ବର୍ମିଂହାମ : ବର୍ମିଂହାମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟର ୨ୟ ଦିନରେ ଭାରତ ୫୮୭ ରନରେ ଅଲଆଉଟ ହୋଇଯାଇଛି । ଭାରତର ପ୍ରଥମ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁବମନ ଗିଲଙ୍କ ଦ୍ବିଶତକ । ସେ ୨୬୯ କରିଥିଲେ । ଶୁଭମନ ଗିଲ୍ ଗତ କାଲି ଅର୍ଥାତ ମ୍ୟାଚର ପ୍ରଥମ ଦିନରେ ନିଜର ଶତକ ପୂରଣ କରିଥିଲେ । ତେବେ ଆଜି ସେ ନିଜର ଇନିଂସକୁ ଆହୁରି ଆଗକୁ ନେଇ ଦ୍ବିଶତକ ପୂରଣ କରିଥିଲେ ଓ ଭାରତୀୟ ସ୍କୋରକୁ ଏକ ସୁଦୃଢ ସ୍ଥିତିକୁ ନେଇଯାଇଥିଲେ ।
ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ଓ ଯଶସ୍ବୀ ଜୟସ୍ବାଲ ଭଲ ଆରମ୍ଭ କରିଥିଲେ ବି ରାହୁଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ । କରୁନ ନାୟାର ୩୧ ରନ କରିଥିଲେ । ତେବେ ଜୟସ୍ବାଲ ଲଢୁଆ ବ୍ୟାଟିଂ କରି ୮୭ ରନ କରିଥିଲେ । ମାତ୍ର ଋଷଭ ପନ୍ତ ୨୫ ରନ ଓ ନୀତୀଶ ରେଡ୍ଡି ୧ ରନ କରି ଆଉଟ ହୋଇଥିଲେ । ତେବେ ଗିଲ୍ ଓ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜାଦେଜା ୮୯ ରନ ଓ ଓ୍ବାସିଂଟନ ସୁନ୍ଦର ୪୨ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ସୋଏବ ବସିର ୩ଟି ଓ୍ବିକେଟ ନେଇଥିବାବେଳେ କ୍ରିସ ଓକ୍ସ ଓ ଜୋସ୍ ଟଙ୍ଗ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।