ଶୃଙ୍ଖଳା ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଭାରତ, ଭାଇ ସପକ୍ଷରେ ମୁହଁ ଖୋଲିଲେ ହାର୍ଦିକ

ସିଡନି: ସମାନ ପ୍ରତିଦ୍ବନ୍ଦ୍ବୀ ସହ ସମାନ ପଡ଼ିଆରେ ଶୃଙ୍ଖଳା ସମ୍ମାନ ବଞ୍ଚାଇବା ପାଇଁ ରବିବାର ଖେଳିବ ଭାରତ। ସିଡନି କ୍ରିକେଟ୍ ଗାଉଣ୍ଡରେ ଅଷ୍ଟ୍ରେଲିଆ ନିକଟରୁ ୬୬ ରନ୍‌ରେ ହାରିଥିବା ଭାରତ ପାଇଁ ଏହି ୩ ମ୍ୟାଚ୍‌ ଶୃଙ୍ଖଳାରେ ସୁଯୋଗ କାଏମ ରଖିବାକୁ ରବିବାର ଜିତିବା ଅପରିହାର୍ଯ୍ୟ। ଶେଷ ଥର ପାଇଁ ୨୦୧୯ ଜାନୁଆରିରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପ୍ରଥମ ମ୍ୟାଚ୍‌ ହାରିଥିଲେ ମଧ୍ୟ ୨-୧ରେ ଶୃଙ୍ଖଳା ଜିତିଥିବାରୁ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛି କୋହଲି ସେନା। କେବଳ ଷ୍ଟିଭେନ ସ୍ମିଥ୍ ଓ ଡେଭିଡ୍‌ ୱାର୍ନରଙ୍କ ପ୍ରତ୍ୟାବର୍ତନ ନୁହେଁ ପ୍ରଥମ ପସନ୍ଦ ବୋଲିଂ ବାହିନୀ କମିନ୍ସ, ହାଜେଲଉଡ୍‌, ଷ୍ଟାର୍କ, ଜାମ୍ପାଙ୍କୁ ନେଇ ଘରୋଇ ଦଳ କିନ୍ତୁ ସେ ପରାଜୟର ପ୍ରତିଶୋଧ ନେବା ଆଶାରେ ରହିଛି। ଷଷ୍ଠ ବୋଲର କିମ୍ବା ଅଲ୍‌ରାଉଣ୍ଡର୍‌ ସମସ୍ୟା କାରଣରୁ ଭାରତ ଚିନ୍ତାରେ ଥିବାରୁ ସନ୍ତୁଳନ ରକ୍ଷା କରିବାକୁ କିଛି ପରିବର୍ତନ ସହ ରବିବାର ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ଲକ୍ଷ୍ୟରେ ରହିଛି।

