ଭୁବନେଶ୍ବର: ଚଳିତ ହକି ବିଶ୍ବକପ୍ର ରବିବାର ସନ୍ଧ୍ୟାରେ ଭାରତ କର ବା ମର ମ୍ୟାଚ୍ ଖେଳିବ। କ୍ରସ୍ଓଭର ମ୍ୟାଚ୍ରେ ଭାରତର ମୁକାବିଲା ଗ୍ରୁପ୍ ପୁଲ୍ ‘ସି’ର ତୃତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତାହାର ଭାଗ୍ୟ ପରୀକ୍ଷା କରିବ। ଏହି ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡ ୪୦ ବର୍ଷ ପରେ କ୍ବାର୍ଟରଫାଇନାଲ୍ରେ ପ୍ରବେଶ କରିବା ଲକ୍ଷ୍ୟ ରଖିଥିଲା ବେଳେ ଘରୋଇ ଦଳ ଉପରେ ଅଧିକ ଚାପ ରହିବ। ପ୍ରତିଯୋଗିତାରେ ଅନ୍ୟତମ ଫେଭରିଟ୍ ଦଳ ଭାରତ ଗତ ସଂସ୍କରଣରେ କ୍ବାର୍ଟରଫାଇନାଲ୍ରେ ପରାଜିତ ହୋଇଥିଲା। କିନ୍ତୁ ଏଥର ଦଳକୁ କ୍ବାର୍ଟର ବାଧା ପାର୍ କରିବା ପାଇଁ ଏହାଠୁ ଭଲ ସୁଯୋଗ ଆଉ ମିଳିବନି। ତେଣୁ ଏଥିପୂର୍ବରୁ ଅପେକ୍ଷାକୃତ ଦୁର୍ବଳ ନ୍ୟୁଜିଲାଣ୍ଡକୁ ପ୍ରଥମ ନକ୍ଆଉଟ୍ରେ ହରାଇବା ପାଇଁ ଭାରତ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏଥିପୂର୍ବରୁ ଗତବର୍ଷ ପ୍ରୋ ଲିଗ୍ରେ ନ୍ୟୁଜିଲାଣ୍ଡକୁ କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ଦୁଇଥର ହରାଇ ସାରିଛି। ତେଣୁ ଏହି ଦଳକୁ ଭଲ ଭାବେ ପରଖିସାରିଛୁ। ପୂର୍ବ ମ୍ୟାଚ୍ଗୁଡ଼ିକର ଭିଡିଓ ଦେଖି ଆମେ ତ୍ରୁଟି ସୁଧାରିବା ଦିଗରେ କାମ କରିଛୁ। ଭାରତୀୟ ଦଳ ଚାପରେ ଥିଲେ ବି ଏହି ମ୍ୟାଚ୍କୁ ଜିତିବା ଲକ୍ଷ୍ୟ ନେଇ ଖେଳିବୁ ବୋଲି ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି। ଲିଗ୍ ପର୍ଯ୍ୟାୟରେ ଭାରତ ଅନେକ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରିଛି। ଏହାକୁ ହର୍ମନପ୍ରୀତ ସ୍ବୀକାର କରିବା ସହ ଆଗକୁ ନକ୍ଆଉଟ୍ ମ୍ୟାଚ୍ଗୁଡ଼ିକରେ ସୁଯୋଗ ମିଳିଲେ ହାତଛଡ଼ା ନକରିବାକୁ ପ୍ରତିଶ୍ରୁତ ଦେଇଛନ୍ତି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ବେଳେ ରକ୍ଷଣଭାଗକୁ ଅଧିକ ମଜବୁତ୍ କରି ଖେଳିବାକୁ ହେବ। ଭାରତର ରକ୍ଷଣଭାଗ ବହୁତ ଭଲ ରହିଛି। କିନ୍ତୁ ନକ୍ଆଉଟ୍ରେ ସବୁ ଖେଳାଳି ନିଜ ଦାୟିତ୍ବକୁ ଜାଣିଛନ୍ତି। ୱେଲ୍ସ ବିପକ୍ଷ ମ୍ୟାଚ୍ରେ ଭାରତ ପକ୍ଷରେ ଆହୁରି ଅଧିକ ଗୋଲ୍ କରିବା ସୁଯୋଗ ସୃଷ୍ଟି ହୋଇଥିଲା। କିନ୍ତୁ ସେଗୁଡିକୁ ଗୋଲ୍ରେ ପରିଣତ କରିପାରିନଥିଲୁ। ସେ ଦିଗରେ ଦଳ ଯତ୍ନବାନ୍ ରହିଛି। ତେଣୁ ସମେସ୍ତ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆଗକୁ ବଢିବେ ବୋଲି ସେ କହିଛନ୍ତି।
ହାର୍ଦିକ୍ ବାଦ୍; ରାଜ କୁମାର ସାମିଲ
ହାର୍ଦ୍ଦିକ ସିଂହ ଆହତ ଯୋଗୁ ଚଳିତ ବିଶ୍ବକପ୍ରୁ ପୂରା ବାଦ୍ ପଡ଼ିଥିବାରୁ ତାଙ୍କ ସ୍ଥାନରେ ରାଜ କୁମାର ପାଲ୍ଙ୍କୁ ଭାରତୀୟ ଦଳରେ ନିଆଯାଇଛି। ହାର୍ଦ୍ଦିକଙ୍କ ଆହତ ଦଳକୁ ନିରାଶ କରିଛି। କିନ୍ତୁ ରାଜ୍ ମଧ୍ୟ ଭଲ ଲୟରେ ଅଛନ୍ତି। ସେ ଭାରତୀୟ ଦଳର ଭବିଷ୍ୟତ ତାରକା ଖେଳାଳି ହୋଇପାରିବେ। ତାଙ୍କଠୁ ଦଳ ବହୁତ କିଛି ଆଶା ରଖିଛି। ତେଣୁ ସୁଯୋଗ ମିଳିଲେ ସେ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ରିଡ୍ କହିଥିଲେ। କେବଳ ରାଜ୍ ନୁହଁନ୍ତି ଭାରତୀୟ ଦଳରେ ଅନେକ ପ୍ରତିଭାବାନ୍ ଖେଳାଳି ଅଛନ୍ତି। ତେଣୁ ଆହତ ସମସ୍ୟା ଦଳ ଉପରେ କୌଣସି ଚାପ ପକାଇବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।