ସେମିରେ ଭାରତ ଓ ଆମେରିକା, ଉଜ୍‌ବେକିସ୍ତାନକୁ ୧୦-୦ରେ ହରାଇଲା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଚାଲିଥିବା ପୁରୁଷ ଏଫ୍‌ଆଇଏଚ୍‌ ସରିଜ୍‌ ଫାଇନାଲ୍ସରେ ଭାରତ ପୁଣି ଏକବଡ଼ ବିଜୟ ପାଇଛି। ସୋମବାର ଉଜ୍‌ବେକିସ୍ତାନକୁ ଏହି ଆୟୋଜକ ଦଳ ୧୦-୦ ଗୋଲ୍‌ରେ ପରାସ୍ତ କରି ଅପରାଜେୟ ସହ ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛି। ତେବେ ଉଜ୍‌ବେକିସ୍ତାନ ବିଜୟ ଶୂନ୍ୟ ରହି ପ୍ରତି‌ଯୋଗିତାରୁ ବିଦାୟ ନେଇଛି। ହ୍ୟାଟ୍ରିକ୍‌ ସଫଳତା ପାଇଥିବା ମନଦୀପ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତାଙ୍କୁ ଅତିଥି ଯୋଜନା, ସମନ୍ବୟ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୁରସ୍କାର ପ୍ରଦାନ କରିଥିଲେ।

କ୍ବାର୍ଟର୍‌-୧: ଭାରତ ୩, ଉଜ୍‌ବେକିସ୍ତାନ ୦
ଚତୁର୍ଥ ମିନିଟ୍‌ରେ ଭାରତ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା। ବରୁଣ କୁମାର ପେନାଲ୍‌ଟି କର୍ଣ୍ଣରରୁ ଗୋଲ୍‌ କରି ଭାରତକୁ ଆଗୁଆ କରିଥିଲେ। ଏହା ପରେ ଆକାଶଦୀପ ସିଂହ (୧୧ ମିନିଟ୍‌) ଏବଂ ଓଡ଼ିଆ ତାରକା ଅମିତ ରୋହିଦାସ (୧୫ ମିନିଟ୍‌) ‌ପେନାଲ୍‌ଟି କର୍ଣ୍ଣର ଜରିଆରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତକୁ ୩-୦ରେ ଅଗ୍ରଣୀ କରାଇଥିଲେ।

କ୍ବାର୍ଟର୍‌-୨: ଭାରତ ୪, ଉଜ୍‌ବେକିସ୍ତାନ ୦
ପ୍ରଥମ କ୍ବାର୍ଟର୍‌ ପରି ଦ୍ବିତୀୟ କ୍ବାର୍ଟର୍‌ରେ ଭାରତ ଅଧିପତ୍ୟ ଜାରି ରଖି ୪ ଗୋଲ୍‌ ଲଦି ଦେଇଥିଲା। ଏଥିରେ ୩ ଫିଲ୍ଡ ଓ ଗୋଟିଏ ପିସି ରହିଥିଲା। ୨୨ତମ ମିନିଟ୍‌ରେ ବରୁଣ ଓ ଆକାଶଦୀପ ଗୋଟିଏ ଲେଖାଏଁ ଫିଲ୍ଡ ଗୋଲ୍‌ ଦେଇ ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇଥିଲେ। ନୀଳକଣ୍ଠ ଶର୍ମା (୨୭ ମିନିଟ୍‌) ପିସି ଜରିଆରେ ଗୋଲ୍‌ ଦେଇଥିଲା ବେଳେ ମନଦୀପ ସିଂହ (୩୦ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ପ୍ରଥମାର୍ଧ ସୁଦ୍ଧା ୭-୦ରେ ଅଗ୍ରଣୀ ଦେଇଥିଲେ।

କ୍ବାର୍ଟର୍‌-୩: ଭାରତ ୧, ଉଜ୍‌ବେକିସ୍ତାନ ୦
ତୃତୀୟ କ୍ବାର୍ଟର୍‌ରେ ମାତ୍ର ଗୋଟିଏ ଗୋଳ୍‌ ହୋଇଥିଲା ଶେଷ ମିନିଟ୍‌ରେ ଗୁରସାହିବଜିତ୍‌ ସିଂହ (୪୫ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ ପାଇଁ ଏହି କ୍ବାର୍ଟର୍‌ ‌ଗୋଲ୍‌ ଶୂନ୍ୟତାରୁ ମୁକୁଳିଥିଲା।

କ୍ବାର୍ଟର-୪: ଭାରତ ୨, ଉଜ୍‌ବେକିସ୍ତାନ ୦
ଚତୁର୍ଥ ତଥା ଶେଷ କ୍ବାର୍ଟର୍‌ରେ ଆକାଶଦୀପ (୫୩ ମିନିଟ୍‌) ବ୍ୟକ୍ତିଗତ ଭାବେ ତୃତୀୟ ଗୋଲ୍‌ ଦେଇ ହ୍ୟାଟ୍ରିକ୍‌ ସଫଳତା ମୁଠାଇଥିଲେ। ମ୍ୟାଚ୍‌ର ଶେଷ ମିନିଟ୍‌ରେ ମନଦୀପ (୬୦ ମିନିଟ୍‌) ଦଳ ପାଇଁ ଦଶମ ଏବଂ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ଦୁଇଟି ଯାକ ‌ଫିଲ୍ଡ ଗୋଲ୍‌ରୁ ଆସିଥିଲା।

ପଏଣ୍ଟ୍‌ ବାଣ୍ଟିଲା ଜାପାନ
ଜାପାନ ସହ ପଏଣ୍ଟ୍‌ ବାଣ୍ଟି ଆମେରିକା ପୁଲ୍‌-ବି’ ଶୀର୍ଷ ଦଳ ଭାବେ ‌ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସୋମବାର ଜାପାନ୍‌ ଓ ଆମେରିକା ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିବାରୁ ଉଭୟ ଦଳ ପଏଣ୍ଟ୍‌ ବାଣ୍ଟିଥିଲେ। ଫଳରେ ଉଭୟ ଦଳ ସମାନ ଲେଖାଏଁ ୨ ବିଜୟ ଏବଂ ଗୋଟିଏ ଅମୀମାଂସିତ ରଖି ୭ ପଏଣ୍ଟ୍‌ ଲେଖାଏଁ ପାଇଛନ୍ତି। ହେଲେ ଗୋଲ୍‌ ବ୍ୟବଧାନରେ ଜାପାନ୍‌କୁ ପଛରେ ପକାଇ ଆମେରିକା ଗ୍ରୁପ୍‌-ବିର ଶୀର୍ଷ ଦଳ ‌ହୋଇଥିଲା। ଜାପାନ୍‌ ଦ୍ବିତୀୟ ଏବଂ ଦକ୍ଷିଣ ଆଫ୍ରିକ‌ା ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ୍‌ ପାଇ ତୃତୀୟ ସ୍ଥା‌ନରେ ରହି କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୋମବାର ଦ୍ବିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୬-୦ ଗୋଲ୍‌ରେ ମେକ୍ସିକୋକୁ ପରାସ୍ତ କରିଛି। ଏହି ପରାଜୟ ସହ ମେକ୍ସିକୋ ବିଜୟ ଶୂନ୍ୟ ରହି ପ୍ରତିଯୋଗିତାରୁ ବିଦାୟ ନେଇଛି।

କ୍ରସ ଓଭର ଲାଇନ୍ ଅପ୍‌ ଚୂଡ଼ାନ୍ତ
ଆୟୋଜକ ଭାରତ (ପୁଲ୍‌-ଏ) ଏବଂ ଆମେରିକା (ପୁଲ୍‌-ବି)ର ଶୀର୍ଷ ଦଳ ଭାବେ ସିଧାସଳଖ ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା ‌ବେଳେ ଉଭୟ ଗ୍ରୁପ୍‌ର ଦ୍ବିତୀୟ ଓ ତୃତୀୟ ଦଳ କ୍ରସ୍‌ ଓଭର ଖେଳି ଏହି ପର୍ଯ୍ୟାୟରେ ପହଞ୍ଚିବେ। ସୋମବାର ପୁଲ୍‌ ପର୍ଯ୍ୟାୟ ଶେଷ ହେବାପରେ କ୍ରସ୍‌ଓଭର ଲାଗି ଲାଇନ ଅପ୍‌ ଚୂଡ଼ାନ୍ତ ହୋଇଛି। ପୁଲ୍‌-ଏରୁ ରୁଷିଆ ଓ ପୋଲାଣ୍ଡ ଏବଂ ପୁଲ୍‌-ବିରୁ ଜାପାନ ଓ ଦକ୍ଷିଣ ଆଫ୍ରିକ‌ା କ୍ରସ୍‌ ଓଭରରେ ପହଞ୍ଚିଥିଲା ବେଳେ ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ଦୁଇ ପୁଲ୍‌ର ଶେଷ ଦଳ ଉଜ୍‌ବେକିସ୍ତାନ ଏବଂ ମେକ୍ସିକୋ ଖେଳିବେ। ବୁଧବାରର ସକାଳ ୮.୪୫ରେ ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ। ସଂଧ୍ୟା ୫ଟାରେ ପ୍ରଥମ କ୍ରସ ଓଭର ରୁଷିଆ ଓ ଦକ୍ଷିଣ ଆଫ୍ରିକା ଏବଂ ରାତି ୭ଟାରେ ଜାପାନ ଓ ପୋଲାଣ୍ଡ ମଧ୍ୟରେ ଦ୍ବିତୀୟ କ୍ରସ୍‌ ଓଭର ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର