ଐତିହାସିକ, ଲଜ୍ଜାଜନକ; ୩୬ ରନ୍‌ରେ ଭାରତ ଅଲ୍‌ଆଉଟ୍‌

କେହି ଦୁଇ ଅଙ୍କ ଛୁଇଁପାରିଲେନି, ଭାରତର ସର୍ବନିମ୍ନ ଟେଷ୍ଟ୍‌ ସ୍କୋ‌ର ୮ ୱିକେଟ୍‌ରେ ହାରିଲା

ଆଡିଲେଡ୍: ଭାରତୀୟ କ୍ରିକେଟର ୮୮ ବର୍ଷର ଇତିହାସରେ ଏମିତି କେବେ ଘଟି ନ ଥିଲା। ଅଷ୍ଟ୍ରେଲିଆର ଅଡେିଲେଡ୍‌ରେ ମାତ୍ର ୩୬ ରନ୍‌ରେ ତାସ୍‌ ଘର ଭଳି ଭୁଶୁଡ଼ିଗଲା ଭାରତୀୟ ଦଳର ଦ୍ବିତୀୟ ଇନିଂସ୍‌। କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ବି ଛୁଇଁପାରିଲେନି। ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଶନିବାର ଅବିଶ୍ବସନୀୟ ଆତ୍ମସମର୍ପଣର ଆଲୋଡ଼ା ଧାରା ସୃଷ୍ଟି କରି ‘ଗୋଲାପି ବଲ୍’ ଲଢ଼େଇକୁ ମାତ୍ର ଅଢ଼େଇ ଦିନରେ ହାରିଗଲା ଭାରତୀୟ କ୍ରିକେଟ୍ ଦଳ। ଟେଷ୍ଟ କ୍ରିକେଟରେ ଏହା ଥିଲା ଭାରତର ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୭୪ ମସିହାରେ ଇଂଲଣ୍ଡ ଗସ୍ତରେ ଯାଇଥିବା ଅଜିତ ୱାଦେକରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଲର୍ଡ଼ସ ଟେଷ୍ଟର ଦ୍ବିତୀୟ ପାଳିରେ ୪୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ତେଣୁ ତା’ଠାରୁ ବି ଖରାପ ବ୍ୟାଟିଂ କରି ଭାରତର ଏଭଳି ଲଜ୍ଜାଜନକ ପରାଜୟ କେବଳ କ୍ରିକେଟ୍ ପଣ୍ଡିତଙ୍କୁ ବିସ୍ମିତ କରିନି, ସାଧାରଣ କ୍ରିକେଟ୍‌ପ୍ରେମୀଙ୍କୁ ବି ଆଶ୍ଚର୍ଯ୍ୟଚକିତ କରିଛି। ସମସ୍ତେ ଯେମିତି ପୂରା ହତବାକ୍? କ’ଣ ହେଲା, କାହିଁକି ହେଲା? ‌କେହି ଏବେ ବି କିଛି ବୁଝିପାରୁନାହାନ୍ତି।

ଆଜି ସକାଳୁ କଙ୍ଗାରୁ ବୋଲର ଆଣିଥିବା ଅଦିନିଆ ଓ ଭୟଙ୍କର ବୋଲିଂ ବଢ଼ିରେ ଅଚାନକ ବୁଡ଼ି ନିଜ ଟେଷ୍ଟ୍ ଇତିହାସର ସର୍ବନିମ୍ନ ଦଳଗତ ସ୍କୋର କରିଥିଲା ଟିମ୍ ଇଣ୍ଡିଆ। ଦ୍ବିତୀୟ ପାଳିରେ ଭାରତ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ହେବା ପରେ ଗୋଲାପି ବଲ୍‌ରେ ଆଜି ପର୍ଯ୍ୟନ୍ତ ଅପରାଜିତ ରହିଥିବା ଅଷ୍ଟ୍ରେଲିଆ ସମ୍ମୁଖରେ ୯୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯାହାକୁ ୨ ୱିକେଟ୍ ବିନିମୟରେ ହାସଲ କରି ଚାରି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଥିଲା କଙ୍ଗାରୁ ଦଳ।

୮ ୱିକେଟ୍‌ର ଏହି ଐତିହାସିକ ଲଜ୍ଜାଜନକ ପରାଜୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବ ଜୀବନର ସବୁଠାରୁ ନିକୃଷ୍ଟ ପ୍ରଦର୍ଶନ ସହ କଳା ଦାଗ ହୋଇଥିଲା। କୋହଲି ବାହିନୀ କରିଥିବା ଦାୟିତ୍ବହୀନ, ବେପରୁଆ, ଅତି ସାଧାରଣ ଓ ଅତ୍ୟନ୍ତ ଦୁର୍ବଳ ବ୍ୟାଟିଂ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ କୌଣସି ଶକ୍ତ ଝଟ୍‌କା ଓ ଦାରୁଣ ଦୁଃଖଠାରୁ କିଛି କମ୍ ନଥିଲା। ମ୍ୟାଚ୍‌କୁ ଦୁଇ ଦିନ ଧରି ନିୟନ୍ତ୍ରଣରେ ରଖିବା ପରେ ତୃତୀୟ ଦିନରେ ଭାରତର ଏଭଳି ଆତ୍ମସମର୍ପଣ ସେମାନଙ୍କୁ ‌ଅତ୍ୟନ୍ତ ବ୍ୟଥିତ କରିଥିଲା। ଅସହାୟ ଭାବେ ସେମାନେ ମନର ବେଦନା ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ରାହୁଲ ଦ୍ରାବିଡ଼ ଓ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ଭରସାଯୋଗ୍ୟ ତଥା ଦାୟିତ୍ବ ସଂପନ୍ନ ପୂର୍ବତନ ଖେଳାଳିଙ୍କ ଖେଳକୁ ମନେ ପକାଇଛନ୍ତି। ଦୁଃଖ ଓ କୋହକୁ ସମ୍ଭାଳି ଅଧିନାୟକ କୋହଲି, ଆବେଗ ଓ ମନର ଭାବନାକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର ବୋଲି ମ୍ୟାଚ୍‌ ପର ସାକ୍ଷାତକାରରେ କହିଥିଲେ।

ସମ୍ବନ୍ଧିତ ଖବର