ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା, କୀର୍ତ୍ତିମାନ ଦ୍ବାରରେ କୋହଲି

ସବୁ ଫର୍ମାଟ୍‌ରେ ଭାରତ ଜିତିବା ସୁଯୋଗ ଅଛି: ଲକ୍ଷ୍ମଣ

ସିଡ୍‌ନି: ଏକ ପୂର୍ଣ୍ଣାଙ୍ଗ (ଦିନିକିଆ, ଟ୍ବେଣ୍ଟି-୨୦, ଟେ‌ଷ୍ଟ) ଶୃଙ୍ଖଳା ଖେଳିବା ଲାଗି ଭାରତୀୟ ଦଳ ସଂପ୍ରତି ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ନଭେମ୍ବର ୨୭ ତାରିଖରେ ସିଡ୍‌ନିରେ ପ୍ରଥମ ଦିନିକିଆ ଖେଳି ଭ୍ରମଣକାରୀ ଦଳ ଗସ୍ତ ଆରମ୍ଭ କରିବ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ଦିନିକିଆ ଶୃଙ୍ଖଳାରେ କିଛି ଭାରତୀୟ ଖେଳାଳି ନୂଆ ବ୍ୟକ୍ତିଗତ କୀର୍ତ୍ତିମାନ କରିବାର ସୁଯୋଗ ରହିଛି। ଏହି ସଂଖ୍ୟା ଗଣିତକୁ ନେଇ ଆମର ଉପସ୍ଥାପନା।

୧୩୩: ୧୩୩ ରନ୍‌ କରିପାରିଲେ ଭାରତୀୟ ଅଧିନାୟକ ବିରାଟ କୋହଲି (୨୩୯ ପାଳି,୧୧୮୬୭ ରନ୍‌) ୧୨୦୦୦ ରନ୍‌ କ୍ଲବ୍‌ରେ ସାମିଲ ହେବେ। ତିନିଟିଯାକ ମ୍ୟାଚ୍‌ରେ ଏହା କରିପାରିଲେ କୋହଲି ୧୨୦୦୦ ରନ୍‌ କ୍ଲବ୍‌ରେ ସାମିଲ ହେବାରେ ଦ୍ରୁତତମ ହେବେ। ଏହି କୀର୍ତ୍ତିମାନ ସଚିନ ତେନ୍ଦୁଲକର (୩୦୦)ଙ୍କ ନାମରେ ରହିଛି। ତାଙ୍କ ପଛକୁ ରିକି ପଣ୍ଟିଂ (୩୧୪), କୁମାର ସାଙ୍ଗାକାରା (୩୩୬), ସନଥ ଜୟସୂରିୟା (୩୭୯) ଓ ମାହେଲା ଜୟବର୍ଧନେ (୩୯୯) ରହିଛନ୍ତି।

୭୦: କୋହଲି (୭୦) ଆଉ ୨ ଶତକ ଅର୍ଜନ କଲେ ଅଷ୍ଟ୍ରେଲିଆର ପଣ୍ଟିଂ (୭୧)ଙ୍କୁ ଟପିଯାଇପାରି‌ବେ। ଏଥିସହ ସେ ତେନ୍ଦୁଲକର (୧୦୦ ଶତକ)ଙ୍କ ପଛକୁ ଦ୍ବିତୀୟରେ ପହଞ୍ଚିଯିବେ। କୋହଲିଙ୍କ ପଛକୁ ସକ୍ରିୟ ବ୍ୟଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଡେଭିଡ ୱାର୍ନର (୪୩) ରହିଛନ୍ତି।
୨୬୧: କେଏଲ୍‌ ରାହୁଲ (୩୧ ପାଳି, ୧୨୩୯ ରନ୍‌) ଯଦି ୩ ପାଳିରେ ୨୬୧ ରନ୍‌ କରିପାରନ୍ତି ତାହାଲେ ୧୫୦୦ ରନ୍‌ କରିବାରେ ସେ କୋହଲି (୩୮ ପାଳି)ଙ୍କଠାରୁ ଦ୍ରୁତତମ ହେବେ।
୯: ୧୦୦ ୱିକେଟ୍‌ଠୁ ୯ ଦୂରରେ ରହିଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ (୫୧ ପାଳି, ୯୧ ୱିକେଟ୍‌)। ଯଦି ୩ ଦିନିକିଆରେ ସେ ଏହି ସଫଳତା ହାସଲ କରିପାରନ୍ତି ତାହାଲେ ଭାରତୀୟ ଭାବେ ଦ୍ରୁତତମ ହେବେ।

