ଈଶାନ୍ତଙ୍କୁ ୫, ଇଣ୍ଡିଜ୍‌ ୧୮୯/୮

ଆଣ୍ଟିଗୁଆ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍ ପ୍ରଥମ ପାଳିରେ ଭାରତର ୨୯୭ ରନ୍‌ ଜବାବରେ ଇଣ୍ଡିଜ୍ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ୍‌ରେ ୧୮୯ ରନ୍ କରିଛି। ଈଶାନ୍ତ ଶର୍ମାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ଚମତ୍କାର ପ୍ରତ୍ୟାବର୍ତନ କରିଛି। ଅଜିଙ୍କ୍ୟ ରାହାଣେଙ୍କ ପରି ଶୁକ୍ରବାର ସକାଳେ ରବୀନ୍ଦ୍ର ଜାଦେଜାଙ୍କ ଅର୍ଧଶତକ ହିଁ ଭାରତର ସମ୍ମାନ ରଖିଥିଲା। ବ୍ୟାଟିଂରେ ଭଲ ଭାଗୀଦାରି ଦେଇଥିବା ଈଶାନ୍ତ ବୋଲିଂରେ ନିଜ ୯୧ତମ ଟେଷ୍ଟ୍‌ରେ ନବମ ଥର ୫ ୱିକେଟ୍ ସଫଳତା ପାଇଛନ୍ତି।
ଶୁକ୍ରବାର ଭାରତର ଅସମାପ୍ତ ପାଳିକୁ ଋଷବ ପନ୍ତ୍‌ ଏବଂ ରବୀନ୍ଦ୍ର ଜାଦେଜା ଆରମ୍ଭ କରିଥିଲେ। ସକାଳର ତୃତୀୟ ଓଭରରେ ପନ୍ତ୍‌ଙ୍କୁ ରୋଚ୍‌ ଆଉଟ୍ କରି‌ ଦେଇଥିଲେ। ଫଳରେ ଭାରତ ୨୦୭/୭ରେ ପହଞ୍ଚିଥିଲା। ରବୀନ୍ଦ୍ର ଜାଦେଜା ୯ ନମ୍ବର ଈଶାନ୍ତ ଶର୍ମାଙ୍କୁ ସାଥି କରି ଅଷ୍ଟମ ୱିକେଟ୍‌ ପାଇଁ ୬୧ ରନ୍ ଯୋଡ଼ିବା ଭାରତକୁ ସମ୍ମାନଜନକ ସ୍କୋର୍ ଆଡକୁ ନେଇଥିଲା। ଈଶାନ୍ତ (୧୯, ୬୨ ବଲ୍‌)ଙ୍କୁ ସାନନ୍ ଗାବ୍ରିଏଲ୍‌ ବୋଲଡ୍‌ କରି‌ ଏହି ଭାଗୀଦାରିକୁ ଅଲଗା କରିଥିଲେ। ମହମ୍ମଦ ସାମି (୦)ଙ୍କୁ ରସ୍ତନ ଚେଜ୍‌ ନିଜ ବୋଲିଂରେ କ୍ୟାଚ୍‌ କରିଦେଇଥିଲେ। ଏହା ପରେ ଜାଦେଜା (୫୮, ୧୧୨ ବଲ୍‌, ୬‌ ଚୌକା, ୧ ଛକା) ଦ୍ରୁତ ବ୍ୟାଟିଂ କରି ନିଜ ଅର୍ଧଶତକ ହାସଲ କରିଥିଲେ। ଯଶପ୍ରୀତ ବୁମରା (୪*, ୧୫ ବଲ)ଙ୍କ ସହ ଶେଷ ୱିକେଟ୍‌ ଲାଗି ଜାଦେଜା ୨୯ ରନ୍ ଯୋଡ଼ିବା ମଧ୍ୟ ଭାରତକୁ ଭଲ ସ୍ଥିତି ଆଡକୁ ନେଇଥିଲା।
ଜବାବରେ ଇଣ୍ଡିଜ୍ ଦ୍ରୁତ ଆରମ୍ଭ କରିଥିଲା। ପ୍ରଥମ ପରିବର୍ତନରେ ଆସି ମହମ୍ମମ ସାମି ପ୍ରଥମ ଓଭରରେ କ୍ୟାମ୍ପବେଲ୍‌ଙ୍କୁ ବୋଲ୍‌ଡ କରି ଦେଇଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍‌ (୧୪)ଙ୍କୁ ଈଶାନ୍ତ ଶର୍ମା ନିଜ ବୋଲିଂରେ କ୍ୟାଚ୍‌ କରି ନେଇଥିଲେ। ପ୍ରଥମ ପଦାର୍ପଣକାରୀ ସାମରା ବ୍ରୁକ୍ସ (୧୧, ୩୬ ବଲ) ରବୀନ୍ଦ୍ର ଜାଦେଜାଙ୍କ ବୋଲିଂରେ ସ୍ଲିପ୍‌ରେ ରାହ‌ାଣେଙ୍କୁ କ୍ୟାଚ୍‌ ଦେଇ ବସିଥିଲେ। ଚା’ପାନ ପରେ ଡାରେନ୍ ବ୍ରାଭୋ (୧୮)ଙ୍କୁ ବୁମରା ଏବଂ ରସ୍ତନ୍ ଚେଜ୍ (୪୮)ଙ୍କୁ ଈଶାନ୍ତ ଆଉଟ୍ କରି ଇଣ୍ଡିଜ୍‌କୁ ଚାପରେ ରଖିଥିଲେ। ଈଶାନ୍ତ ଶର୍ମା ଲଗାତାର ଓଭରରେ ସାଏ ହୋପ୍‌ (୨୪)ଙ୍କୁ ପନ୍ତ୍‌ଙ୍କ ଗ୍ଲୋଭସରେ ଏବଂ ହେଟମେୟର (୩୫)ଙ୍କୁ ନିଜ ବୋଲିଂରେ କ୍ୟାଚ୍‌ କରାଇ ସଫଳତମ ବୋଲର ସାବ୍ୟସ୍ତ ହୋଇଥିଲେ। କେମାର ରୋଚଙ୍କୁ କୋହଲିଙ୍କ ହାତରେ କ୍ୟାଚ୍ କରାଇ ଈଶାନ୍ତ ୫ ୱିକେଟ୍ ପୂର୍ଣ୍ଣ କରିଥିଲେ।

-ସଂକ୍ଷିପ୍ତ ସ୍କୋର-
ଭାରତ ପ୍ରଥମ ପାଳି: ୨୯୭। ‌ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୫୯ ଓଭରରେ ୧୮୯/୮ (ରସ୍ତନ ଚେଜ୍-୪୮, ଜନ୍ କ୍ୟାମ୍ପ୍‌ବେଲ୍‌-୨୩, ସାଏ ହୋପ୍‌-୨୪, ସିମରନ୍‌ ହେଟମେୟର-୩୫, ଈଶାନ୍ତ ଶର୍ମା-୫/୪୨, ଯଶପ୍ରୀତ୍ ବୁମରା-୧/୩୬, ମହମ୍ମଦ ସାମି-୧/୪୧, ରବୀନ୍ଦ୍ର ଜାଦେଜା-୧/୫୮)

ହୋପ୍‌ଙ୍କ ୫ ଶିକାର
ଚଳିତ ଟେଷ୍ଟ୍ ଅବସରରେ ୱେଷ୍ଟଇଣ୍ଡିଜ୍ ୱିକେଟରକ୍ଷକ ସାଏ ହୋପ୍‌ ୱିକେଟ ପଛପଟେ ୫ ଆଉଟ୍‌ (ଷ୍ଟମ୍ପିଂ ଓ କ୍ୟାଚ୍‌) କରିଛନ୍ତି। ସବୁଗୁଡ଼ିକ କ୍ୟାଚ୍‌ରେ ହାସଲ କରିଛନ୍ତି ହୋପ୍‌। ଭାରତ ବିପକ୍ଷରେ ଏଭଳି ୫ ଡିସମିସାଲ୍‌ ସଫଳତା ପାଇବାରେ ସାଏ ହୋପ୍‌ ଚତୁର୍ଥ ୱେଷ୍ଟଇଣ୍ଡିଜ୍ ଖେଳାଳି। ପୂର୍ବରୁ ଡେଭିଡ୍‌ ମରେ (ଦିଲ୍ଲୀ, ୧୯୭୮-୭୯), ଜେଫ୍‌ ଦୁଜନ (କିଙ୍ଗଷ୍ଟନ୍‌, ୧୯୮୨-୮୩) ଏବଂ ରିଡଲେ ଜ୍ୟାକବ୍ସ (ମୁମ୍ବାଇ, ୨୦୦୨-୦୩) ଏଭଳି ସଫଳତାର ଅଧିକାରୀ ଥିଲେ।

 

ସମ୍ବନ୍ଧିତ ଖବର