ଭାରତ-ଅଷ୍ଟ୍ରେଲିଆ ୫ ଅଭୁଲା ଲଢ଼େଇ, ମେଲବର୍ନ ଶୃଙ୍ଖଳା ନିର୍ଣ୍ଣାୟକରେ ଭାରତ ୭ ୱିକେଟ୍‌ରେ ବିଜୟୀ

ଭାରତକୁ ୯୫ ରନ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆର ଫାଇନାଲ୍ ପ୍ରବେଶ, ମେଲବର୍ନରେ ଭାରତର ୮ ୱିକେଟ୍ ବାଜିମାତ୍

ସିଡ୍‌ନି, ୨୩ା୧୧: କୋଭିଡ କାଳରେ ଆୟୋଜିତ ‘ଆଇପିଏଲ୍‌’ର ଅପାର ସଫଳତା ପରେ ଭାରତୀୟ କ୍ରିକେଟର୍‌ ଅଷ୍ଟ୍ରେଲିଆରେ ପ୍ରଥମ ଅନ୍ତର୍ଜାତୀୟ ଲଢ଼େଇ ଲଢ଼ିବାକୁ ଯାଉଛନ୍ତି। ଶେଷ ଥର ପାଇଁ ଫେବ୍ରୁଆରି ୨୦୨୦ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଟିମ୍ ଇଣ୍ଡିଆ ଦୀର୍ଘ ୯ ମାସର ବ୍ୟବଧାନ ପରେ ଟାଣୁଆ ଟକ୍କରରେ କଙ୍ଗାରୁ ଦଳକୁ ‌ତିନିଟି ଯାକ ଫର୍ମାଟ୍‌ରେ ଭେଟିବ। ସେଥିପାଇଁ କଠୋର ଜୈବ ବଳୟ ଭିତରେ କୋହଲି ବାହିନୀ କଠିନ ଅଭ୍ୟାସ ଚଳାଇଛି। ତିନିଟି ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ସହ ଚାରି ଟିକିଆ ଟେଷ୍ଟ୍ ଥିବା ଏହି ପୂର୍ଣ୍ଣକାଳୀନ ଗସ୍ତରେ ଭାରତୀୟ କ୍ରି‌କେଟ୍ ଦଳ ଅଷ୍ଟ୍ରେଲିଆ ମାଟିରେ ବିଜୟୀ ‌ହେବାର ଭୋକକୁ ଦୂର କରିବାକୁ ଆପ୍ରାଣ ଉଦ୍ୟମ କରିବ। ଏଭଳି ସ୍ଥିତିରେ ବିଶ୍ବ କ୍ରି‌କେଟ୍‌ର ଏହି ଦୁଇ ମହାରଥୀଙ୍କ ମଧ୍ୟରେ ଶୀର୍ଷ ପାଞ୍ଚଟି ରୋମାଞ୍ଚଭରା, ଉତ୍କଣ୍ଠାପୂର୍ଣ୍ଣ ତଥା ନାଟକୀୟ ମହାମୁକାବିଲାକୁ ରୋମନ୍ଥନ କରିବାର ଢେର ଆବଶ୍ୟକତା ରହିଛି।

ଜାନୁଆରି ୧୮, ୨୦୧୯ (ତୃତୀୟ ଦିନିକିଆ)
ମେଲବର୍ନ ଶୃଙ୍ଖଳା ନିର୍ଣ୍ଣାୟକରେ ଭାରତ ୭ ୱିକେଟ୍‌ରେ ବିଜୟୀ
ତିନି ଟିକିଆ ଶୃଙ୍ଖଳାରେ ଏକଦା ପଛୁଆ ରହିଥିବା ଭାରତ ଦ୍ବିତୀୟ ମୁକାବିଲାକୁ ଜିତି ସ୍ଥିତି ୧-୧ କରି ନେଇଥିଲା। ଏହା ପରେ ମଲବର୍ନ ପଡ଼ିଆରେ ଖେଳା ଯାଇଥିବା ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌କୁ ନାଟକୀୟ ଢଙ୍ଗରେ ଜିତି ନେଇ ଅଷ୍ଟ୍ରେଲିଆ ମାଟିରେ ପ୍ରଥମ ଶୃଙ୍ଖଳା ବିଜୟ (୨-୧) ହାସଲ କରିଥିଲା। ଆଡିଲେଡ୍‌ରେ ଶୃଙ୍ଖଳାକୁ ବଞ୍ଚାଇବା ପରେ କୋହଲି ଆଣ୍ଡ କୋ ମେଲବର୍ନରେ ଅଲରାଉଣ୍ଡ ପ୍ରଦର୍ଶନର ବଳିଷ୍ଠ ନିଦର୍ଶନ ଦେଖାଇଥିଲା। ଫଳରେ ପୂର୍ବରୁ କୌଣସି ଭାରତୀୟ ଦଳ ଯାହା କରି ନଥିଲା, ସେହି ଅନନ୍ୟ ଓ ବିରଳ ସଫଳତା ଲାଭ କରିବାର ନବୀନ କୀର୍ତ୍ତିମାନ କରିଥିଲା। ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ସ୍ପିନ୍ ଯାଦୁରେ କଙ୍ଗାରୁ ଦଳକୁ ପୂରା ଫସାଇ ଦେଇଥିଲେ। ସେ ୪୨ ରନ୍ ଦେଇ ୬ ୱିକେଟ୍ ନେବା ପରେ ଘରୋଇ ଅଷ୍ଟ୍ରେଲିଆ ୪୮.୪ ଓଭରରେ ମାତ୍ର ୨୩୦ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଛୋଟିଆ ବିଜୟ ଲକ୍ଷ୍ୟ ସତ୍ତ୍ବେ ଭାରତ ମଧ୍ୟ ଦୁଇ ଓପନରଙ୍କ ସହ ଅଧିନାୟକ ବିରାଟ କୋହଲି (୪୬)ଙ୍କୁ ୩୦ତମ ଓଭରରେ ହରାଇଥିଲା। ଏହା ପରେ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଶ୍ରେଷ୍ଠ ଫିନିସର ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟ୍‌ରୁ ୮୭ ରନ୍‌ର ଅସାଧାରଣ ପାଳି ଆସିଥିଲା। ଯାହା ଭାରତ ବିଜୟ ପାଇଁ ଯଥେଷ୍ଟ ଥିଲା। କେଦାର ଯାଦବ (୬୧*)ଙ୍କ ସହ ମିଶି ଚତୁର୍ଥ ୱିକେଟ୍‌ରେ ୧୨୧ ରନ୍‌ର ଭାଗୀଦାରି କରି ଧୋନି ହିଁ ଅଷ୍ଟ୍ରେଲିଆ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ। ଗତ ବର୍ଷ ଜାନୁଆରି ୧୮ ତାରିଖରେ ଖେଳା ଯାଇଥିବା ଏହି ମୁକାବିଲାରେ ଆଧିପତ୍ୟଭରା ବିଜୟ ହାସଲ କରି ଇତିହାସ ରଚିଥିଲା ଭାରତ।

ଜାନୁଆରି ୧୨, ୨୦୧୬ (ପ୍ରଥମ ଦିନିକିଆ)
ପର୍ଥରେ ଭାରତକୁ ୫ ୱିକେଟ୍‌ରେ ହରାଇଲା ଅଷ୍ଟ୍ରେଲିଆ

ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ବ୍ୟାଟ୍ ଯେତେବେଳେ କଥା କହେ, ଭାରତ କ୍ବଚିତ ପରାଜୟର ସମ୍ମୁଖୀନ ହୁଏ। ଏଭଳି ହାତଗଣତି ଘଟଣା ହିଁ ଘଟିଛି। ମଜାଦାର କଥା ହେଲା ଏଭଳି ଚାରିଟି ଯାକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି ଏବଂ ରୋହିତ କଙ୍ଗାରୁ ଦେଶରେ ହାସଲ କରିଥିବା ଚାରିଟି ଯାକ ଶତକରେ ଭାରତ ହାରିଛି। ଏମିତି ଏକ ଅପ୍ରତ୍ୟାଶିତ ମ୍ୟାଚ୍ ଭାରତର ୨୦୧୬ ଗସ୍ତରେ ଖେଳା ଯାଇଥିଲା। ୱାକା ପଡ଼ିଆର ଉଚ୍ଛାଳ ଓ ଗତିମାନ ପିଚ୍‌ରେ ରୋହିତ ଶର୍ମା ୧୭୧* ରନ୍‌ର ଷ୍ଟ୍ରୋକଭରା ପାଳି ଖେଳିଥିଲେ। ତା’ ସହ ବିରାଟ କୋହଲିଙ୍କ ୯୧ ରନ୍ ବଳରେ ଭାରତ ୩ ୱିକେଟ୍ ବିନିମୟରେ ୩୦୯ ରନ୍ କରିଥିଲା। ହେଲେ ଷ୍ଟିଭେନ ସ୍ମିଥ୍‌ଙ୍କ ୧୪୯ ରନ୍ ପାଳି ଆଗରେ ଏସବୁ ଫିକା ପଡ଼ି ଯାଇଥିଲା। କଟା ଘା’ରେ ଚୁନ ଭଳି ଜର୍ଜ ବେଲି ମଧ୍ୟ ୧୧୨ ରନ୍‌ର ପାଳି ଖେଳିଥିଲେ। ଫଳରେ ଅଷ୍ଟ୍ରେଲିଆ ୫ ୱି‌କେଟ୍‌ର ଅତୁଳନୀୟ ବିଜୟ ହାସଲ କରିଥିଲା। ଧୀରେଧୀରେ ପିଚ୍ ବ୍ୟାଟିଂ ଉପଯୋଗୀ ହୋଇ ଚାଲିବା ପରେ ସବୁ ଭାରତୀୟ ବୋଲର ନିର୍ଧୂମ ଛେଚା ଖାଇଥିଲେ। ଅଷ୍ଟ୍ରେଲିଆ ୪ ବଲ୍ ପୂର୍ବରୁ ଏହି ବଡ଼ ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା। ପୂରା ଶୃଙ୍ଖଳାରେ ଭାରତ କଡ଼ା ଟକ୍କର ଦେଇଥିଲା। ହେଲେ ସିଡ୍‌ନିର ପଞ୍ଚମ ତଥା‌ ଶେଷ ଦିନିକିଆକୁ ଜିତି ମୂଳପୋଛ ହେବାରୁ ବର୍ତ୍ତି ଯାଇଥିଲା। ସାନ୍ତ୍ବନାମୂଳକ ବିଜୟରେ ସୀମିତ ରହିଥିଲା।
ମାର୍ଚ ୨୬, ୨୦୧୫ (ବିଶ୍ବକପ୍‌ ସେମିଫାଇନାଲ୍)
ଭାରତକୁ ୯୫ ରନ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆର ଫାଇନାଲ୍ ପ୍ରବେଶ

ବିଶ୍ବକପ୍ ଲଢ଼େଇ କଥା ବିଚାରକୁ ନେଲେ ଭାରତ-ଅଷ୍ଟ୍ରେଲିଆ ମୁକାବିଲା ସବୁବେଳେ ଚର୍ଚ୍ଚାରେ ରହିଥାଏ। ବିଶ୍ବକପ୍‌ର ସଫଳତମ ଦଳ ଅଷ୍ଟ୍ରେଲିଆ କିନ୍ତୁ ବିଶ୍ବକପ୍‌ରେ ଅଧିକାଂଶ ସମୟ ଭାରତ ଉପରେ ଆଧିପତ୍ୟ ବିସ୍ତାର କରିଛି। ୨୦୧୫ ବିଶ୍ବକପ୍‌ ସେମିଫାଇନାଲ୍‌ରେ ମଧ୍ୟ ଏହି ଧାରା ଜାରି ରହିଥିଲା। ଶକ୍ତିଶାଳୀ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ଭାରତୀୟ ବୋଲରଙ୍କୁ ପୂରା ଘାଇଲା କରି ୩୨୮/୭ର ବିଶାଳ ସ୍କୋର କରି ନେଇଥିଲା। ସିଡ୍‌ନିରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଷ୍ଟିଭେନ୍ ସ୍ମିଥ୍ ୧୦୫ ରନ୍‌ର ପାଳି ଖେଳିଥିଲେ। ଆରୋନ ଫିଞ୍ଚ୍ (୮୧) ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥି‌ଲେ। ମଧ୍ୟକ୍ରମର ଆଉ କେତେକ ଉପଯୋଗୀ ଅବଦାନ ବଳରେ ଅଷ୍ଟ୍ରେଲିଆ ୩୦୦ ଟପିଥିଲା। ଭାରତ ଅବଶ୍ୟ ଭଲ ଆରମ୍ଭ କରିଥିଲା। ଏହା ପରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୯୫ ରନ୍‌ର ବୃହତ୍ ପରାଜୟ ବରଣ କରିଥିଲା। ଧୋନି ବ୍ୟକ୍ତିଗତ ଭାବେ କଡ଼ା ଟକ୍କର ଦେଇଥିଲେ। ହେଲେ ମ୍ୟାଚ୍ ଶେଷ କରିବା ଲାଗି ସାଥୀ ପାଇ ନଥି‌ଲେ। କୋହଲି ୧୩ ବଲ୍‌ରୁ ୧ ରନ୍‌ର ପାଳି ଖେଳି ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଅନ୍ୟତମ ପସନ୍ଦର ଦଳ ଭାବେ ଅଭିଯାନ ଆରମ୍ଭ କରିଥିବା ଭାରତ ପରାସ୍ତ ହୋଇ ବିଦାୟ ନେଇଥିଲା। ଅଷ୍ଟ୍ରେଲିଆ ଫାଇନାଲ୍ ଖେଳିବା ସହ ସେଠାରେ ବିଜୟୀ ହୋଇ ପୁଣି ଥରେ ବିଜେତା ମୁକୁଟ ପିନ୍ଧିଥିଲା।
ମାର୍ଚ ୪, ୨୦୦୮ (ସିବି ଶୃଙ୍ଖଳା ଦ୍ବିତୀୟ ଫାଇନାଲ୍)
ବ୍ରିସବନ୍‌ରେ ଭାରତର ୯ ରନ୍‌ର ରୋମାଞ୍ଚକର ବିଜୟ

ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଆଉ ଏକ ଅଭୁଲା ମୁକାବିଲା ଥିଲା ୨୦୦୮ର ସିବି ସିରିଜ୍ ଫାଇନାଲ୍ ବିଜୟ। ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାକୁ ନେଇ ଖେଳା ଯାଇଥିବା ଏହି ଶୃଙ୍ଖଳାରେ ତୁଳନାତ୍ମକ ଭାବେ ଯୁବ ଭାରତୀୟ ଦଳ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିଥିଲା। ବେଷ୍ଟ ଅଫ୍ ଥ୍ରି ଫାଇନାଲ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଭାରତ ଦିନିକିଆ କ୍ରିକେଟ୍‌ର ଅନ୍ୟତମ ଅସାଧାରଣ ଶୃଙ୍ଖଳା ବିଜୟ ହାସଲ କରିଥିଲା। ବ୍ରିସବନ୍‌ରେ ଖେଳା ଯାଇଥିବା ଦ୍ବିତୀୟ ଫାଇନାଲ୍‌କୁ ଆଜି ବି ଭାରତୀୟ କ୍ରିକେଟ୍‌ପ୍ରେମୀ ସେମାନଙ୍କ ଜୀବନର ସ୍ମରଣୀୟ ମୁହୂର୍ତ ଭାବେ ବିବେଚନା କରନ୍ତି। ପ୍ରଥମ ଫାଇନାଲ୍ ଜିତି ଭାରତ ୧-୦ରେ ଆଗୁଆ ରହି ଦ୍ବିତୀୟ ଫାଇନାଲ୍‌କୁ ଯାଇଥିଲା। ପ୍ରଥମ ଫାଇନାଲ୍‌ରେ ୧୧୭ ରନ୍‌ର ଅପରାଜିତ ପାଳି ଖେଳିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗାବା ଷ୍ଟାଡିୟମ୍‌ର ଦ୍ବିତୀୟ ଫାଇନାଲ୍‌ରେ ବି ୯୧ ରନ୍‌ର ପାଳି ଖେଳିଥିଲେ। ଫଳରେ ଭାରତ ୨୫୮/୯ର ସମ୍ମାନଜନକ ସ୍କୋର କରି ନେଇଥିଲା। ଏହା ପରେ ପ୍ରବୀଣ କୁମାରଙ୍କ ନେତୃତ୍ବରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଦେଇ ଅଷ୍ଟ୍ରେଲିଆକୁ ୨୪୯/୯ରେ ଅଟକାଇ ଦେଇଥିଲେ। ପ୍ରବୀଣ (୪/୪୬) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଇର୍ଫାନ ପଠାନ ଓ ଏସ୍ ଶ୍ରୀଶାନ୍ତ ମଧ୍ୟ ଦୁଇଟି ଲେଖାଏଁ ୱିକେଟ୍ କରାୟତ କରିଥିଲେ।
ମାର୍ଚ ୩, ୧୯୮୫ (ବେନସନ୍ ଆଣ୍ଡ ହେଜେସ୍ ବିଶ୍ବ ଚାମ୍ପିଅନସିପ୍)
ମେଲବର୍ନରେ ଭାରତର ୮ ୱିକେଟ୍ ବାଜିମାତ୍

