଞ ଖେଳାଳି ଅଲିମ୍ପିକ୍ସ ପାଇଁ ଉତ୍ସାହିତ ଅଛନ୍ତି। ଆମ ପାଇଁ ପ୍ରତି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ରହିବ। ପ୍ରତିମ୍ୟାଚ୍‌ ଅନୁଯାୟୀ ଆମ‌ ଯୋଜନା ମଧ୍ୟ ଅଲଗା ରହିବ ବୋଲି ଅଧିନାୟକ ମନ୍‌ପ୍ରୀତ ସିଂହ ‌କହିଛନ୍ତି।

ଟୋକିଓ ପରିବେଶ ଅସୁବିଧା କରିବନି: ହରମନ୍‌ପ୍ରିତ
ଦ୍ବିତୀୟ ଥର ମୁଁ ଅଲିମ୍ପିକ୍ସରେ ଖେଳିବାକୁ ଯାଉଛି। ଏଥିପାଇଁ ଉତ୍ସାହିତ ରହିଛି। ୨୦୧୬ରେ ପ୍ରଥମ ଥର ଖେଳୁଥିବାରୁ ଟିକେ ନର୍ଭସ ଥିଲି ଏବଂ ଚାପ ବି କମ୍‌ ଥିଲା। ସେତେବେଳେ ଦଳର ଅଭିଜ୍ଞ ଖେଳାଳିମାନଙ୍କଠୁ ଶିଖିବାର ସୁଯୋଗ ମିଳିଥିଲା। ଏହା ସବୁ ମୋତେ ଭଲ ଖେଳିବା ଲାଗି ଉତ୍ସାହିତ କରିଥିଲା। ଏବେ ମୁଁ ଅଭିଜ୍ଞ ହୋଇଯାଇଛି। ଏଥିସହ ଦଳର ଉପଅଧିନାୟକ ଭଳି ଗୁରୁଦାୟିତ୍ବ ରହିଛି। ଏଥିପାଇଁ ମୋତେ ଟିକେ ସତର୍କ ହୋଇ ଖେଳିବାକୁ ପଡ଼ିବ। ସେଠାକାର ପରିବେଶକୁ ଲକ୍ଷ୍ୟ‌ରେ ରଖି ଆମେ ମଧ୍ୟାହ୍ନରେ ଅଭ୍ୟାସ କରିଛୁ। ‌ଯେଭଳି ‌ଟୋକିଓ ପରିବେଶରେ ଆମକୁ ଖେଳିବାରେ ଅସୁବିଧା ନ ହେବ ବୋଲି ଉପଅଧିନାୟକ ହରମନ୍‌ପ୍ରିତ ସିଂହ କହିଛନ୍ତି।

ଦାୟିତ୍ବ ବଢ଼ିଛି, ଭଲ କରିବାକୁ ଚେଷ୍ଟା କରିବି: ବୀରେନ୍ଦ୍ର
‌ଗତ ଅଲିମ୍ପିକ୍ସରେ ମୁଁ ଆହତ ଯୋଗୁଁ ଅଂଶଗ୍ରହଣ କରିପାରିନଥିଲି। କିନ୍ତୁ ଅଲିମ୍ପିକ୍ସ ପୂର୍ବରୁ ମୋତେ ଷଡ଼ରାଷ୍ଟ୍ରୀୟ ପ୍ରତିଯୋଗିତାରେ ସୁଯୋଗ ମିଳିଥିଲା। ହେଲେ ଫିଟ୍‌ ନଥିବାରୁ ଅଲିମ୍ପିକ୍ସ ଦଳରୁ ବାଦ୍‌ ପଡ଼ିଥିଲି। ବରିଷ୍ଠ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ପୂରା ସହଯୋଗ ‌ମୋତେ ମିଳିଥିଲା। ସେମାନଙ୍କ ଅଶ୍ବାସନା ଯୋଗୁଁ ସୁସ୍ଥ ହୋଇ ଖେଳିବାକୁ ସକ୍ଷମ ହୋଇଥିଲି। ଆସ୍ତେ ଆସ୍ତେ ମୁଁ ଆଘାତ ସମସ୍ୟାରୁ ମୁକୁଳିଥିଲି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବା ଲାଗି ପ୍ରାୟ ଦେଢ଼ ବର୍ଷ ଲାଗିଥିଲା। ଏବେ ଦ୍ବିତୀୟ ଥର ଲାଗି ଅଲିମ୍ପିକ୍ସ ଖେଳିବାକୁ ଯାଉଥିବାରୁ ବହୁତ ଖୁସି। ଦଳ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ସନ୍ତୁଳିତ ରହିଛି। ଉପଅଧିନାୟକ ସହ ବରିଷ୍ଠ ଖେଳାଳି ହୋଇଥିବାରୁ ଦାୟିତ୍ବ ବଢ଼ିଛି। ଗତ ଅଲିମ୍ପିକ୍ସରେ ଦଳର ପ୍ରଦର୍ଶନ ଭଲ ଥିଲା। ଗୋଟିଏ ବର୍ଷ ହେଲା ଦଳ ମଧ୍ୟ ଭଲ ‌କରି ଆସୁଛି। କରୋନା ପାଇଁ କିଛି ଅସୁବିଧା ହୋଇଛି। ଆମେ ଗତ ବର୍ଷ ‌ଅଲିମ୍ପିକ୍ସ ପାଇଁ ପୂରା ପ୍ରସ୍ତୁତ ହୋଇଥିଲୁ। କରୋନା ଯୋଗୁଁ ଏହା ଗୋଟିଏ ବର୍ଷ ଘୁଞ୍ଚିଗଲା। ଆରମ୍ଭରୁ ଆମକୁ ଟିକେ କଷ୍ଟ ଲାଗିଥିଲା। ହେଲେ ଗୋଟେ ବର୍ଷ ଆମର ତ୍ରୁଟି ସୁଧାରିବା ସମୟ ପାଇଥିଲୁ। ଏହି ସମୟରେ ବାଙ୍ଗାଲୋରରେ ଏକାଠି ହୋଇ ‌ଆମେମାନେ କଠିନ ଅଭ୍ୟାସ କରିଛୁ। ଏସବୁ ଆମକୁ ନିଶ୍ଚିତ ଫାଇଦା ଦେବ ବୋଲି ଉପଅଧିନାୟକ ବୀରେନ୍ଦ୍ର ଲାକ୍ରା କହିଛନ୍ତି।

ସମ୍ବନ୍ଧିତ ଖବର