ଭୁବନେଶ୍ବର: ଏଫ୍ଆଇଏଚ୍ ପ୍ରୋ ଲିଗ୍ର ରାଉରକେଲା ପର୍ଯ୍ୟାୟରେ ଖେଳିଥିବା ଚାରିଟି ଯାକ ମ୍ୟାଚ୍ ହାରି ଲଜ୍ଜିତ ହୋଇଥିବା ଭାରତୀୟ ହକି ସମ୍ମୁଖରେ ଆଉ ଏକ ମସ୍ତବଡ଼ ଆହ୍ବାନ ଉପନୀତ ହୋଇଛି। ଭାରତୀୟ ଦଳ ଏହି ସମ୍ମାନଜନକ ପ୍ରତିଯୋଗିତାର ଅଷ୍ଟ୍ରେଲୀୟ ଲେଗ୍ରେ ଆୟୋଜକ ତଥା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ୟୁରୋପୀୟ ଶକ୍ତି ସ୍ପେନ୍ର ମୁକାବିଲା କରିବାକୁ ଯାଉଛି। ଏହି ଲେଗ୍ ଚଳିତ ମାସ ୨୦ରୁ ୨୫ ତାରିଖ
ଯାଏଁ ଅଷ୍ଟ୍ରେଲିଆର ହୋବର୍ଟସ୍ଥିତ ତାସମାନିଆ ହକି ସେଣ୍ଟରଠାରେ ଖେଳାଯିବ। ଏଥିଲାଗି ହକି ଇଣ୍ଡିଆ ମଙ୍ଗଳବାର ୨୪ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଘୋଷିତ ଦଳରେ ଓଡ଼ିଶାର ତିନି ତାରକା ଅମିତ ରୋହିଦାସ, ଅମନଦୀପ ଲାକ୍ରା ଓ ଶିଳାନନ୍ଦ ସ୍ଥାନ ବଜାୟ ରଖିଛନ୍ତି। ହେଲେ ରାଉରକେଲାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋଶନ କୁଜୁର ଓ ରକ୍ଷଣଭାଗ ଖେଳାଳି ନୀଲମ ସଂଜୀପ ଖେସ୍ ବାଦ୍ ପଡ଼ିଛନ୍ତି। ଅନ୍ୟଏକ ଉଲ୍ଲେଖନୀୟ ଘଟଣାକ୍ରମେ ନିୟମିତ ଅଧିନାୟକ ହର୍ମନ୍ପ୍ରୀତ୍ ସିଂହ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଗସ୍ତରୁ ଓହରି ଯାଇଛନ୍ତି। ଫଳରେ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ହାର୍ଦିକ ସିଂହ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ସନ୍ତୁଳିତ ଭାରତୀୟ ଦଳର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ହାର୍ଦିକ ୨୦୨୦ ଟୋକିଓ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ।
ଆହୁରି ପଢ଼ନ୍ତୁ: AI: ବିଶ୍ୱ ଆଜି ଭାରତର ଦ୍ରୁତ ଏଆଇର ବ୍ୟବହାରକୁ ଲକ୍ଷ୍ୟ କରୁଛି: ଧର୍ମେନ୍ଦ୍ର
ଏହି ଶୃଙ୍ଖଳାରୁ ଭାରତୀୟ ଦଳ ଚଳିତବର୍ଷ ଶେଷ ଆଡ଼କୁ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ା ଓ ପୁରୁଷ ହକି ବିଶ୍ବକପ୍ ଲାଗି ପ୍ରସ୍ତୁତି ଆରମ୍ଭ କରିବ ବୋଲି କହିଛି ହକି ଇଣ୍ଡିଆ। ୪ବର୍ଷର ବ୍ୟବଧାନ ପରେ ଅଗ୍ରଭାଗ ଖେଳାଳି ମନୀନ୍ଦର ସିଂହ ମଧ୍ୟ ଜାତୀୟ ଦଳକୁ ଫେରିଛନ୍ତି। ଶେଷ ଥର ଲାଗି ସେ ୨୦୨ ହିରୋ ଏସିଆ କପ୍ରେ ୬ଟି ମ୍ୟାଚ୍ ଖେଳିଥିଲେ। ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲ୍ଟନ୍ କହିଛନ୍ତି, ରାଉରେକଲା ପର୍ଯ୍ୟାୟର ଫଳାଫଳକୁ ନେଇ ଆମେ ଅତ୍ୟନ୍ତ ମର୍ମାହତ। ସେଠାରେ ଫଳାଫଳ ଆମ ସପକ୍ଷରେ ଗଲାନି। ହୋବର୍ଟରେ ଆମେ ରାଉରକେଲାରେ କରିଥିବା ତ୍ରୁଟି ଓ ବିଚ୍ୟୁତିକୁ ଦୂର କରିବାକୁ ଲକ୍ଷ୍ୟ ରଖିଛୁ।
ଭାରତୀୟ ଦଳ: ଗୋଲ୍ରକ୍ଷକ-ସୂରଜ କେର୍କେରା, ମୋହିତ ହନେନହାଲି ଶଶିକୁମାର। ରକ୍ଷଣଭାଗ- ଅମିତ ରୋହିଦାସ, ଜର୍ମନପ୍ରୀତ୍ ସିଂହ, ଯୁଗରାଜ ସିଂହ, ସଂଜୟ, ସୁମିତ, ଅମନଦୀପ ଲାକ୍ରା, ଯଶଦୀପ୍ ସିୱାଚ, ପୁଭାନ୍ନା ଚନ୍ଦୁର ବବି। ମଧ୍ୟଭାଗ- ରାଜୀନ୍ଦର ସିଂହ, ମନମୀତ ସିଂହ, ବିବେକ ସାଗର ପ୍ରସାଦ, ହାର୍ଦିକ ସିଂହ (ଅଧିନାୟକ), ମୋଇରଙ୍ଗଥେମ ରବିଚନ୍ଦ୍ର ସିଂହ, ବିଷ୍ଣୁକାନ୍ତ ସିଂହ, ରାଜ କୁମାର ପାଲ। ଅଗ୍ରଭାଗ- ଅଭିଷେକ, ଶିଳାନନ୍ଦ ଲାକ୍ରା, ମନଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ଆଦିତ୍ୟ ଅର୍ଜୁନ ଲଲାଗେ, ଅଙ୍ଗଦବୀର ସିଂହ, ମହୀନ୍ଦର ସିଂହ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/17/17bbs_40_17022026_112-2026-02-17-19-07-40.jpg)