ନ୍ୟୁଜିଲାଣ୍ଡରେ ବିରାଟ କୋହଲିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି

ପ୍ରଥମ ଇନିଂସରେ ଭାରତ ୨୪୨ରେ ଅଲଆଉଟ୍‌ , ନ୍ୟୁଜିଲାଣ୍ଡ ୬୩/୦

ଖ୍ରୀଷ୍ଟଚର୍ଚ୍ଚ : ନ୍ୟୁଜିଲାଣ୍ଡର ଖୀଷ୍ଟଚର୍ଚ୍ଚଠାରେ ଶନିବାରଦିନ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୨ ରନରେ ଅଲଆଉଟ ହୋଇଯାଇଛି । ଷ୍ଟମ୍ସ ଅପସାରଣ ବେଳକୁ ନ୍ୟୁଜିଲାଣ୍ଡ କୌଣସି ଓ୍ଵିକେଟ ନହରାଇ ୬୩ ରନ କରିଛି ।
ତେବେ ଭାରତ ପାଇଁ ସବୁଠାରୁ ଚିନ୍ତାଜନକ କଥା ହେଉଛି ଅଧିନାୟକ ବିରାଟ କୋହଲୀଙ୍କ ଖରାପ ଫର୍ମ । ଆଜି ମଧ୍ୟ ସେ ମାତ୍ର ୩ ରନରେ ଆଉଟ ହୋଇଛନ୍ତି । ପ୍ରଥମ ଟେଷ୍ଟରେ ମଧ୍ୟ ସେ ଯଥାକ୍ରମେ ୨ ଓ ୧୯ ରନ କରିଥିଲେ ।

ଆଜି ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନ ଟସ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଓପନର ପୃଥ୍ଵୀ ଶାହ ୫୪ ରନ କରିଥିଲେ ମଧ୍ୟ ମୟଙ୍କ ଅଗ୍ରଓ୍ଵାଲ ମାତ୍ର ୭ ରନ କରି ପାଭିଲିୟନ ଫେରିଥିଲେ । ତେବେ ଚେତେଶ୍ୱର ପୂଜାରା ମଧ୍ୟ ୫୪ ରନ କରି ଜେମିସନଙ୍କ ଶିକାର ହୋଇଥିଲେ । ଏହା ପରେ ଆସିଥିବା କୋହଲି ଓ ଅଜିଙ୍କ୍ୟ ରାହାଣେ ଯଥାକ୍ରମେ ୩ ଓ ୭ ରନ କରିଥିଲେ । ତେବେ ଏହା ପରେ ଆସିଥିବା ହନୁମା ବିହାରୀ ୫୫ ରନ କରିଥିଲେ । ତେବେ ଚିନ୍ତାଜନକ ବିଷୟ ହେଉଛି ଭାରତୀୟ ଦଳର ନିମ୍ନଭାଗ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୪୫ ରନ ଦେଇ ୫ ଓ୍ଵିକେଟ ନେଇଛନ୍ତି । ସେହିପରି ଟିମ ସାଉଦି ଓ ଟ୍ରେଣ୍ଟ ବୋଲଟ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର