ଭାରତରେ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ବର୍ଷ (୨୦୨୨) ଭାରତରେ ହେବାକୁଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ ୨୦୨୨ ଲାଗି ଶୁକ୍ରବାର ତାରିଖ ଘୋଷିତ ହୋଇଛି। ଏହି ଯୁବ ବିଶ୍ବକପ୍‌ ୧୧ ଅକ୍ଟୋବରରୁ ଆରମ୍ଭ ହୋଇ ୩୦ ଅକ୍ଟୋବରରେ ଶେଷ ହେବ। ଶୁକ୍ରବାର ଫିଫା ପରିଷଦ ଏହି ତାରିଖରେ ମୋହର ମାରିଛି। ଫିଫାର ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ଭାରତ ଦ୍ବିତୀୟ ଥର ଲାଗି ଆୟୋଜନ କରିବାକୁ ଯାଉଛି। ପୂର୍ବରୁ ଫିଫା ୧୭ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ୨୦୧୭ ଆୟୋଜନ କରିଥିଲା। ଯାହା ଫିଫା ଯୁବ ବିଶ୍ବକପ୍‌ ଇତିହାସରେ ସର୍ବାଧିକ ଦର୍ଶକଙ୍କ ଉପସ୍ଥିତିର କୀର୍ତ୍ତିମାନ ରଚିଥିଲା। ‘‘୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଭାରତ-୨୦୨୨ ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଘୋଷିତ ହୋଇଛି।

ପ୍ରତିଯୋଗିତା ପାଇଁ ଏହା ଏକ ନୂଆ ଆରମ୍ଭ। ସ୍ଥାନୀୟ ଆୟୋଜକ ସମିିତି (ଏଲ୍‌ଓସି) ଏଥିପାଇଁ କାର୍ଯ୍ୟ ଜାରି ରଖିଛି। ପୂର୍ବ ସଂସ୍କରଣ ସହିତ ଏହା ଆରମ୍ଭ ହୋଇସାରିଛି। କରୋନା ସ୍ଥିତିରେ ଉନ୍ନତି ଆସୁଥିବାରୁ ଆମେ ଯୋଜନା ମୁତାବକ ସମସ୍ତ ପୁରୁଣା କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିଛୁ। ଏହି ପ୍ରତି‌ଯୋଗିତା ମାଧ୍ୟମରେ ମହିଳା ଫୁଟ୍‌ବଲର ଅଭିବୃଦ୍ଧିର ଆଶା ରଖିଛୁ।’’ ବୋଲି ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ (ଏଆଇଏଫ୍‌ଏଫ୍‌) ସାଧାରଣ ସମ୍ପାଦକ କୁଶାଲ ଦାସ କହିଛନ୍ତି। ଭାରତରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ହେବ।

ସମ୍ବନ୍ଧିତ ଖବର