ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ୍‌ ଆଜି

ଶନିବାର ଦ୍ୱିତୀୟ ସେମିରେ ଅଷ୍ଟ୍ରେଲିଆ-ଜର୍ମାନି

ଭୁବନେଶ୍ୱର: ବେଲିଜୟମ ବିପକ୍ଷ ଜବରଦସ୍ତ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଥିବା ଆୟୋଜକ ଭାରତ ପାଇଁ ଆଉ ଏକ ମସ୍ତବଡ଼ ଆହ୍ଵାନ ଉପନୀତ ହୋଇଛି। ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲରେ ଭାରତ ଶୁକ୍ରବାରର ସେମିଫାଇନାଲରେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଆର୍ଜେଣ୍ଟିନାକୁ ଭେଟିବା। ଭାରତ ବିଶ୍ୱ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ବେଲଜିୟମକୁ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ମାତ୍‌ ଦେଇ ସେମି ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲାବେଳେ ଆର୍ଜେଣ୍ଟିନା ଗୁରୁବାର ତୃତୀୟ କ୍ୱାର୍ଟର ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଏହି ମ୍ୟାଚ୍‌ ଶୁକ୍ରବାର ସଂଧ୍ୟା ୭.୩୦ଟାରେ ଆରମ୍ଭ ହେବ। ସେହିଭଳି ଦ୍ୱିତୀୟ ସେମିଫାଇନାଲରେ ଗତଥରର ବିଜେତା ଅଷ୍ଟ୍ରେଲିଆକୁ ୟୁରୋପୀୟ ଶକ୍ତି ଜର୍ମାନିକୁ ଭେଟିବ। ଗୁରୁବାରର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡକୁ ୪-୩ (୩-୩)ରେ ହରାଇଜର୍ମାନି ସେମିଫାଇନାଲ ଲଢ଼େଇରେ ଅବତୀର୍ଣ୍ଣ ହେବାକୁ ଯୋଗ୍ୟତା ହାସଲ କରିଥିଲା। ସେହିଭଳି ଲିଗ୍‌ ପର୍ଯ୍ୟାୟ ପ୍ରଦର୍ଶନ ଆଧାରରେ ପଞ୍ଚମ ଏବଂ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ-ସ୍ପେନ୍‌ ଭେଟାଭେଟି ହେବେ। ଅନ୍ୟପକ୍ଷରେ ଶେଷ ଦୁଇ ସ୍ଥାନ ଅର୍ଥାତ୍‌ ସପ୍ତମ ଏବଂ ଅଷ୍ଟମ ସ୍ଥାନ ପାଇଁ ଇଂଲଣ୍ଡ ଏବଂ ନେଦରଲାଣ୍ଡ ମୁକାବିଲା କରିବେ। ଶୁକ୍ରବାର ଭାରତ-ଆର୍ଜେଣ୍ଟିନା ସେମିଫାଇନାଲ୍‌ ସହ ଇଂଲଣ୍ଡ-ନେଦରଲାଣ୍ଡ ମ୍ୟାଚ୍‌ ଖେଳାଯିବ। ଅନ୍ୟ ପକ୍ଷରେ ଶନିବାର ଅଷ୍ଟ୍ରେଲିଆ-ଜର୍ମାନି ସହ ବେଲଜିୟମ-ସ୍ପେନ୍‌ ମ୍ୟାଚ୍‌ ଆୟୋଜିତ ହେବ।

ଆର୍ଜେଣ୍ଟିନାଠୁ ହାରିଲା ଇଂଲଣ୍ଡ

ରିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନା ତୃତୀୟ ଦଳ ଭାବେ ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ସର ସେମିଫାଇନାଲରେ ପ୍ରବେଶ କରିଥିଲା। ଗୁରୁବାର ତୃତୀୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନା ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଇଂଲଣ୍ଡକୁ ୩-୧ ଗୋଲ୍‌ରେ ପରାସ୍ତ କରି ଏହି ସଫଳତା ଲାଭ କରିଥିଲା। ନୂଆଦିଲ୍ଲୀରେ ୨୦୧୨ରେ ଖେଳା ଯାଇଥିବା ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ସର ସେମିଫାଇନାଲ୍‌ ଖେଳିଥିବା ଇଂଲଣ୍ଡ ଏକାଧିକ ପେନାଲ୍ଟି କର୍ନର ସୁଯୋଗକୁ ହାତଛଡ଼ା କରି ଶ୍ରେଷ୍ଠ ଚାରି ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବାରୁ ବଞ୍ଚିତ ହୋଇଥିଲା।

ଗୁରୁବାର ଆର୍ଜେଣ୍ଟିନା ଅପେକ୍ଷାକୃତ ଭଲ ଖେଳିଥିଲା। ଅନ୍ୟ ପକ୍ଷରେ ଇଂଲଣ୍ଡ ତା’ର ଦକ୍ଷତା ଅନୁଯାୟୀ ଖେଳି ପାରି ନଥିଲା। ବିଶେଷକରି ଏହି ଦଳର ରକ୍ଷଣଭାଗ ତୁଳନାତ୍ମକ ଭାବେ ଦୁର୍ବଳ ପ୍ରଦର୍ଶନ କରିଥିଲା। ଯାହାର ଫାଇଦା ଆର୍ଜେଣ୍ଟିନା ୨୧ତମ ମିନିଟ୍‌ରେ ଉଠାଇଥିଲା। ନିଜର ୨୦୦ତମ ମ୍ୟାଚ୍‌ ଖେଳିଥିବା ଲୋକପ୍ରିୟ ଅଗ୍ରଭାଗ ଖେଳାଳି ଲୁକାସ ଭିଲ୍ଲା ଗୋଲ୍‌ ଖାତା ଖୋଲିଥିଲେ। ଏହାର ୮ ମିନିଟ୍‌ ପରେ ଅଧିନାୟକ ମାତିଆସ୍‌ ପରେଦେସ ଆଉ ଏକ ଫିଲ୍ଡ ଗୋଲ୍‌ ଦେଇ ଆର୍ଜେଣ୍ଟିନାକୁ ୨-୦ରେ ଆଗୁଆ କରି ଦେଇଥିଲେ। ମାତ୍ର କିଛି କ୍ଷଣ ମଧ୍ୟରେ ଇଂଲଣ୍ଡ ଡେଭିଡ୍‌ କଣ୍ଡନଙ୍କ ମାଧ୍ୟମରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲା। ଫଳରେ ପ୍ରଥମାର୍ଧ ସୁଦ୍ଧା ଆର୍ଜେଣ୍ଟିନା ୨-୧ ଗୋଲ୍‌ରେ ଆଗୁଆ ରହିଥିଲା। ତୃତୀୟ କ୍ୱାର୍ଟରର ଚତୁର୍ଥ ମିନିଟ୍‌ରେ ଜୁଆନ୍‌ ଗିଲାର୍ଡି ଆଉ ଏକ ଗୋଲ୍‌ ଦେବା ପରେ ଆର୍ଜେଣ୍ଟିନା ସ୍ଥିତି ୩-୧ କରି ନେଇଥିଲା। ଶେଷ ମିନିଟ୍‌ରେ ଇଂଲଣ୍ଡର ଜେମ୍ସ ଗଲ୍‌ ଏକ ସୁନ୍ଦର ଗୋଲ୍‌ ଦେଇଥିଲେ। ତେବେ ସମୟ ସରି ଯାଇଥିବାରୁ ଗୋଟିଏ ଗୋଲ୍‌ ବ୍ୟବଧାନ (୩-୨)ରେ ଇଂଲଣ୍ଡ ପରାସ୍ତ ହୋଇ ସେମିଫାଇନାଲ୍‌ ଯିବାରୁ ବଞ୍ଚିତ ହୋଇଥିଲା। ଇଂଲଣ୍ଡର ଲିଆମ ଷ୍ଟାନ୍‌ଫୋର୍ଡ ଶ୍ରେଷ୍ଠ ଉଦୀୟମାନ ଏବଂ ଆର୍ଜେଣ୍ଟିନାର ଜୁଆନ ଗିଲାର୍ଡି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଧାରା ବିପରୀତ ଆଜି ମ୍ୟାଚ୍‌ରେ ହୋଇଥିବା ୫ ଗୋଲ୍‌ ମଧ୍ୟରୁ ୪ ଫିଲ୍ଡ ଗୋଲ୍‌ ହୋଇଥିଲା ବେଳେ ମାତ୍ର ଗୋଟିଏ ପେନାଲ୍ଟି କର୍ନର ଗୋଲ୍‌ ଥିଲା।