ଦୀର୍ଘ ୩୫ ବର୍ଷ ତଳେ ଖେଳା ଯାଇଥିବା ବେନସନ୍ ଆଣ୍ଡ ହେଜେସ୍ ବିଶ୍ବ ଚାମ୍ପିଅନସିପ୍‌ର ମ୍ୟାଚ୍ ନମ୍ବର ୯ରେ ଭାରତ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଇତିହାସର ଅନ୍ୟତମ ଆଧିପତ୍ୟଭରା ବିଜୟ ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଓ ଶ୍ରୀଲଙ୍କା ଅଂଶଗ୍ରହଣ କରିଥିଲେ। ମ୍ୟାଚ୍ ନମ୍ବର ୯ରେ ସୁନିଲ ଗାଭାସ୍କରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ମେଲବର୍ନରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଚକିତ କରି ଦେଇଥିଲା। ଆଲାନ ବର୍ଡରଙ୍କ ଅଷ୍ଟ୍ରେଲିଆ କପିଳ ଦେବ ଓ ରୋଜର ବିନ୍ନିଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନପାରି ମାତ୍ର ୩୭ ରନ୍‌ରେ ଅଧାଦଳ ହରାଇଥିଲା। ଏହା ପରେ ମହିନ୍ଦର ଅମରନାଥ, ଲକ୍ଷ୍ମଣ ଶିବରାମକୃଷ୍ଣନ୍ ଓ ରବି ଶାସ୍ତ୍ରୀ ଅଷ୍ଟ୍ରେଲିଆକୁ ୧୬୩ ରନ୍‌ରେ ଅଲଆଉଟ୍ କରି ଦେଇଥିଲେ। ରବି ଶାସ୍ତ୍ରୀଙ୍କ ଦାୟିତ୍ବସଂପନ୍ନ ୫୧ ଏବଂ ଶ୍ରୀକାନ୍ତଙ୍କ ବିସ୍ଫୋରକ ତଥା ଅପରାଜିତ ୯୩ ରନ୍ ବଳରେ ଭାରତ ସହଜରେ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ପରେ ଭାରତ ମଧ୍ୟ ଟ୍ରଫି ଜିତିଥିଲା। ଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ସେହି ୮ ୱିକେଟ୍‌ରେ ହରାଇ ଦିନିକିଆ ଇତିହାସର ଅନ୍ୟତମ ସ୍ମରଣୀୟ ବିଜୟ ପାଇଥିଲା।

ସମ୍ବନ୍ଧିତ ଖବର