୨୫୨: ଆଉ ୨୫୨ ରନ୍‌ କରିପାରିଲେ ଶ୍ରେୟସ ଆୟର (୧୬ ପାଳି, ୪୯.୮୬ ହାରାହାରି ଓ ୧୦୦.୮ ଷ୍ଟ୍ରାଇକ୍‌ରେଟ୍‌, ୭୪୮ ରନ୍‌) ୧୦୦୦ ରନ୍‌ କ୍ଲବ୍‌ରେ ସାମିଲ ହେବେ। ଏହି କ୍ଲବ୍‌ରେ ସାମିଲ ହେବାରେ ସେ ଦ୍ରୁତତମ ଭାରତୀୟ ଭାବେ କୋହଲି ଓ ଶିଖର ଧାୱନ (୨୪ ପାଳି)ଙ୍କ କୀର୍ତ୍ତିମାନ ଭାଙ୍ଗି‌ବେ। ଏହି କ୍ଲବ୍‌ରେ ପାକିସ୍ତାନର ଫକର ଜମନ (୧୮) ଦ୍ରୁତତମ ରହିଛନ୍ତି। ଇମାମ ଉଲ୍‌ ହକ୍‌ (୧୯) ଦ୍ବିତୀୟରେ ରହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ୨୫୨ ରନ୍‌ କଲେ ଆୟର ଇମାମଙ୍କ ସମକକ୍ଷ ହେବେ।

୨୦୪ ଓ ୧୩: ୨୦୪ ରନ୍‌ ଓ ୧୩ ୱିକେଟ୍‌ ନେଇପାରିଲେ ରବୀନ୍ଦ୍ର ଜାଦେଜା (୨୯୬ ରନ୍‌ ଓ ୧୮୭ ୱିକେଟ୍‌) ଏଲିଟ୍‌ ଅଲ୍‌ରାଉଣ୍ଡର କ୍ଲବ୍‌ରେ ସାମିଲ ହେବେ। ଏଠାରେ ଏହି ସଫଳତା ପାଇଲେ ଜାଦେଜା ଦ୍ବାଦଶତମ ଅଲ୍‌ରାଉଣ୍ଡର ଭାବେ ଯଥାକ୍ରମେ ୨୫୦୦ ରନ୍‌ ଏବଂ ୨୦୦ ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଯିବେ। ତାଙ୍କ ପୂର୍ବରୁ ଭାରତୀୟ ଭାବେ କେବଳ କପିଳ ଦେ‌ବ (୨୨୫ ଦିନିକିଆ, ୩୭୮୩ ରନ୍‌ ଓ ୨୫୩ ୱିକେଟ୍‌) ଏହି କ୍ଲବ୍‌ରେ ରହିଛନ୍ତି।

୩୧୨: ୬୦୦୦ ରନ୍‌ କ୍ଲବ୍‌ରେ ସାମିଲ ହେବାକୁ ଶିଖର ଧାୱନ୍‌ (୧୩୩ ପାଳି, ୫୬୮୮ ରନ୍‌)ଙ୍କୁ ଆଉ ୩୧୨ ରନ୍‌ ଆବଶ୍ୟକ। ଏହି ଶୃଙ୍ଖଳାରେ ଧାୱନ୍‌ ୩୧୨ ରନ୍‌ କରିପାରିଲେ କୋହଲି (ଦ୍ବିତୀୟ ଦ୍ରୁତତମ, ୧୩୬ ପାଳି)ଙ୍କ ସମକକ୍ଷ ହେବେ।

୯୦: ଅଷ୍ଟ୍ରେଲିଆ ବିପକ୍ଷରେ କୋହଲିଙ୍କ ପାଖରେ ୨୦୦୦ ରନ୍‌ ପୂରଣ କରିବାର ସୁଯୋଗ ରହିଛି। ଏହା କରିପାରିଲେ ସେ ତେନ୍ଦୁଲକର, ଡେସ୍‌ମଣ୍ଡ ହେନ୍ସ, ରୋହିତ ଶର୍ମା ଓ ଭିଭି ରିଚାର୍ଡ୍ସଙ୍କ କ୍ଲବ୍‌ରେ ସାମିଲ ହେବେ।

୧: କୋହଲି ଆଉ ଗୋଟିଏ ଶତକ ଅର୍ଜନ କଲେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା ତେନ୍ଦୁଲକରଙ୍କ ସମକକ୍ଷ ହେବେ। ତେନ୍ଦୁଲକର ୭୦ ପାଳିରେ ୯ ଶତକ ଅର୍ଜନ କରିଥିଲା ବେଳେ କୋହଲି ୩୮ ପାଳି ଖେଳି ୮ ଶତକ ହାସଲ କରିସାରିଛନ୍ତି।

ସବୁ ଫର୍ମାଟ୍‌ରେ ଭାରତ ଜିତିବା ସୁଯୋଗ ଅଛି: ଲକ୍ଷ୍ମଣ
ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳ ସମସ୍ତ ୩ ଫର୍ମାଟ (ଟି-୨୦, ଦିନିକିଆ, ଟେଷ୍ଟ୍‌)ରେ ବିଜୟୀ ହେବାର ସୁଯୋଗ ରଖିଛି ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍‌ ଭିଭିଏସ୍ ଲକ୍ଷ୍ମଣ। ବିରାଟ କୋହଲିଙ୍କ ବାହିନୀ ସମ୍ମୁଖରେ ଏଭଳି ସଫଳତା ଅର୍ଜନ ଲାଗି ଭଲ ସୁଯୋଗ ରହିଛି‌ ବୋଲି ଅଷ୍ଟ୍ରେଲିଆ ବିପକ୍ଷରେ ଭଲ ବ୍ୟାଟିଂ କରିଥିବା ଲକ୍ଷ୍ମଣ ଆଶା ପ୍ରକାଶ କରିଛନ୍ତି। ଜାନୁଆରିରେ ଖେଳାଯିବାକୁ ଥିବା ତୃତୀୟ ଓ ଚତୁର୍ଥ ଟେଷ୍ଟ୍ ବେଳକୁ ଦ୍ରୁତ‌‌ ବୋଲରମାନଙ୍କୁ ଫିଟ୍‌ ଓ ତାଜା ରହିବାର ଆବଶ୍ୟକ‌ ବୋଲି କହିଥିଲେ ଏହି ମହାନ ହାଇଦ୍ରାବାଦୀ ବ୍ୟାଟସମ୍ୟାନ୍‌। କଙ୍ଗାରୁ ଦଳ ବିପକ୍ଷରେ ଲକ୍ଷ୍ମଣ ୧୫ ଟେଷ୍ଟ ଖେଳି ୪୪.୧୪ ହାରରେ ୧,୨୩୬ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୪ ଲେଖାଏଁ ଶତକ ଓ ଅର୍ଧଶତକ ମଧ୍ୟ ରହିଛି। ସୂଚନାଯୋଗ୍ୟ, ଭାରତ ଶେଷ ଥର ପାଇଁ ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ଅପରାଜିତ ରହିଥିଲା। ୭୧ ବ‌ର୍ଷ ଏବଂ ଦ୍ବାଦଶ ପ୍ରୟାସରେ ପ୍ରଥମ ଥର ପାଇଁ ଟେଷ୍ଟ୍ ଶୃଙ୍ଖଳା (୨-୧) ଜିତି ଐତିହାସିକ ସଫଳତା ପାଇଥିଲା। ବିରାଟ କୋହଲିଙ୍କ ଦଳ ମଧ୍ୟ ଦିନିକିଆ ଶୃଙ୍ଖଳାକୁ ସେଥର ୨-୧ରେ ଜିତି ଟି-୨୦କୁ ୧-୧ରେ ଅମୀମାଂସିତ ରଖିଥିଲା। ଚଳିତ ଗସ୍ତରେ ପ୍ରଥମେ ଟେଷ୍ଟ୍‌ ଖେଳାନଯିବାକୁ ଲକ୍ଷ୍ମଣ ନାପସନ୍ଦ କରିଥିଲେ। କିନ୍ତୁ ଦଳ ଚୟନକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ବିରାଟ କୋହଲି ଟେଷ୍ଟ୍ ଶୃଙ୍ଖଳା ଅଧାରୁ‌ ଫେରି ଆସିବାର ଥିବାରୁ ଦଳୀୟ ମ୍ୟାନେଜମେଣ୍ଟ୍ ତାଙ୍କ ଠିକଣା ବିକଳ୍ପ ଚୟନ କରିବ ବୋଲି ଲକ୍ଷ୍ମଣର ଆଶା କରିଥିଲେ।

ସମ୍ବନ୍ଧିତ ଖବର