ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ଆଜିଠୁ

ମୁମ୍ବାଇ: ବର୍ଡ଼ର-ଗାଭାସ୍କର ଟ୍ରଫି ଶୃଙ୍ଖଳା ପରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ଶୁକ୍ରବାରଠାରୁ ଦିନିକିଆ ଶୃଙ୍ଖଳାରେ ଅବତୀର୍ଣ୍ଣ ‌ହେବେ। ଏହି ୩ ମ୍ୟାଚ୍‌ ବିଶ୍ବକପ୍‌ ସୁପର୍‌ ଲିଗ୍ ଅନ୍ତର୍ଗତ ହୋଇନଥିଲେ ମଧ୍ୟ ଚଳିତ ବ‌ର୍ଷର ବିଶ୍ବକପ୍‌ ପୂର୍ବରୁ ଦୁଇ ଦଳ ନିଜ ଯୋଜନା, ସମନ୍ବୟ ଓ‌ କୌଶଳକୁ ଶାଣିତ କରିବାକୁ ସୁଯୋଗ ପାଇବେ। ଗତବର୍ଷ ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଇଂଲଣ୍ଡ ବିପକ୍ଷରେ ୩-୦ ଦିନିକିଆ ଶୃଙ୍ଖଳା ମୂଳପୋଛ କରିବା ପରଠାରୁ ଅଷ୍ଟ୍ରେଲିଆ ଆଉ ଏହି ଫର୍ମାଟ ଖେଳ ଖେଳିନାହିଁ। ଆରୋନ୍‌ ଫିଞ୍ଚ୍‌ଙ୍କ ଅବସର ପରେ କଙ୍ଗାରୁ ଦଳ ମଧ୍ୟ ନିଜକୁ ଲୟରେ ରଖିବା ଲାଗି ବିଶେଷ ପରୀକ୍ଷାର ଅବକାଶ ପାଇନାହିଁ। ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମାର୍ଦ୍ଧରେ ସଂଘର୍ଷ କରିବା ପରେ ଆହତ କାରଣରୁ ଦୂରେଇ ରହିଥିବା ଡେଭିଡ୍ ୱାର୍ଣ୍ଣର ଦଳକୁ ଫେରିଛନ୍ତି। ଫିଞ୍ଚ୍‌ଙ୍କ ବଦଳରେ ସୁଯୋଗ ପାଉଥିବା ଟ୍ରାଭିସ୍‌‌ ହେଡ୍‌ ଇଂଲଣ୍ଡ ବିପକ୍ଷରେ ପାଳି ଆରମ୍ଭ କରି ୬୯, ୧୯, ୧୫୨ ରନ୍ କରିଥିଲେ। ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ମଧ୍ୟ ନିଜ ଖ୍ୟାତିକୁ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ଗ୍ଲେନ୍ ମ୍ୟାକ୍ସୱେଲ୍‌ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍‌, ଝାଏ ରିଚାର୍ଡସନ୍‌ଙ୍କ ନାମ ଅନୁପସ୍ଥିତି ତାଲିକାରେ ରହିଛି। ଅଷ୍ଟ୍ରେଲିଆ ହେଉଛି ଏକମାତ୍ର ‌ଦଳ ଯିଏ ୨୦୧୬ ପରଠାରୁ ଭାରତକୁ ଦ୍ବିପାକ୍ଷିକ ଶୃଙ୍ଖଳାରେ ହରାଇଛି। ଟେଷ୍ଟ୍ ଶୃଙ୍ଖଳାରେ ଚମକ ଛାଡ଼ିଥିବା ୩ ଅଷ୍ଟ୍ରେଲୀୟ ସ୍ପିନର୍‌ ନାଥନ୍ ଲାୟନ, ଟଡ୍ ମର୍ଫି, ମାଥ୍ୟୁ କୁ‌ହ୍ନେମ୍ୟାନ୍‌ ସ୍ବଦେଶ ଫେରିଯାଇଥିବାରୁ ଭ୍ରମଣକାରୀ ଦଳର ସ୍ପିନ୍ ଆକ୍ରମଣ ଆଦାମ ଜାମ୍ପା ଓ ଆଷ୍ଟନ୍ ଅଗର ସମ୍ଭାଳିବେ।

ଭାରତୀୟ ଦଳ ପାଇଁ ଏବେ ମଧ୍ୟ ଅନେକ ଆହ୍ବାନ ରହିଛି। ଶ୍ରେୟସ ଆୟର୍ ସମ୍ପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ିଥିବା ବେଳେ ଅଧିନାୟକ ରୋହିତ ଶର୍ମା ଶୁକ୍ରବାରର ପ୍ରଥମ ମ୍ୟାଚ୍‌ ପାଇଁ ଉପଲବ୍‌ଧ ହେବେ ନାହିଁ। ହାର୍ଦିକ ପାଣ୍ଡ୍ୟା ଏହି ମ୍ୟାଚ୍‌ରେ ନେତୃତ୍ବ ନେବେ। ଯଶପ୍ରୀତ୍ ବୁମରାଙ୍କ ଅନୁପସ୍ଥିତି ଏବେ ମଧ୍ୟ ଦଳ ଅନୁଭବ କରିବ। ସମ୍ପୂର୍ଣ୍ଣ ଫିଟ୍‌ ହେବାକୁ ସେ ଅଧିକ ସମୟ ଲୋଡ଼ିଛନ୍ତି। ମହମ୍ମଦ ସାମିଙ୍କ ନେତୃତ୍ବାଧୀନ ପେସ୍ ଆକ୍ରମଣରେ ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମ୍ରାନ ମଲ୍ଲିକ ରହିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ସର୍ବାଧିକ ୩ ଜଣ ଖେଳି‌ବେ। ରବୀନ୍ଦ୍ର ଜାଦେଜାଙ୍କ ପ୍ରତ୍ୟାବର୍ତନ ଦଳର ସନ୍ତୁଳନ ବଢ଼ାଇଛି। ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ୍‌ ପ୍ରମୁଖ ଭାରତର ସ୍ପିନ୍ ବିକଳ୍ପକୁ ବ୍ୟାପକ ରଖିଛନ୍ତି।

ବ୍ୟାଟିଂ କ୍ରମରେ ନିକଟରେ ଦିନିକିଆରେ ଦ୍ବିଶତକ ଜମାଇଥିବା ଶୁବମନ ଗିଲ୍‌ ଓ ଈଶାନ କିଶନ ପରସ୍ପର ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ରୋହିତଙ୍କ ଅନୁପସ୍ଥିତିରେ ଉଭୟ ଖେଳିବା ସୁଯୋଗ ପାଇବେ। ଆୟର ବାଦ୍‌ ପଡ଼ିଥିବାରୁ ସୂର୍ଯ୍ୟକୁମାର ଯାଦବ କିମ୍ବା ରଜତ ପଟିଦାରଙ୍କ ମଧ୍ୟରୁ ଶୁକ୍ରବାର ନିଶ୍ଚିତ ଜଣେ ଖେଳିବେ। ଋଷଭ ପନ୍ତ୍‌ଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ ଦିନିକିଆ ପାଇଁ ପ୍ରଥମ ପସନ୍ଦର ୱିକେଟରକ୍ଷକ ହୋଇଛନ୍ତି। ୬ ବର୍ଷ ତଳେ ହାର୍ଦିକ ପାଣ୍ଡ୍ୟା ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘ମୁଁ ଚାହିଁଲେ ଆଦାମ ଜାମ୍ପାଙ୍କୁ ଯେ କୌଣସି ମୁହୂର୍ତରେ ଛକା ମାରିପାରିବି’। ଏହା ଭିତରେ ଜାମ୍ପା କିନ୍ତୁ ଧଳାବଲ୍‌ କ୍ରିକେଟ୍‌ର ଅନ୍ୟତମ ପ୍ରମୁଖ ବୋଲର ଭାବେ ଉଭା ହୋଇଛନ୍ତି। ୨୦୧୯ ଦିନିକିଆ ବିଶ୍ବକପ୍ ପରଠାରୁ ଜାମ୍ପା ୩୭ ମ୍ୟାଚ୍‌ରୁ ୬୨ ୱିକେଟ୍ ନେଇଛନ୍ତି। ଯାହରେ ଷ୍ଟ୍ରାଇକ୍ ରେଟ୍‌ ଏବଂ ଇକୋନୋମି ରେଟ୍‌ ୫ରୁ ତଳେ ରହିଛି। କୌଣସି ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରର ଖେଳାଳି ଏହି ସମୟରେ ଏତେ ୱିକେଟ୍ ନେଇନାହାନ୍ତି।
ଭାରତ ସମ୍ଭାବ୍ୟ ୧୧: ଶୁବମନ ଗିଲ୍‌, ଈଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ/ରଜତ ପଟିଦାର, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌/ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ସାମି/ଉମ୍ରାନ ମଲ୍ଲିକ।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୧: ଡେଭିଡ୍‌ ୱାର୍ଣ୍ଣର, ଟ୍ରାଭିସ୍ ହେଡ୍‌, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ନସ ଲବୁସାନ୍‌, ମିଚେଲ୍ ମାର୍ସ/ମାର୍କସ ଷ୍ଟୋଇନିସ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଆଲେକ୍ସ କ୍ୟାରି (‌ୱିକେଟରକ୍ଷକ), କାମେରନ୍ ଗ୍ରିନ୍‌, ମିଚେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା, ନାଥନ୍ ଏଲିସ୍‌।

ପିଚ୍‌: ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ ପିଚ୍‌ ସର୍ବଦା ଫ୍ଲାଟ୍‌ ରହୁଥିବାରୁ ଏହା ବ୍ୟାଟିଂ ଅନୁକୂଳ ହେବ। କାକର ଆସିଯିବା ପରେ ରନ୍ ବର୍ଷିଥାଏ। ୨୦୨୦ରେ ଅଷ୍ଟ୍ରେଲିଆ ୩୮ ଓଭର ଭିତରେ ୨୫୬ ରନ୍‌ କରି ୧୦ ୱିକେଟ୍‌ରେ ଜିତିଥିଲା।

ପରିସଂଖ୍ୟାନ: ଭାରତରେ ୱାର୍ଣ୍ଣର ୮ ଦିନିକିଆ ପାଳିରୁ ୩୯୧ ରନ୍ ସଂଗ୍ରହ କରିଛନ୍ତି ୫୫.୮୫ ହାରରେ ଏବଂ ୧୦୦ରୁ କମ୍‌ ଷ୍ଟ୍ରାଇକ୍ ରେଟ୍‌ରେ। ୨୦୧୯ ବିଶ୍ବକପ୍ ପରଠାରୁ ଅନ୍ୟୁନ ୨୦ ୱିକେଟ୍ ନେଇଥିବା ପୂର୍ଣ୍ଣ ସଦସ୍ୟ ରାଷ୍ଟ୍ର ଖେଳାଳିଙ୍କ ମଧ୍ୟରେ ମହମ୍ମଦ ସିରାଜ ୨୫.୩ ଷ୍ଟ୍ରାଇକ୍ ରେଟରେ ବୋଲିଂ କରି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଟ୍ରେଣ୍ଟ୍ ବୋଲ୍ଟ ଶୀର୍ଷରେ ଅଛନ୍ତି। ଖରାପ ଫର୍ମ ପାଇଁ କେଏଲ୍ ରାହୁଲ୍‌ ଟେଷ୍ଟ୍ ଏକାଦଶରୁ ବାଦ୍‌ ପଡ଼ିଥିଲେ ମଧ୍ୟ ୫ ନମ୍ବର ସ୍ଥାନରେ ଦିନିକିଆରେ ପ୍ରଶଂସନୀୟ ପରିସଂଖ୍ୟାନ ରଖିଛନ୍ତି। ୧୬ ପାଳିରୁ ୫୦.୬୧ ହାର ଓ ୧୦୨.୧୭ ‌ଷ୍ଟ୍ରାଇକ୍ ରେଟ୍‌ରେ ୬୫୮ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର