ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍‌ ଆଜି

କୁଇନ୍‌ସ ଟାଉନ୍‌ (ନ୍ୟୁଜିଲାଣ୍ଡ୍‌): ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ ବିଜେତା ପାଇଁ ଭାରତ ଓ ଅଷ୍ଟ୍ରେଲିଆ ଶନିବାର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୧୦୦ ରନ୍‌ରେ ପରାସ୍ତ କରିଥିବାରୁ ଫାଇନାଲ୍‌ରେ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଭାରତ। କ୍ୱାର୍ଟର ଫାଇନାଲ୍‌ରେ ଅର୍ଧଶତକ ପରେ ପାକିସ୍ତାନ ବିପକ୍ଷ ସେମିଫାଇନାଲ୍‌ରେ ଦମ୍‌ଦାର ଶତକ ଜମାଇଥିବା ଶୁଭମନ୍‌ ଗିଲ୍‌ଙ୍କ ବ୍ୟତୀତ ଅଧିନାୟକ ପୃଥ୍ଵୀ ସ, ତାଙ୍କ ପ୍ରାରମ୍ଭିକ ସାଥୀ ମନ୍‌ଜୋତ୍‌ କାଲ୍‌ରା ଓ ଅଭିଷେକ ଶର୍ମା ଭଲ ଫର୍ମରେ ଥିବାରୁ ବ୍ୟାଟ୍‌ସମ୍ୟାନ୍‌ଙ୍କ ମନୋବଳ ଉଚ୍ଚା ରହିଛି। ସେହିପରି ଦ୍ରୁତ ବୋଲର କମଲେଶ ନାଗରକୋଟି, ଶିବମ ମାଭୀ ଓ ଈଶାନ ପୋରେଲଙ୍କ ସାଙ୍ଗକୁ ସ୍ପିନର ଅନୁକୂଳ ରୟ ଚମତ୍କାର ଲୟରେ ଥିବା ଭାରତୀୟ ଦଳକୁ ବିଶ୍ୱକପ୍‌ ବିଜେତା ହେବାର ଦାବିଦାର କରିଛି। ଦଳଗତ ପ୍ରଦର୍ଶନ ବଳରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୧୦୦ ରନ୍‌, ପୁପୁଆ ନ୍ୟୁ ଗିନି ଓ ଜିମ୍ବାେଓ୍ଵକୁ ୧୦ ଓ୍ଵିକେଟ୍‌ ଲେଖାଏଁ ବ୍ୟବଧାନରେ ପରାସ୍ତ କରିବା ପରେ କ୍ୱାର୍ଟର ଫାଇନାଲ୍‌ରେ ବାଂଲାଦେଶକୁ ୧୩୧ ରନ୍‌ ଏବଂ ସେମିଫାଇନାଲ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୦୩ ରନ୍‌ରେ ପରାସ୍ତ କରି ଅପରାଜେୟ ସଫଳତା ବଳରେ ଫାଇନାଲ୍‌ ପ୍ରବେଶ କରିଛି। ଅନ୍ୟପକ୍ଷରେ ଭାରତର ଫାଇନାଲ୍‌ ପ୍ରତିଦ୍ୱନ୍ଦ୍ୱୀ ତଥା ତିନିଥର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଗ୍ରୁପ୍‌ ପର୍ଯ୍ୟାୟରେ ୧୦୦ ରନ୍‌ରେ ହାରିବା ପରେ ଜିମ୍ବାେଓ୍ଵକୁ ୭ ଓ୍ଵିକେଟ୍‌ ଓ ପପୁଆ ନ୍ୟୁ ଗିନିକୁ ୩୦୭ ରନ୍‌ରେ ପରାସ୍ତ କରିଥିଲା। ପରେ କ୍ୱାର୍ଟର ଫାଇନାଲ୍‌ରେ ଇଂଲଣ୍ଡକୁ ୩୧ ରନ୍‌ ଓ ସେମିଫାଇନାଲ୍‌ରେ ଆଫ୍‌ଗାନିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ମଧ୍ୟ ଫାଇନାଲ୍‌ରେ ଭାରତକୁ ପରାସ୍ତ କରି ଗ୍ରୁପ୍‌ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି।

ଏହି ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଶୋଚନୀୟ ଭାବେ ଭାରତଠୁ ହାରି ଯାଇଥିବା ଦୁଇ ଥର ବିଜେତା ପାକିସ୍ତାନ ଶେଷରେ ସମ୍ମାନ ରଖିଛି। ଗୁରୁବାର ତୃତୀୟ ସ୍ଥାନ ପାଇଁ ଖେଳାଯିବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ସଂପୂର୍ଣ୍ଣ ଧୋଇ ଯାଇଥିଲା। ଫଳରେ ଗ୍ରୁପ୍‌ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ସହ ଉନ୍ନତ ରନ୍‌ ହାରକୁ ବିଚାରକୁ ନିଆଯାଇ ପାକିସ୍ତାନକୁ ତୃତୀୟ ସ୍ଥାନ ମିଳିଛି। ଗ୍ରୁପ୍‌ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିବା ଆଫ୍‌ଗାନିସ୍ତାନ ଆଶ୍ଚର୍ଯ୍ୟଜନକ ଭାବେ ଆୟର୍ଲାଣ୍ଡ୍‌ ନିକଟରୁ ହାରିଯାଇଥିଲା। ଫଳରେ ପାକିସ୍ତାନ ଗ୍ରୁପ୍‌ ଶୀର୍ଷରେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା। ଆଉ ତାହାର ଫାଇଦା ବର୍ଷା ଧୋଇନେବା ମ୍ୟାଚ୍‌ରୁ ଉଠାଇଲା। ଫଳରେ ପ୍ରଥମ ଦଳ ଭାବେ ଲଗାତାର (୨୦୦୪ ଓ ୨୦୦୬) ବିଶ୍ୱକପ୍‌ ଜିତିବାର ଗୌରବ ବହନ କରିଥିବା ପାକିସ୍ତାନ ଏଥର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଲା। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଏହା ପୂର୍ବରୁ ପାକିସ୍ତାନର ସବୁଠୁ ଖରାପ ପ୍ରଦର୍ଶନ ୨୦୧୨ରେ ଥିଲା। ସେଥର ପାକିସ୍ତାନ ନୈରାଶ୍ୟଜନକ ଭାବେ ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଅନ୍ୟପକ୍ଷରେ ଚତୁର୍ଥ ସ୍ଥାନ ପାଇଥିବା ଆଫ୍‌ଗାନିସ୍ତାନ ବିଶ୍ୱକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଛି। ଏହା ପୂର୍ବରୁ ୨୦୧୦ରେ ୧୬ତମ, ୨୦୧୨ରେ ଦଶମ, ୨୦୧୪ରେ ସପ୍ତମ ଏବଂ ୨୦୧୬ରେ ନବମ ସ୍ଥାନ ପାଇଥିଲା।

ଚାନ୍ଦଙ୍କ ଶୁଭେଚ୍ଛା

ଭାରତ ଶେଷ ଥର ପାଇଁ ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ବିଜେତା ହୋଇଥିଲା। ଏବେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ ପୂର୍ବରୁ ଉନ୍ମୁକ୍ତ ଚାନ୍ଦ ବର୍ତମାନର ଅଧିନାୟକ ପୃଥ୍ଵୀ ସ’ ଏବଂ ସମ୍ପୂର୍ଣ୍ଣ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ ଚାନ୍ଦ କହିଛନ୍ତି ‘ଏହି ଯୁବ ଖେଳାଳିଙ୍କ ଅସଲ ଯାତ୍ରା ଶନିବାରର ଫାଇନାଲ୍‌ ପରଦିନଠାରୁ ଆରମ୍ଭ ହେବ’। ଏହି ଦଳରୁ ପୃଥ୍ଵୀ ସ’, ଶୁଭମନ୍‌ ଗିଲ୍‌, କମଲେଶ ନାଗରକୋଟି ପ୍ରମୁଖ ଠିକଣା ପଥରେ ରହିଛନ୍ତି ବୋଲି କହିଛନ୍ତି ୨୪ ବର୍ଷୀୟ  ଉନ୍ମୁକ୍ତ ଚାନ୍ଦ। ଶନିବାର ପରଠାରୁ ଏହି ଖେଳାଳିଙ୍କ ସୁନ୍ଦର ସମୟ ଶେଷ ହୋଇଯିବ ଏବଂ ଆହ୍ଵାନଭରା ଜୀବନ ଆସିଯିବ। ତେବେ ଶନିବାରର ଫାଇନାଲ୍‌ ମ୍ୟାଚ୍‌ ପାଇଁ ଭାରତ ନିଶ୍ଚିତ ଦୃଢ଼ ଦାବିଦାର ବୋଲି ସେ କହିଛନ୍ତି। ସବୁ ୧୯ ବର୍ଷରୁ କମ୍‌ ବିଜେତାଙ୍କ ଜୀବନ ବିରାଟ କୋହଲିଙ୍କ ଭଳି ହେବ ନାହିଁ। ଏପରିକି ଶିଖର ଧାଓ୍ଵନ କନିଷ୍ଠ ବିଶ୍ୱକପ୍‌ ଜିତିବାର ୯ ବର୍ଷ ପରେ ଟେଷ୍ଟ୍‍ ଖେଳିଥିଲେ। ଉନ୍ମୁକ୍ତ ଚାନ୍ଦ ନିଜେ ଏବେ ମଧ୍ୟ ଭାରତୀୟ ଦଳରେ ପ୍ରବେଶ କରି ପାରିନାହାନ୍ତି। ସବୁ ଖେଳାଳି ନିଶ୍ଚିତ ଭାରତୀୟ ଦଳରୁ ଖେଳିବାର ଆଶା ରଖିଥିବେ, କିନ୍ତୁ କିଛି ବରିଷ୍ଠ ଦଳରେ ସାମିଲ ହୋଇପାରିବେ। ଏହା ହିଁ ବାସ୍ତବତା ବୋଲି କହିଥିଲେ ଏହି ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌।

ସମ୍ବନ୍ଧିତ ଖବର