କର ବା ମର ସ୍ଥିତିରେ ଥିବା ଭାରତ ପାଇଁ ୨୦ ଓଭର ପରବର୍ତୀ ପର୍ଯ୍ୟାୟରେ ବ୍ୟାଟିଂ ଲୟ ବଜାୟ ରଖିବାର ଆହ୍ବାନ ଆସିଛି। ଦିନିକିଆ ଶୃଙ୍ଖଳା ପରେ ଅବଶ୍ୟ ୩ ମ୍ୟାଚ୍‌ ଟି-୨୦ ଥିବାରୁ ବିବିଧ ଫର୍ମାଟ ଖେଳାଳିଙ୍କ ଗୁରୁତ୍ବ ରହିଛି। ଶେଷରେ ଟେଷ୍ଟ୍ କ୍ରିକେଟ୍‌ ଖେଳାଯିବ। ପରିସଂଖ୍ୟାନରୁ ଦେଖିଲେ ନିଜ ନିଜ ଶେଷ ୫ ଦିନିକିଆରୁ ଅଷ୍ଟ୍ରେଲିଆ ୪ ଜିତିଛି ଓ ଭାରତ ୪ ହାରିଛି। ରବିବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ (ଫର୍ମାଟର ଅନ୍ୟତମ ଶ୍ରେଷ୍ଠ ବୋଲର) ଏବଂ ଶ୍ରେୟସ ଆୟର୍ (ଦିନିକିଆରେ ଭଲ ହାରାହାରି ୪୬.୮୭)ଙ୍କ ଉପରେ ନିଶ୍ଚିତ ନଜର ରହିବ। ମାର୍କସ ‌ଷ୍ଟୋଇନିସ୍ ପ୍ରଥମ ଦିନିକିଆରେ ଆହତ ‌ହୋଇଥିବାରୁ ସେ‌ ଉପଲବ୍‌ଧ ନହେ‌ଲେ କାମେରନ୍ ଗ୍ରିନ୍‌ କିମ୍ବା ମୋଜେସ୍ ହେନରିକ୍ସଙ୍କ ଭଳି ସିମ୍ ବୋଲିଂ ଅଲରାଉଣ୍ଡର୍‌ ରହିଛନ୍ତି। ଭାରତ କିନ୍ତୁ ସ୍ପିନର୍‌ ୟୁଜବେନ୍ଦ୍ର ଚହଲଙ୍କୁ ବଦଳାଇବା ଯୋଜନାରେ ରହିଛି। କୁଲଦୀପ ତାଙ୍କ ସ୍ଥାନ ନେଇପାରନ୍ତି। ପେସ୍‌ ବୋଲିଂରେ ଟି ନଟରାଜନଙ୍କୁ ନଭଦୀପ ସୈନିଙ୍କ ବଦଳରେ ଖେଳାଇବା କଥା ମଧ୍ୟ ଭାରତ ବିଚାର କରୁଛି।

ପିଚ୍‌: ସିଡନିରେ ରବିବାର ପାଗ ଗରମ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅପରାହ୍ନରେ ଏହା ୪୦ ଡିଗ୍ରି ଛୁଇଁବା ସମ୍ଭାବନା ରହିଛି। ପିଚ୍‌ କିନ୍ତୁ ପ୍ରଥମ ଦିନିକିଆ ଭଳି ବ୍ୟବହାର କରିବ। ସ୍ପିନରଙ୍କୁ ଟର୍ନ ମିଳିବା ଛଡ଼ା ବୋଲରଙ୍କ ପାଇଁ ବିଶେଷ କିଛି ନାହିଁ।

ଭାରତ (ସମ୍ଭାବ୍ୟ ୧୧): ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର୍‌, କେଏଲ୍ ରାହୁଲ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଟି ନଟରାଜନ/ନଭଦୀପ ସୈନି, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ/କୁଲଦୀପ ଯାଦବ, ଯଶପ୍ରୀତ୍ ବୁମରା।

ଅଷ୍ଟ୍ରେଲିଆ (ସମ୍ଭାବ୍ୟ ୧୧): ଡେଭିଡ୍‌ ୱାର୍ନର, ଆରୋନ୍‌ ଫିଞ୍ଚ୍ (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲାବୁସାନ୍‌, ଆଲେକ୍ସ କ୍ୟାରି (ୱି‌କେଟରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ୍, କାମେରନ୍‌ ଗ୍ରିନ୍‌/ସିନ୍ ଆବୋଟ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍‌।

ସିଡନି: ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ର ଭାରତ ପାଳିରେ ସର୍ବାଧିକ ୯୦ ରନ୍ ସଂଗ୍ରହ କରିଥିବା ହାର୍ଦିକ ପାଣ୍ଡ୍ୟା ମଧ୍ୟ ପରାଜୟକୁ ନେଇ ବ୍ୟଥିତ ହୋଇଛନ୍ତି। ଭାରତ ଷଷ୍ଠ ବୋଲର ତଥା ଅଲରାଉଣ୍ଡର୍‌ ଅଭାବରୁ ହାରିଥିବା ହାର୍ଦିକ କହିଛନ୍ତି। ଏଥି ସହିତ ଅଲରାଉଣ୍ଡର୍ ସ୍ଥାନ ପାଇଁ ତାଙ୍କ ବଡ଼ ଭାଇ କୃନାଲ ପାଣ୍ଡ୍ୟା ଅସଲ ବିକଳ୍ପ ବୋଲି କହିଛନ୍ତି। ଅଧିନାୟକ ବିରାଟ କୋହଲି ଦଳ ପାଇଁ ଅଲରାଉଣ୍ଡର୍‌ ଆବଶ୍ୟକତା ପ୍ରସଙ୍ଗ ଉଠାଇଥିବା ବେଳେ ହାର୍ଦିକଙ୍କ ହାଲକା ସୁପାରିସ ମଧ୍ୟ ଚର୍ଚାକୁ ଆସିଛି। ‘‘୫ ଜଣ ବୋଲରଙ୍କୁ ନେଇ ଖେଳିବା ସବୁବେଳେ କଷ୍ଟସାଧ୍ୟ ହୋଇଥାଏ। ଜଣେ ବୋଲର ପାଇଁ ଖରାପ ଦିନ ବିତିଲେ ତାଙ୍କ କୋଟା ପୂର୍ଣ୍ଣ କରିବା ଅସୁବିଧା ‌ହୋଇଯାଏ। ଆମକୁ ଏବେ ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡ଼ିବ। ସମ୍ଭବତଃ ଭାରତ ପାଇଁ ଖେଳି ସାରିଥିବା ଜଣେ ଘରେ ବସି ରହିଛନ୍ତି।’’ ବୋଲି ୨୭ ବର୍ଷୀୟ ହାର୍ଦିକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ହାର୍ଦିକ ନିଜେ ଅଲରାଉଣ୍ଡର୍‌ ଭୂମିକା ତୁଲାଉଥ‌ିଲେ ମଧ୍ୟ ପିଠି ସମସ୍ୟା କାରଣରୁ ଗତବର୍ଷଠାରୁ କେବଳ ବ୍ୟାଟ୍‌ସମ୍ୟାନ୍ ଭାବେ ଖେଳୁଛନ୍ତି। ନିକଟ ଭବିଷ୍ୟତରେ ସେ ବୋଲିଂ କରିବା ଯୋଜନାରେ ନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିପାଇଁ କୃନାଲ ପାଣ୍ଡ୍ୟାଙ୍କ ସପକ୍ଷରେ ସେ ପରୋକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସ୍ପିନ୍‌ ବୋଲିଂ ଅଲରାଉଣ୍ଡର୍ କୃନାଲ ଭାରତ ପାଇଁ ୧୮ ଟି-୨୦ ଅନ୍ତର୍ଜାତୀୟ ଖେଳିସାରିଥିଲେ ମଧ୍ୟ ଦିନିକିଆରେ ସୁଯୋଗ ପାଇନାହାନ୍ତି। ହାର୍ଦିକ କିନ୍ତୁ ଶୁକ୍ରବାର ଦ୍ରୁତତମ ଭାରତୀୟ ଭାବେ ୧୦୦୦ ଦିନିକିଆ ରନ୍ ପୂର୍ଣ୍ଣ କରିଛନ୍ତି। ଏହି ଅବସରରେ ହାର୍ଦିକ କହିଛନ୍ତି ଖେଳ ଜୀବନ ପ୍ରାରମ୍ଭରେ ମୁଁ ବୋଲିଂ କରିବା ଯୋଜନାରେ ନ ଥିଲି। ସମୟ କ୍ରମେ ବୋଲିଂ କରିଥିଲି। ଏବେ ୧୦୦ ପ୍ରତିଶତ ନିଶ୍ଚିତ ‌ହେଲେ ବିଶ୍ବକପ୍‌ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଶୃଙ୍ଖଳାରେ ଆବଶ୍ୟକତା ପଡିଲେ ବୋଲିଂ କରିବି।

ସମ୍ବନ୍ଧିତ ଖବର