ବ୍ରିସ୍ବନ୍: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସମର ବୁଧବାରଠାରୁ ଆରମ୍ଭ ହେବ। ଚଳିତ ଗସ୍ତର ପ୍ରଥମ ମ୍ୟାଚ୍ରେ ବୁଧବାର ଭାରତ ବ୍ରିସ୍ବନର ଗାବା ଷ୍ଟାଡିୟମରେ ଅବତୀର୍ଣ୍ଣ ହେବ। କ୍ରିକେଟ୍ ଦୁନିଆର ଏହି ଦୁଇ ମହାଶକ୍ତି ଏଥର ଟ୍ବେଣ୍ଟି-୨୦ରୁ ଲଢ଼େଇ ଆରମ୍ଭ କରିବେ। ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଆସନ୍ତାକାଲି ପରସ୍ପରର ମୁହାଁମୁହିଁ ହେବେ। ଯାହାକୁ ନେଇ ସମଗ୍ର କ୍ରିକେଟ୍ ଜଗତ ଉତ୍ସାହିତ। ଭାରତୀୟ ଦଳ ଏଥର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ସେପଟେ ଅଷ୍ଟ୍ରେଲିଆ ଦଳରେ ଡେଭିଡ୍ ୱାର୍ନର, ଷ୍ଟିଭେନ ସ୍ମିଥ୍, ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍, ପ୍ୟାଟ୍ କମିନ୍ସ ଓ ନାଥନ ଲିୟନଙ୍କ ଭଳି ଖେଳାଳି ନାହାନ୍ତି। ଅବଶ୍ୟ ସ୍ମିଥ୍ ଓ ୱର୍ନରଙ୍କ ବ୍ୟତୀତ ଅନ୍ୟମାନେ ଟେଷ୍ଟ ଶୃଙ୍ଖଳା ପାଇଁ ଫେରିବାର ସମ୍ଭାବନା ରହିଛି। ଗତ ଗସ୍ତରେ ଅଷ୍ଟ୍ରେଲିଆକୁ ଭାରତ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ୩-୦ରେ ପରାସ୍ତ କରିଥିଲା। ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଆଶାରେ ରହିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ପରାଜୟର ପ୍ରତିଶୋଧ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ହେଲେ ଅଷ୍ଟ୍ରେଲିଆ ତା’ ପୂର୍ବ ଶୃଙ୍ଖଳାରେ ପାକିସ୍ତାନଠାରୁ ୟୁଏଇରେ ୦-୩ରେ ହାରିଥିଲା, ଯାହା ଭାରତ ସପକ୍ଷରେ ଯାଇପାରେ। ଟ୍ବେଣ୍ଟି-୨୦ ସଫଳତା ଦୃଷ୍ଟିରୁ ବି ଅଷ୍ଟ୍ରେଲିଆଠାରୁ ଭାରତ ଆଗରେ ରହିଛି। ଉଭୟ ଦେଶ ମଧ୍ୟରେ ଏ ପର୍ଯ୍ୟନ୍ତ ୧୬ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୦ ଏବଂ ଅଷ୍ଟ୍ରେଲିଆ ୫ଟିରେ ବିଜୟୀ ହୋଇଛି। ଗୋଟିଏ ମୁକାବିଲା ବର୍ଷା ପାଇଁ ବାତିଲ ହୋଇ ଯାଇଛି।
ବୁମ୍ରାଙ୍କ ଉପରେ ନଜର
ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମ୍ରା ୨୦୧୬ରେ ଅଷ୍ଟ୍ରେଲିଆରେ ତାଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ୨୦୧୬ରୁ ୧୮ ମଧ୍ୟରେ ବୁମ୍ରା ନିଜକୁ ବିଶ୍ବର ଜଣେ ଆଗଧାଡ଼ିର ବୋଲର ଭାବେ ସ୍ଥାପିତ କରି ସାରିଛନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଟ୍ବେଣ୍ଟି-୨୦ ୱିକେଟ୍ ନେଇଛନ୍ତି। ସେଥିପାଇଁ ବ୍ରିସ୍ବନ୍ ଟ୍ବେଣ୍ଟିରେ ସମସ୍ତଙ୍କ ନଜର ବୁମ୍ରାଙ୍କ ଉପରେ ରହିବ। ଅଷ୍ଟ୍ରେଲିଆ ଦଳରେ ଥିବା ଜାସନ ବେହେରନଡ୍ରଫ୍, ନାଥନ କୁଲଟର ନିଲେ ଓ ଆଣ୍ଡ୍ର୍ୟୁ ଟାଏଙ୍କ ଭଳି ବୋଲର ବିଗ୍ ବାସ୍ ଟ୍ବେଣ୍ଟି-୨୦ ଲିଗ୍ରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇ ପାରନ୍ତି। ବ୍ୟାଟିଂ କଥା ଦେଖିଲେ ଭାରତ ପାଖରେ ଭଲ ବିକଳ୍ପ ରହିଛି। ରୋହିତ ଶର୍ମା, ଶିଖର ଧାୱନ ଏବଂ ଅଧିନାୟକ ବିରାଟ କୋହଲି ଭଲ ଲୟରେ ଅଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ସ୍ମିଥ୍ ଏବଂ ୱାର୍ନରଙ୍କ ଅନୁପସ୍ଥିତି ପାଇଁ ଅପେକ୍ଷାକୃତ ଦୁର୍ବଳ ମନେ ହେଉଛି।
ବୋଲରଙ୍କୁ ସୁହାଇବ ପିଚ୍
ଗାବା ପିଚ୍ରେ ଦ୍ରୁତ ବୋଲରଙ୍କୁ ଅତିରିକ୍ତ ଉଛାଳ ମିଳିବ। ସେହିଭଳି ସ୍କୋୟାର ଅଞ୍ଚଳର ସୀମାରେଖା ବଡ଼ ଥିବାରୁ ଦଇ ଦଳ ଦ୍ରୁତ ବୋଲରଙ୍କୁ ଅଗ୍ରାଧିକାର ଦେବାର ଅଧିକ ସମ୍ଭାବନା ରହିଛି। ମ୍ୟାଚ୍ ବେଳେ ପାଗ ପୂରା ଭଲ ରହିବାର ପୂର୍ବାନୁମାନ ରହିଛି। ଚଳିତ ବର୍ଷର ୧୦ ଜଣ ସର୍ବାଧିକ ଟ୍ବେଣ୍ଟି-୨୦ ରନ୍ ସଂଗ୍ରକାରୀଙ୍କ ମଧ୍ୟରୁ ୩ ଜଣ ଆରୋନ ଫିଞ୍ଚ (୧୨୯୫), ଋଷବ ପନ୍ତ (୧୧୮୯) ଓ ଡାର୍କି ସଟ୍ (୧୦୯୯)ଙ୍କୁ ବୁଧବାର ମ୍ୟାଚ୍ରେ ଦେଖିବାକୁ ମିଳିବ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଲୋକେଶ ରାହୁଲ, ଋଷବ ପନ୍ତ, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ବର କୁମାର, କୁଲଦୀପ ଯାଦବ/ୟୁଜବେନ୍ଦ୍ର ଚହଲ, ଯଶ୍ପ୍ରୀତ ବୁମରା, ଖଲିଲ ଅହମ୍ମଦ।
ସମ୍ଭାବ୍ୟ ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, କ୍ରିସ୍ ଲିନ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟୋଇନିସ୍, ବେନ୍ ମ୍ୟାକଡର୍ମାଟ୍, ଆଲେକ୍ସ କାରେ, ନାଥନ କୁଲଟର ନାଇଲ, ଆଣ୍ଡ୍ର୍ୟୁ ଟାଇ, ଜାସନ ବେହେରନ୍ଡ୍ରଫ, ବିଲି ଷ୍ଟାନଲେକ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର