ଗାବ‌ା ବିଜୟରେ ଭାରତ ପ୍ରଥମ ଏସୀୟ ଦଳ, ୩୨ ବର୍ଷ ପରେ ଅଷ୍ଟ୍ରେଲିଆର ପ୍ରଥମ ପରାଜୟ

ବ୍ରିସ୍‌ବେନ୍‌: ଘଟଣାବହୁଳ ବ୍ରିସ୍‌ବେନ୍‌ ଟେଷ୍ଟ୍‌ର ସଂଖ୍ୟା ଖେଳ ଥିଲା ଏମିତି…
।୧୫: ମଙ୍ଗଳବାର ଶେଷ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍‌ ପୂର୍ବରୁ ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମ୍‌ରେ ଏସୀୟ ଦଳଗୁଡ଼ିକ ମୋଟ ୧୫ ଟେଷ୍ଟ୍‌ ଖେଳିଥିଲେ। ସେଥିରୁ ଏସୀୟ ଦଳଗୁଡ଼ିକ ୧୨ ହାରିଥିଲା ବେଳେ ୩ ଅମୀମାଂସିତ ରହିଥିଲା। ଫଳରେ ଭାରତ ପ୍ରଥମ ଏସୀୟ ଦଳ ଭାବେ ଗାବାରେ ବିଜୟ ବାନା ଉଡାଇଲା। ଏହା ପୂର୍ବରୁ ୨୦୦୭/୦୮ ଏହି ତାରିଖ (ଜାନୁଆରି ୧୯)ରେ ହିଁ ଅଷ୍ଟ୍ରେଲିଆକୁ ୱାକା (ପର୍ଥ)ରେ ପରାସ୍ତ କରିବାରେ ଭାରତ ପ୍ରଥମ ତଥା ଏକମାତ୍ର ଏସୀୟ ଦଳ ରହିଥିଲା। ଗାବାରେ ବିଜୟ ସ୍ବପ୍ନ ସାକାର ହୋଇଯାଇଥିଲା ବେଳେ ଏବେ କେବଳ ଏଜ୍‌ବାଷ୍ଟନ (ଇଂଲଣ୍ଡ) ଏକମାତ୍ର ଭେନ୍ୟୁ ରହିଛି ଯେଉଁଠାରେ କୌଣସି ଏସୀୟ ଦଳ ବିଜୟ ହାସଲ କରିପାରିନାହାନ୍ତି। ଏଜ୍‌ବାଷ୍ଟନରେ ଏପର୍ଯ୍ୟନ୍ତ ଏସୀୟ ଦଳଗୁଡ଼ିକ ମୋଟ ୧୭ ଟେଷ୍ଟ୍‌ ଖେଳିଛନ୍ତି।

। ୧୯୮୮: ଗାବା ଷ୍ଟାଡିୟମ୍‌ରେ ୩୨ ବର୍ଷ ପରେ ଘରୋଇ ଅଷ୍ଟ୍ରେଲିଆ ହାରିଲା ପୁଣି ଏଠାରେ ପ୍ରଥମ ପାଳି ଅଗ୍ରଣୀ ସତ୍ତ୍ବେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ପରାଜୟର ଖଟ‌ା ସ୍ବାଦ ଚାଖିଲା। ଶେଷଥର ପାଇଁ ଅଷ୍ଟ୍ରେଲିଆ ଏଠାରେ ୧୯୮୮ରେ ଟେଷ୍ଟ୍‌ ହାରିଥିଲା। ସେଥର ୱେଷ୍ଟ୍‌ଇଣ୍ଡିଜ୍‌ ହିଁ ମାତ୍‌ ଦେଇଥିଲା। ଏହାପରଠାରୁ ଗାବାରେ ଅଷ୍ଟ୍ରେଲିଆ ୩୧ ଟେ‌ଷ୍ଟ୍‌ ଖେଳି ୨୪ରେ ବିଜୟ ହାସଲ କରିଥିଲା ବେଳେ ଅବଶିଷ୍ଟ ୭କୁ ଅମୀମାଂସିତ ରଖିଥିଲା। ମଙ୍ଗଳବାର ଭାରତ ହିଁ ଅଷ୍ଟ୍ରେଲିଆର ଅପରାଜେୟ ଧାରା ଭାଙ୍ଗିଦେଲା। କେବଳ ପାକିସ୍ତାନ ହିଁ ଏକମାତ୍ର ଦଳ ଯିଏକି ନିଜ ଦେଶର ଗୋଟିଏ ଭେନ୍ୟୁରେ ଅଷ୍ଟ୍ରେଲିଆଠୁ ଅଧିକ ଟେଷ୍ଟ୍‌ରେ ଅପରାଜେୟ ଗୌରବ ନିଜ ପାଖରେ ରଖିଛି। ୧୯୫୫ରୁ ୨୦୦୦ ମଧ୍ୟରେ ପାକିସ୍ତାନ କରାଚିର ନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ଲଗାତାର ୩୪ ଟେଷ୍ଟ୍‌ରେ ଅପରାଜେୟ ରହିଥିଲା। ଅନ୍ୟପକ୍ଷରେ ୨୦୦୧ରେ କୋଲ୍‌କାତାରେ ଏବଂ ୨୦୦୮ରେ ପର୍ଥରେ ଭାରତ ହିଁ ଅଷ୍ଟ୍ରେଲିଆର କ୍ରମାଗତ ୧୬ ଟେଷ୍ଟ୍‌ ବିଜୟ ଧାରାକୁ ରୋକି ଦେଇଥିଲା।

। ୩୨୮: ଗାବାରେ ଭାରତ ଦ୍ବାରା ୩୨୮ ରନ୍‌ର ପଶ୍ଚାତ୍‌ଧାବନ ବିଜୟ କୌଣସି ଏକ ଟେଷ୍ଟ୍‌ର ଚତୁର୍ଥ ପାଳିରେ ତୃତୀୟ ସର୍ବାଧିକ। ଏହା ମଧ୍ୟ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ସର୍ବୋଚ୍ଚ ସଫଳ ପଶ୍ଚତ୍‌ଧାବନ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା (୪୧୪, ୨୦୦୮/୦୯) ଏବଂ ଇଂଲଣ୍ଡ (୩୩୨, ୧୯୨୮/୨୯) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।
। ୫: ପଞ୍ଚମ ଥର ପାଇଁ ଭାରତ ପ୍ରଥମ ଟେଷ୍ଟ୍‌ ହାରିବା ପରେ ପ୍ରତ୍ୟାବର୍ତନ କରି ଶୃଙ୍ଖଳା ଜିତିଲା। ୨୦୧୫ରେ ଶ୍ରୀଲଙ୍କାରେ ୨-୧ ବିଜୟ ପରେ ଦ୍ବିତୀୟ ଥର ପାଇଁ ବିଦେଶ ମାଟିରେ ଭାରତର ପ୍ରତ୍ୟାବର୍ତନ ଶୃଙ୍ଖଳା ବିଜୟ। ଶେଷଥର ପାଇଁ ଅଷ୍ଟ୍ରେଲିଆରେ କୌଣସି ଭ୍ରମଣକାରୀ ଦଳ ଭାବେ ୱେଷ୍ଟଇଣ୍ଡିଜ୍‌ (୧୯୯୨/୯୩) ୦-୧ ପଛୁଆ ରହିବା ପରେ ଶୃଙ୍ଖଳା କବ୍‌ଜା କରିବାର ସଫଳତା ପାଇଥିଲା।
। ୨: ଭାରତ ମଙ୍ଗଳବାର ଗାବା ଟେଷ୍ଟ୍‌ର ପଞ୍ଚମ ଦିବସରେ ୩୨୫ ରନ୍‌ କରିଥିଲା। ଏହାକୁ ବାଦ୍‌ ଦେଲେ ପଞ୍ଚମ ଦିବସରେ କୌଣସି ଦଳ ଏତେ ସ୍କୋର୍‌ କରିବା ଘଟଣା ୨ ଥର ଦେଖାଯାଇଛି। ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କ ଦଳ ୧୯୪୮ରେ ଲିଡ୍‌ସରେ ଇଂଲଣ୍ଡ ବିପକ୍ଷରେ ଅବିଶ୍ବସନୀୟ ୪୦୪ ରନ୍‌ କରିଥିଲା ବେଳେ ୧୯୮୪ରେ ଲର୍ଡସ୍‌ରେ ଇଂଲଣ୍ଡ ବିପକ୍ଷରେ କ୍ଲାଇବ୍‌ ଲୟଡ୍‌ଙ୍କ ଦଳ ୩୪୪ ରନ୍‌ କରିଥିଲା।
। ୬: ଅଷ୍ଟ୍ରେଲିଆରେ ୬ ଥର ଗୋଟିଏ ପାଳିରେ ୨୦୦ରୁ ଉର୍ଦ୍ଧ୍ବ ବଲ୍‌ ଖେଳିବାରେ ଚେତେଶ୍ବର ପୂଜାରା ପ୍ରଥମ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ହୋଇଛନ୍ତି। ଏକ୍ଷେତ୍ରରେ ସେ ସୁନିଲ ଗାଭାସ୍କର (୫) ଏବଂ ବିରାଟ କୋହଲି (୫)ଙ୍କୁ ଅତିକ୍ରମ କରିଯାଇଛନ୍ତି। ପୂଜାରାଙ୍କର ଚାରିଟି ମନ୍ଥରତମ ପାଳିରୁ ତିନିଟି କେବଳ ଚଳିତ ଶୃଙ୍ଖଳାରେ ରହିଛି। ଗାବାରେ ଚତୁର୍ଥ ପାଳିରେ ସେ ୨୧୧ ବଲ୍‌ ଖେଳିଥିଲେ ଯାହାକି ସବୁଠୁ ମନ୍ଥର।

ସମ୍ବନ୍ଧିତ ଖବର