ଲର୍ଡ୍ସ : ଐତିହାସିକ ଲର୍ଡ୍ସ ଷ୍ଟାଡିୟମଠାରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଣ୍ଡରସନ-ତେନ୍ଦୁଲକର ସିରିଜର ୩ୟ ଟେଷ୍ଟରେ ଭାରତ ନିଜର ପ୍ରଥମ ଇନିଂସରେ ୩୮୭ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ମଧ୍ୟ ପ୍ରଥମ ଇନିଂସରେ ୩୮୭ ରନରେ ଅଲଆଉଟ ହୋଇଥିବାରୁ ଉଭୟ ଦଳର ସ୍କୋର ସମାନ ରହିଛି । ଭାରତ ପକ୍ଷରୁ କେଏଲ ରାହୁଲ ଶତକ ଅର୍ଜନ କରିଥିବାବେଳେ ଋଷଭ ପନ୍ତ ୭୪ ରନ ଓ ରବୀନ୍ଦ୍ର ଜାଦେଜା ୭୨ ରନ କରିଥିଲେ । ସେହିପରି କରୁଣ ନାୟାର ୪୦ ରନ ଓ ନୀତୀଶ ରେଡ୍ଡି ୩୦ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ଓକ୍ସ ୩ଟି ଓ୍ବିକେଟ ନେଇଥିବାବେଳେ ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
ଇଂଲଣ୍ଡର ପ୍ରଥମ ଇନିଂସ :
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ଏକ ଭଲ ଆରମ୍ଭ କରିଥିଲେ ବି ଏକ ବଡ଼ ପାର୍ଟନରସିପ କରିପାରିନଥିଲେ । ଡକେଟ୍ ୨୩ ଓ କ୍ରାଉଲି ୧୮ ରନ କରିଥିଲେ । ତେବେ ଓଲି ପୋପ୍ ଓ ଜୋ ରୁଟଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ପୋପ୍ ୪୪ ରନ କରିଥିବାବେଳେ ରୁଟ୍ ଏକ ଲଢୁଆ ଶତକ ଅର୍ଜନ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୪୪ ରନ କରିଥିବାବେଳେ ଜେମି ସ୍ମିଥ ଓ ବ୍ରାଇଡନ କାର୍ସେ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୩୮୭ ରନ କରିଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିବାବେଳେ ନୀତୀଶ ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ବିକେଟ ନେଇଥିଲେ ।