ଦୁବାଇ: ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ପୁଣି ଶୀର୍ଷ ସ୍ଥାନ ଦଖଲ କରିଛି। ୧୫ ମାସ ଧରି ବାର୍ଷିକ ମାନ୍ୟତାର ଶୀର୍ଷରେ ରହିଆସିଥିବା ଅଷ୍ଟ୍ରେଲିଆ ଏଥର ୬ ପଏଣ୍ଟ ହରାଇଛି। ପୂର୍ବରୁ ଅଷ୍ଟ୍ରେଲିଆର ରେଟିଂ ପଏଣ୍ଟ ୧୨୨ ଥିଲା ବେଳେ ଏବେ ୧୧୬କୁ ଖସିଯାଇଛି। ୨୦୨୦ ମେ’ରୁ ୨୦୨୨ ମେ’ ମାସ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ଶୃଙ୍ଖଳାଗୁଡ଼ିକର ଫଳାଫଳକୁ ୫୦ ପ୍ରତିଶତ ଓ ପରବର୍ତ୍ତୀ ଶୃଙ୍ଖଳାଗୁଡ଼ିକୁ ୧୦୦ ପ୍ରତିଶତ ଭାବେ ହିସାବକୁ ନେଇ ଏହି ମାନ୍ୟତା ତାଲିକା ପ୍ରକାଶିତ ହୋଇଛି। ଏହାଫଳରେ ପାକିସ୍ତାନ ବିପକ୍ଷରେ ୨-୦ ଘରୋଇ ଶୃଙ୍ଖଳା ବିଜୟ ଓ ନ୍ୟୁଜିଲାଣ୍ଡ ବିପକ୍ଷ ୩-୦ ଶୃଙ୍ଖଳା ବିଜୟର ବିଶେଷ ଫାଇଦା ଅଷ୍ଟ୍ରେଲିଆକୁ ମିଳିପାରିନାହିଁ। କେବଳ ଇଂଲଣ୍ଡ ବିପକ୍ଷରେ ୪-୦ ବିଜୟ ଦଳକୁ ରେଟିଂ ବଢାଇବାରେ ସହାୟକ ହୋଇଛି। ଅନ୍ୟପକ୍ଷରେ ଭାରତ ୨୦୧୯-୨୦ରେ ନ୍ୟୁଜିଲାଣ୍ଡଠୁ ୦-୨ ଶୃଙ୍ଖଳା ପରାଜୟର ମଧ୍ୟ ରେଟିଂ ଉପରେ କିଛି ପ୍ରଭାବ ପକାଇନାହିଁ। ଯେଉଁଥିପାଇଁ ଭାରତ ୨ ପଏଣ୍ଟ ଅଧିକ ପାଇ ୧୨୨ରେ ପହଞ୍ଚିଛି। ଶେଷ ଥର ପାଇଁ ଭାରତ ୨୦୨୧ ଡିସେମ୍ବରରେ ଶୀର୍ଷ ସ୍ଥାନରେ ରହିଥିଲା। ଏହାପରେ ଅଷ୍ଟ୍ରେଲିଆ ୪-୦ରେ ଇଂଲଣ୍ଡକୁ ହରାଇଥିଲା ବେଳେ ଭାରତ ୦-୨ରେ ଦକ୍ଷିଣ ଆଫ୍ରିକାଠୁ ପରାଜିତ ହେବାରୁ ଶୀର୍ଷ ସ୍ଥାନ ଅଦଳବଦଳ ହୋଇଯାଇଥିଲା।
ଲକ୍ଷ୍ନୌ: ଭାରତୀୟ ଦଳର ୱିକେଟ ରକ୍ଷକ-ବ୍ୟାଟର ତଥା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଅଧିନାୟକ କେଏଲ୍ ରାହୁଲ ଆହତ ହୋଇଛନ୍ତି। ସୋମବାର ଆର୍ସିବି ବିପକ୍ଷ ମ୍ୟାଚ୍ ଅବସରରେ ଏକ ଚୌକାକୁ ରୋକିବାକୁ ଯାଇ ତାଙ୍କ ଡାହାଣ ଜଙ୍ଘରେ ମାଂସପେଶୀ ଜନିତ ଆଘାତ ହୋଇଥିଲା। ଯେଉଁଥିପାଇଁ ତାଙ୍କୁ ଚାଲିବାରେ କଷ୍ଟ ହେଉଥିବା ଦେଖାଯାଇଥିଲା। ପରେ ଫିଜିଓ ଓ ସାଥୀ ଖେଳାଳିଙ୍କ ସହଯୋଗରେ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ତେବେ ଏହି ଆଘାତ କେତେ ଗୁରୁତର ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଲକ୍ଷ୍ନୌର ବ୍ୟାଟିଂ ଶେଷ ଆଡ଼କୁ ରାହୁଲ ଖେଳିବା ପାଇଁ ପଡ଼ିଆକୁ ଆସିଥିଲେ। ତେଣୁ ଏହି ଆଘାତ ସେତେ ଗୁରୁତର ହୋଇନଥିବା ଅନୁମାନ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିନାହିଁ। ଯଦି ତାଙ୍କ ଆଘାତ ଗୁରୁତର ହୁଏ, ତାହେଲେ ଡବ୍ଲୁଟିସି ଫାଇନାଲ୍ରେ ସେ ଖେଳିବା ନେଇ ଆଶଙ୍କା ରହିବ।