ଦ୍ୱିଶତକୀୟ ମ୍ୟାଚ୍‌କୁ ସ୍ମରଣୀୟ କଲେ ଭିଲ୍ଲା

ଆର୍ଜେଣ୍ଟିନାର ଲୋକପ୍ରିୟ ତଥା ଚର୍ଚିତ ଅଗ୍ରଭାଗ ଖେଳାଳି ଲୁକାସ ଭିଲା ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ତାଙ୍କ ୨୦୦ତମ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ ଖେଳିଥିଲେ। ଏହି ଅବସରରେ ସେ ଏକ ଗୋଲ୍‌ ମଧ୍ୟ କରିଥିଲେ। ୨୧ ମିନିଟ୍‌ରେ ଭିଲ୍ଲାଙ୍କ ଗୋଲ୍‌ ବଳରେ ହିଁ ଆର୍ଜେଣ୍ଟିନା ଆଗୁଆ ହୋଇଥିଲା। ଦ୍ୱି-ଶତକୀୟ ମ୍ୟାଚ୍‌ରେ ଗୋଲ୍‌ କରିଥିବାରୁ ଏହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭିଲ୍ଲା ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ୧୯୮୬ ମସିହା ଅଗଷ୍ଟ ୨୩ ତାରିଖରେ ଜନ୍ମ ଗ୍ରହଣ କରିଥିବା ଭିଲ୍ଲା ୨୦୦୫ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଆର୍ଜେଣ୍ଟିନାର ମଧ୍ୟ ସେ ସଦସ୍ୟ ଥିଲେ।

ନେଦରଲାଣ୍ଡକୁ ରୋକିଲା ଜର୍ମାନି

ଜର୍ମାନି ଶେଷ ଦଳ ଭାବେ ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲର ସେମିଫାଇନାଲରେ ପ୍ରବେଶ କରିଥିଲା। ଗୁରୁବାର ରାତିର ତୀବ୍ର ସଂଘର୍ଷପୂର୍ଣ୍ଣ ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌କୁ ୭-୬ (୩-୩)ରେ ଜିତି ଜର୍ମାନି ସେମିଫାଇନାଲ୍‌ ଟିକେଟ ହାସଲ କରିଥିଲା। ଅନ୍ୟ ପକ୍ଷରେ ନିର୍ଧାରିତ ସମୟରେ ମ୍ୟାଚ୍‌କୁ ୩-୩ରେ ଅମୀମାଂସିତ ରଖିଥିବା ପୂର୍ବ ବିଜେତା ନେଦରଲାଣ୍ଡ ପେନାଲ୍ଟି ସୁଟଆଉଟ୍‌କୁ ୩-୪ରେ ହାରି ଏହି ପର୍ଯ୍ୟାୟରେ ପ୍ରବେଶ କରି ପାରି ନଥିଲା।

ଗୁରୁବାର ରାତିର ଏହି ମୁକାବିଲାରେ ଜର୍ମାନି ପ୍ରଥମେ ଦ୍ୱାଦଶ ମିନିଟ୍‌ରେ ଗୋଲ୍‌ ଖାତା ଖୋଲିଥିଲା। ଜୁଲିୟସ୍‌୍‌ ମେୟରଙ୍କ ଫିଲ୍ଡ ଗୋଲ୍‌ ଏହି ଦଳକୁ ଆଗୁଆ କରିଦେଇଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରରେ ନେଦରଲାଣ୍ଡ ୬ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ଆଗୁଆ ହୋଇ ଯାଇଥିଲା। ଜର୍ମାନି ବି ଏହାର ପ୍ରତିଶୋଧ ତୃତୀୟ କ୍ୱାର୍ଟରରେ ନେଇଥିଲା। ୭ ମିନିଟ୍‌ ଭିତରେ ଦୁଇଟି ଫିଲ୍ଡ ଗୋଲ୍‌ ଦେଇ ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲା। ସେହି ୭ ମିନିଟ୍‌ ପାଇଁ ପଛୁଆ ରହିବା ପରେ ୩-୨ରେ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ନେଦରଲାଣ୍ଡ ପକ୍ଷରୁ ୨୧ ଓ ୨୭ ମିନିଟ୍‌ରେ ମିର୍କୋ ପ୍ରୁଇଜର ଏବଂ ବ୍ରାଏନ କିଲରମ୍ୟାନ୍‌ ଗୋଲ୍‌ ଦେଇଥିଲେ। ଅନ୍ୟ ପକ୍ଷରେ ଜର୍ମାନି ପକ୍ଷରୁ ଫ୍ଲୋରିଆନ୍‌ ଫକ୍ସ ଏବଂ କନଷ୍ଟାଣ୍ଟାଇନ୍‌ ଷ୍ଟାଇବ୍‌ ୩୪ ଓ ୪୧ ମିନିଟରେ ଗୋଲ୍‌ ଦେଇଥିଲେ। ଜର୍ମାନି ବିଜୟ ଦ୍ୱାର ଦେଶରେ ପହଞ୍ଚି ସାରିଥିଲା ବେଳେ ମ୍ୟାଚ୍‌ ପୁଣି ଥରେ ନାଟକୀୟ ମୋଡ଼ ନେଇଥିଲା। ୫୩, ୫୫ ଓ ୫୬ ମିନିଟରେ ତିନିଟି ପେନାଲ୍ଟି କର୍ନରକୁ ଗୋଲ୍‌ କରି ପାରି ନଥିବା ନେଦରଲାଣ୍ଡର ଭାଗ୍ୟ ଖେଳ ଶେଷ ହେବାର ୨୫ ସେକେଣ୍ଡ ପୂର୍ବରୁ ଖୋଲି ଯାଇଥିଲା। ମିର୍କୋ ପ୍ରୁଇଜର ବ୍ୟକ୍ତିଗତ ଭାବେ ଦ୍ୱିତୀୟ ଏବଂ ମ୍ୟାଚର ନିର୍ଣ୍ଣାୟକ ଗୋଲ୍‌ ଦେଇ ସ୍ଥିତି ୩-୩ କରି ନେଇଥିଲେ। ନିର୍ଧାରିତ ସମୟରେ ମ୍ୟାଚ୍‌ ସେହି ସ୍କୋରରେ ଅମୀମାଂସିତ ରହିଥିଲା। ଫଳରେ ବିଜେତା ବାଛିବା ଲାଗି ପେନାଲ୍ଟି ସୁଟଆଉଟର ସହାୟତା ନିଆ ଯାଇଥିଲା। ଏଥିରେ ଜର୍ମାନି ୪-୩ରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା। ନେଦରଲାଣ୍ଡର ୨୩ ନମ୍ବର ଖେଳାଳି ଜୋଏପ୍‌ ଡି’ ମୋଲ୍‌ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଜର୍ମାନିର ସେହି ୨୩ ନମ୍ବର ଖେଳାଳି ଫ୍ଲୋରିଆନ୍‌ ଫକ୍ସ ଶ୍ରେଷ୍ଠ ଖେଳାଳି ଭାବେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କଠାରୁ ୫୦,୦୦୦ ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ।

ଏସ୍‌ଆଇଙ୍କ ମୁଣ୍ଡ ଫାଟିଲା

ଗୁରୁବାର ଇଂଲଣ୍ଡ-ଆର୍ଜେଣ୍ଟିନା ମ୍ୟାଚ୍‌ ଅବସରରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା । ପ୍ରଥମ କ୍ୱାର୍ଟରର ଅଷ୍ଟମ ମିନିଟ୍‌ରେ ଆର୍ଜେଣ୍ଟିନା ଖେଳାଳି ଡି’ ଅଞ୍ଚଳରେ ତେରଛା ସଟ୍‌ ମାରୁଥିଲା ବେଳେ ବଲ୍‌ ସିଧା ଯାଇ କଳିଙ୍ଗ ହକି କଂପ୍ଲେକ୍ସର ଦକ୍ଷିଣ-ପଶ୍ଚିମ କୋଣ ଫାଟକ ଦାୟିତ୍ୱରେ ଥିବା ଜଣେ ପୁଲିସ ସବ୍‌ଇନସପେକ୍ଟରଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କ ମୁଣ୍ଡ ଫାଟି ଧାର ଧାର ରକ୍ତ ବାହାରିଥିଲା। ଓଡ଼ିଶା ପୁଲିସର ଏହି ଅଧିକାରୀଙ୍କୁ ସାଥୀ କର୍ମଚାରୀମାନେ ତୁରନ୍ତ ପଡ଼ିଆ ବାହାରକୁ ନେଇଥିଲେ। ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

ଆତ୍ମବିଶ୍ୱାସ ଅଛି : ମାରିନ୍‌

ବେଲଜିୟମ ବିପକ୍ଷ ଉତ୍କଣ୍ଠାପୂର୍ଣ୍ଣ ବିଜୟ ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଏବେ ଆକାଶଛୁଆଁ। ପ୍ରଶିକ୍ଷକ ଜୋଏଡ୍‌ ମାରିନ୍‌ ମଧ୍ୟ ନିଜ ଖେଳାଳିଙ୍କ ପ୍ରଦର୍ଶନରେ ପୂରା ଉତ୍‌ଫୁଲିତ। ସେଥିପାଇଁ ସେମିଫାଇନାଲରେ ଭାରତ ଯେଉଁ ଦଳକୁ ଭେଟିଲେ ମଧ୍ୟ ବିଜୟ ପାଇଁ ଖେଳିବ ବୋଲି ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି। ସେହିଭଳି ଭିନ୍ନ ଭିନ୍ନ ଦଳ ପାଇଁ ଭିନ୍ନ ଭିନ୍ନ ରଣନୀତି ପ୍ରସ୍ତୁତ ସାରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଭାରତୀୟ ଦଳର ସନ୍ତୁଳନ ନେଇ ବେଶ୍‌ ଖୁସି ଥିବା ମାରିନ୍‌ ବେଲଜିୟମ ବିପକ୍ଷ ବିଜୟର ଶ୍ରେୟ ଯୁବ ଖେଳାଳିଙ୍କୁ ଦେଇଛନ୍ତି। ବରିଷ୍ଠ ଖେଳାଳିଙ୍କ ପ୍ରଦର୍ଶନରେ ମୁଁ ଖୁସି ଅଛି। ହେଲେ ଆମ ଦଳର ମେରୁଦଣ୍ଡ ହେଉଛନ୍ତି ଯୁବ ତାରକାମାନେ ବୋଲି ମାରିନ୍‌ ମତ ରଖିଛନ୍ତି। ସେମିଫାଇନାଲରେ ଭାରତ ରିଓ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ଭେଟିବା ସ୍ପଷ୍ଟ ହୋଇଯିବା ପରେ ଏଥିନେଇ ଆମେ ବିଶେଷ ଚିନ୍ତିତ ନାହୁଁ। ଆମ ଖେଳ ଉପରେ ଆମର ଭରସା ରହିଛି। ଆର୍ଜେଣ୍ଟିନାକୁ ହରାଇ ପାରିବାର ଆତ୍ମବିଶ୍ୱାସ ଅଛି। ଆମେ ଆମ ଦକ୍ଷତା ଅନୁଯାୟୀ ଖେଳିବୁ ବୋଲି ମାରିନ୍‌ ଦୃଢ଼ତାର ସହ କହିଛନ୍ତି।

ସମ୍ବନ୍ଧିତ ଖବର