ଗୋଟିଏ ପୁଲ୍‌ରେ ଭାରତ, ଅଷ୍ଟ୍ରେଲିଆ

ଭୁବନେଶ୍ୱର: ନୂଆଦିଲ୍ଲୀରେ ୨୦୧୨ରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଷଷ୍ଠ ସ୍ଥାନରେ ରହିଥିବା ଭାରତୀୟ ହକି ଦଳ ରାଏପୁରରେ ଆୟୋଜିତ ବିଶ୍ୱ ହକି ଲିଗ୍‌ ଫାଇନାଲର ଦ୍ୱିତୀୟ ସଂସ୍କରଣରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା। ଦିଲ୍ଲୀରେ ଭାରତ ଇଂଲଣ୍ଡ, ଜର୍ମାନି ଓ ନ୍ୟୁଜିଲାଣ୍ଡ ସହ ପୁଲ୍‌-ଏ’ରେ ସ୍ଥାନ ପାଇଥିଲା। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ୨-୦ ଗୋଲ୍‌ରେ ହାରି ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା। ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡଠାରୁ ୩-୧ରେ ପରାଜିତ ହେବା ପରେ ଜର୍ମାନି ବିପକ୍ଷ ତୃତୀୟ ମୁକାବିଲାକୁ ୩-୩ରେ ଅମୀମାଂସିତ ରଖିଥିଲା। ତେବେ ୮ ଦଳୀୟ ପ୍ରତିଯୋଗିତା ହୋଇଥିବାରୁ କ୍ୱାର୍ଟର ଫାଇନାଲ ଖେଳିବାର ସୁଯୋଗ ପାଇଥିଲା। ଏଥିରେ ଅଷ୍ଟ୍ରେଲିଆଠାରୁ ୭-୨ରେ ଶୋଚନୀୟ ଭାବେ ପରାଜୟ ବରଣ କରି ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ପଞ୍ଚମରୁ ଅଷ୍ଟମ ସ୍ଥାନ ପାଇଁ ଖେଳା ଯାଇଥିବା ମ୍ୟାଚ୍‌ରେ ଜର୍ମାନିକୁ ୫-୪ରେ ହରାଇବା ପରେ ପଞ୍ଚମ-ଷଷ୍ଠ ପାଇଁ ଖେଳା ଯାଇଥିବା ମ୍ୟାଚ୍‌ରେ ବେଲଜିୟମଠାରୁ ୧-୨ରେ ହାରି ଯାଇଥିଲା। ଫଳରେ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ରାଏପୁରରେ ଭାରତ ପୁଲ୍‌-ବି’ରେ ଥିଲା। ଏହି ପୁଲ୍‌ରେ ନେଦରଲାଣ୍ଡ,ଆର୍ଜେଣ୍ଟିନା ଏବଂ ଜର୍ମାନି ରହିଥିଲେ। ଜର୍ମାନି ସହ ହୋଇଥିବା ପ୍ରଥମ ଲଢ଼େଇକୁ ୧-୧ରେ ଅମୀମାଂସିତ ରଖି ଭାରତ ତା’ର ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ କିନ୍ତୁ ନେଦରଲାଣ୍ଡଠାରୁ ୧-୩ରେ ହାରି ଯାଇଥିଲା। ତେବେ କ୍ୱାର୍ଟର ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ୨-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଲଢ଼ୁଆ ଖେଳ ଖେଳିବା ସତ୍ତ୍ୱେ ଦୁର୍ଭାଗ୍ୟଜନକ ଭାବେ ବେଲଜିୟମଠାରୁ ୦-୧ ଗୋଲ୍‌ରେ ହାରି ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା। ହେଲେ ତୃତୀୟ/ଚତୁର୍ଥ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ଶକ୍ତିଶାଳୀ ନେଦରଲାଣ୍ଡକୁ ପେନାଲ୍ଟି ସୁଟଆଉଟ୍‌ରେ ୩-୨ (୫-୫)ରେ ହରାଇ କାଂସ୍ୟ ପଦକ ଜିତି ନେଇଥିଲା। ଏଥର ଭୁବନେଶ୍ୱରରେ ଭାରତ ପୁଲ୍‌-ଏ’ରେ ରହି ଖେଳିବ। ଏହି ଗ୍ରୁପରେ ବିଶ୍ୱ ବିଜେତା ତଥା ଗତ ବିଶ୍ୱ ହକି ଲିଗ୍‌ର ବିଜେତା ଅଷ୍ଟ୍ରେଲିଆ ସହ ଇଂଲଣ୍ଡ ଏବଂ ଜର୍ମାନି ସ୍ଥାନ ପାଇଛନ୍ତି। ବିଶ୍ୱ ମାନ୍ୟତାରେ ଭାରତ ଷଷ୍ଠ ସ୍ଥାନରେ ଥିଲା ବେଳେ ଇଂଲଣ୍ଡ ସପ୍ତମ ଏବଂ ଜର୍ମାନି ପଞ୍ଚମ ସ୍ଥାନରେ ଅଛି। ଏଣୁ ତିନିଟି ଯାକ ଦଳର ମାନ୍ୟତାରେ ବିଶେଷ ଫରକ ନାହିଁ। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି। ଯାହା ଅନ୍ୟ ତିନିଟି ଯାକ ଦଳ ପାଇଁ ବିପଦ ସଂକେତ। ଇଂଲଣ୍ଡ ପ୍ରଥମ ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲା। ଅନ୍ୟ ପକ୍ଷରେ ଜର୍ମାନି ଗତ ଦୁଇଟି ଯାକ ଅଧ୍ୟାୟରେ ସପ୍ତମ ସ୍ଥାନରେ ଥିଲା।

ସମ୍ବନ୍ଧିତ ଖବର