ପ୍ରଥମ ଟି-୨୦: ଟସ୍‌ ଜିଣି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଭାରତ ପ୍ରଥମେ କରୁଛି ବ୍ୟାଟିଂ

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ରବିବାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖାଳାର ପ୍ରଥମ ମୁକାବିଲାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଓ୍ଵାଇ ଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆର ଖେଳାଳି ମୁହାଁମୁହିଁ ହୋଇଛନ୍ତି। ମାତ୍ର ୪ ମାସ ମଧ୍ୟରେ ବିଶ୍ୱ କ୍ରିକେଟର ଏହି ଦୁଇ ଶକ୍ତିଶାଳୀ ଦେଶ ପରସ୍ପରକୁ ଦ୍ୱିତୀୟ ଥର ଭେଟାଭେଟି ହୋଇଛନ୍ତି। ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରୁଛି।

ତିନିସପ୍ତାହ ପରେ ଫେରିଲେ କୋହଲି 
ନ୍ୟୁଜିଲାଣ୍ଡ ଶୃଙ୍ଖଳା ଅଧାରୁ ବିଶ୍ରାମ ନେଇଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ତିନିସପ୍ତାହ ପରେ କ୍ରିକେଟ୍‌କୁ ଫେରିବା ଶୃଙ୍ଖଳାକୁ ଅଧିକ ରୋମାଞ୍ଚକର କରିଛି। ବିଶ୍ବକପ୍ ପାଇଁ ଭାରତୀୟ ଦଳରେ ସ୍ପିନ୍ ଯୋଡ଼ି କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇବ‌ା ଏକପ୍ରକାର ନିଶ୍ଚିତ ଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ କୁଲଦୀପଙ୍କୁ ବିଶ୍ରାମ ମିଳିଛି। ଚହଲ ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଭାରତର ପ୍ରମୁଖ ଅସ୍ତ୍ର।

ଭାରତ ୧୧, ଅଷ୍ଟ୍ରେଲିଆ ୬

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ୧୮ ଟ୍ବେଣ୍ଟି-୨୦ ମଧ୍ୟରୁ ଭାରତ ୧୧ରେ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ୬ ମ୍ୟାଚ୍‌ ଜିତିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି। ହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇ ଶୃଙ୍ଖଳାକୁ ଭାରତ ୧-୧ରେ ଅମୀମାଂସିତ ରଖିଛି। ୨୦୧୭ରେ ଘରେ ଏବଂ ୨୦୧୮ରେ ଅଷ୍ଟ୍ରେଲିଆରେ ଏହି ଦୁଇ ଶୃଙ୍ଖଳା ଖେଳାଯାଇଥିଲା। ଶେଷ ଥର ପାଇଁ ଭାରତ ୨୦୧୬ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ୩-୦ରେ ଧୂଳି ଚଟାଇଥିଲା। ହେଲେ ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୧-୨ରେ ହାରିଥିଲା।

ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଋଷବ ପନ୍ତ, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି, କ୍ରୁନାଲ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଯଶ୍‌ପ୍ରୀତ ବୁମରା, ଉମେଶ ଯାଦବ, ମୟଙ୍କ ମାର୍କଣ୍ଡ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ଡାର୍କି ସଟ୍, ପ୍ୟାଟ୍ କମିନ୍ସ, ଜାସନ ବେହେରନଡ୍ରଫ୍, ନାଥନ କୁଲଟର ନାଇଲ୍, ପିଟର ହ୍ୟାଣ୍ଡ୍ସକମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ୍, ଝେ ରିଚାର୍ଡସନ୍,  ମାର୍କସ ଷ୍ଟୋଇନିସ୍, ଆଷ୍ଟନ୍ ଟର୍ନର, ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର