କାନପୁର: ତୃତୀୟ ତଥା ନିଣ୍ଣାୟକ ଦିନିକିଆ ମ୍ୟାଚ୍ ଖେଳିବା ପାଇଁ ଉଭୟ ଘରୋଇ ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍ ଦଳ ଶୁକ୍ରବାର କାନପୁର ପହଞ୍ଚିଛନ୍ତି। ସ୍ଥାନୀୟ ଗ୍ରିନ୍ ପାର୍କ ଷ୍ଟାଡିୟମ୍ରେ ରବିବାର ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ଥର ଲାଗି ଗ୍ରିନ୍ ପାର୍କ ମଧ୍ୟ ଦିବାରାତ୍ର ମ୍ୟାଚ୍ ଆୟୋଜନ କରିବ। ଭାରତ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ୬ ଓ୍ଵିକେଟ୍ରେ ହାରି ଯାଇଥିଲା ବେଳେ ପୁନେରେ ଦ୍ୱିତୀୟ ମ୍ୟାଚ୍କୁ ସମାନ ବ୍ୟବଧାନ ୬ ଓ୍ଵିକେଟ୍ରେ ଜିତି ନେଇଥିଲା। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଉଭୟ ଦଳ ୧-୧ ସ୍ଥିତିରେ ରହିଥିବାରୁ କାନପୁରର ଗୁରୁତ୍ୱ ବଢିଯାଇଛି। ଏହି ଷ୍ଟାଡିୟମ୍ରେ ଅଧିକାଂଶ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି। ୨୦୧୬ରେ ଏଠାରେ ଏବର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। ଆଉ ସେହି ମ୍ୟାଚ୍ ଭାରତର ୫୦୦ତମ ଟେଷ୍ଟ ଥିଲା। କାନପୁର ପହଞ୍ଚିବା ପରେ ସର୍ବଦା ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥାଏ। ୨୦୧୬ରେ ଭାରତର ୫୦୦ତମ ଟେଷ୍ଟକୁ ସ୍ମରଣୀୟ କରିବା ପାଇଁ ଏକ ସ୍ୱତନ୍ତ୍ର କେକ୍ କଟାଯାଇଥିଲା। ଏଥର ଉଭୟ ଦଳର ଖେଳାଳିଙ୍କୁ ପୁଷ୍ପଗୁଚ୍ଛ ସହ ଗୋଟିଏ ଲେଖାଏଁ ସାଲ୍ ଉପହାର ଦେଇ ସ୍ୱାଗତ କରାଯାଇଥିଲା। ପୁନେ ମ୍ୟାଚ୍ ପୂର୍ବରୁ ପିଚ୍ ଫିକ୍ସିଂ ଅଭିଯୋଗରେ କ୍ୟୁରେଟର୍ଙ୍କୁ ନିଲମ୍ବିତ କରାଯାଇଥିବାରୁ ଗ୍ରିନ୍ ପାର୍କ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେଣୁ ପୁନେ ପିଚ୍ ବିବାଦରୁ ଶିକ୍ଷା ଲାଭ ପରେ ଉତ୍ତର ପ୍ରଦେଶ କ୍ରିକେଟ୍ ସଂଘ ପିଚ୍ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି। ଏଥିପାଇଁ ବିସିସିଆଇ କ୍ୟୁରେଟର୍ ତାପସ ଚାଟାର୍ଜୀ ପିଚ୍ ପ୍ରସ୍ତୁତି ପର୍ଯ୍ୟବେକ୍ଷଣ କରୁଛନ୍ତି। ଏପରିକି ବିନା ବୈଧ ପାସ୍ରେ କାହାରିକୁ ବି ପଡ଼ିଆକୁ ଯିବାକୁ ଅନୁମତି ଦିଆଯାଉନାହିଁ ବୋଲି ଉତ୍ତର ପ୍ରଦେଶ ସଂଘର କାର୍ଯ୍ୟକାରୀ ସଂପାଦକ ଯୁଦ୍ଧବୀର ସିଂହ ସ୍ପଷ୍ଟ କରିଛନ୍ତି। ଗ୍ରାଉଣ୍ଡ୍ସମ୍ୟାନ୍ଙ୍କୁ ମଧ୍ୟ କାହାରି ନିକଟରେ ପିଚ୍ର ପ୍ରକୃତି ସଂପର୍କରେ କିଛି ବି କହିବାକୁ ବାରଣ କରାଯାଇଛି।
କାନପୁର ପହଞ୍ଚିଲେ ଭାରତ ଓ ନ୍ୟୁଜିଲାଣ୍ଡ୍ ଦଳ
/sambad/media/post_attachments/wp-content/uploads/2017/10/3-kohli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)