ସାଉଥମ୍ପଟନ୍ : ହାର୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ (୫୧, ୪/୩୩) ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦କୁ ୫୦ ରନ୍ରେ ଜିତିନେଇଛି ଭାରତ। ତା’ ସହ ତିନି ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଯାଇଛି। ଗୁରୁବାରର ଏହି ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭାରତ ନିୟନ୍ତ୍ରଣରେ ଥିଲା। ଟିମ୍ ଇଣ୍ଡିଆ ୧୯୯ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଇଂଲଣ୍ଡ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୮ ରନ୍ରେ ଅଟକି ଯାଇଥିଲା। ପ୍ରଥମ ଅର୍ଦ୍ଧଶତକ ହାସଲ କରିବା ସହ ନିଜ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥିବା ପାଣ୍ଡ୍ୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଭାରତର ପୁରୁଖା ଦ୍ରୁତ ବୋଲର ଭୁବନେଶ୍ବର କୁମାର ଏବଂ ପଦାର୍ପଣକାରୀ ଅର୍ଶଦୀପ ସିଂହଙ୍କ ଯୋଡ଼ି ଇଂଲଣ୍ଡକୁ ଗୋଟିଏ ହେଲେ ବି ସହଜ ରନ୍ କରିବାକୁ ଦେଇ ନଥିଲେ। ଭୁବି ପ୍ରଥମ ଓଭରର ପଞ୍ଚମ ବଲ୍ରେ ପ୍ରତିପକ୍ଷ ଅଧିନାୟକ ଜୋସ୍ ବଟଲରଙ୍କୁ କ୍ଲିନ୍ ବୋଲ୍ଟ କରି ଇଂଲଣ୍ଡକୁ ପ୍ରଥମ ଝଟ୍କା ଦେଇଥିଲେ। ଏହା ପରେ ଅର୍ଶଦୀପଙ୍କ ମାପଚୁପ ବୋଲିଂ ପାଇଁ ଇଂଲଣ୍ଡ ଶୀର୍ଷକ୍ରମ ପୂରା ଚାପରେ ରହିଥିଲା। ଏହାର ଲାଭ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଉଠାଇଥିଲେ। ଦାୱିଦ ମଲାନ ଓ ଲିୟାମ ଲିଭିଂଷ୍ଟୋନଙ୍କୁ ସେ ମାତ୍ର ୨ ରନ୍ ଭିତରେ ଆଉଟ୍ କରିବା ପରେ ଇଂଲଣ୍ଡ ୨୯ ରନ୍ରେ ୩ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ଏହା ପରେ ପାଣ୍ଡ୍ୟା ଘରୋଇ ଦଳର ଅନ୍ୟତମ ଓପନର ଜାସନ ରାୟଙ୍କୁ ନିଜ ତୃତୀୟ ଶିକାର କରିବାରୁ ଇଂଲଣ୍ଡ ୩୩ ରନ୍ରେ ୪ ୱିକେଟ୍ ହରାଇ ଘୋର ସଙ୍କଟ ଭିତରକୁ ଚାଲିଯାଇଥିଲା। ଭାରତୀୟ ୱିକେଟ୍ ରକ୍ଷକ ଦୀନେଶ କାର୍ତ୍ତିକ ତିନିଟି କ୍ୟାଚ୍ ହାତଛଡ଼ା କରିବା ସତ୍ତ୍ବେ ଇଂଲଣ୍ଡ ଏହି ପ୍ରାରମ୍ଭିକ ବିପର୍ଯ୍ୟୟର ଝଟ୍କାରୁ ବାହାରି ପାରି ନଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୪୮ ରନ୍ରେ ସୀମିତ ରହିଥିଲା। ରେସେ ଟପଲିଂଙ୍କୁ ଆଉଟ୍ କରି ଅର୍ଶଦୀପ (୨/୧୮) ଅନ୍ତର୍ଜାତୀୟ କ୍ରିକେଟ୍ରେ ପ୍ରଥମ ୱିକେଟ୍ କରାୟତ୍ତ କରିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୀପକ ହୁଡା (୩୩), ସୂର୍ଯ୍ୟକୁମାର ଯାଦବ (୩୯) ଏବଂ ହାର୍ଦିକ ପାଣ୍ଡ୍ୟା (୫୧)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୮ ୱିକେଟ୍ ହରାଇ ୧୯୮ ରନ୍ କରିଥିଲା। ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଣ୍ଡ୍ୟା ୩୦ ବଲ୍ରୁ ମହତ୍ବପୂର୍ଣ୍ଣ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏହା ମଧ୍ୟ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ବ୍ୟକ୍ତିଗତ ଭାବେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ପାଣ୍ଡ୍ୟାଙ୍କୁ ରେସେ ଟପ୍ଲି ଠିକଣା ସମୟରେ ଆଉଟ୍ କରିବାରୁ ଭାରତ ୨୦୦ ରନ୍ ଛୁଇଁ ପାରି ନଥିଲା। ସପ୍ତମ ସ୍ଥାନରେ ବ୍ୟାଟିଂ ଆସିଥିବା ଅଭିଜ୍ଞ ଦୀନେଶ କାର୍ତ୍ତିକ ୭ ବଲ୍ରୁ ୧୧ ରନ୍ କରି ଶେଷ ଓଭରରେ ଦର୍ଶକଙ୍କର କିଛିଟା ମନୋରଞ୍ଜନ କରିଥିଲେ।
/sambad/media/post_attachments/wp-content/uploads/2022/07/ef-300x146.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/pandya.jpg)