ମ୍ୟାକ୍ସୱେଲଙ୍କ ଶତକ, ବେଙ୍ଗାଲୁରୁ ଟି-୨୦ ବିଜୟୀ ହୋଇ ଇତିହାସ ରଚିଲା ଅଷ୍ଟ୍ରେଲିଆ, ୨-୦ରେ ଜିତିଲା ଶୃଙ୍ଖଳା

ବେଙ୍ଗାଲୁରୁ: ଗ୍ଲେନ ମ୍ୟାକ୍ସୱେଲଙ୍କ ଅପରାଜିତ ଶତକ (୧୧୩ ରନ୍‌, ୫୫ ବଲ, ୭ ଚୌକା ଓ ୯ ଛକା) ବଳରେ ଅଷ୍ଟ୍ରେଲିଆ ବୁଧବାର ବେଙ୍ଗାଲୁରୁ ଟି-୨୦କୁ ୭ ଓ୍ଵିକେଟରେ ଜିତି ଇତିହାସ ରଚିଛି। ଭାରତ ମାଟିରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଶୃଙ୍ଖଳା ଜିତିଛି। ଅଷ୍ଟ୍ରେଲିଆ ୧୯୧ ରନ୍‌ ଟାର୍ଗେଟ ନେଇ ୧୯.୪ ଓଭରରେ ଲକ୍ଷ୍ୟ ପୂରା କରିଛି। ପେଟର ହ୍ୟାଣ୍ଡସ୍କମ (ଅପରାଜିତ ୨୦ ରନ) ମ୍ୟାକ୍ସୱେଲଙ୍କ ସହିତ ୯୯ ରନ୍‌ର ଭାଗିଦାରୀ ହୋଇଥିଲେ।

ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭଲ ବ୍ୟାଟିଂ କରି ନ ଥିଲା। ଫଳରେ ସ୍କୋର ୧୩ ରନ୍‌ରେ ମାର୍କସ ଷ୍ଟୋନିସ (୭ ରନ୍‌) ଓ ୨୨ ରନ୍‌ରେ ଅଧିନାୟକ ଆରୋନ ଫିଂଚ (୮ ରନ୍‌)ଙ୍କୁ ହରାଇଥିଲା। ତୃତୀୟ ଓ୍ଵିକେଟରେ ଅଷ୍ଟ୍ରେଲିଆ ୭୩ ରନ୍‌ ଯୋଡ଼ିବା ପରେ ଅଷ୍ଟ୍ରେଲିଆର ମନୋବଳ ବଢ଼ି ଯାଇଥିଲା। ଭାରତର ୩ୟ ଶିକାର ହୋଇଥିଲେ ସ୍କଟ। ଭାରତୀୟ ବୋଲର ବିଜୟ ଶଙ୍କର ୨ଟି ଓ୍ଵିକେଟ ଏବଂ ସିଦ୍ଧାର୍ଥ କାଉଲ ଗୋଟିଏ ଓ୍ଵିକେଟ ନେଇଥିଲେ।

ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୧୯୧ ରନ୍‌ ଟାର୍ଗେଟ ଦେଇଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ (୭୨ ରନ୍‌, ୩୮ ବଲ୍‌, ୨ ଚୌକା ଓ ୬ ଛକା) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୯୦ ରନ୍‌ କରିଥିଲା। ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଟିମ୍‌ ପାଇଁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୪୦ ରନ୍‌ ଓ ଦିନେଶ କାର୍ତ୍ତିକଙ୍କ ଅପରାଜିତ ୮ ରନ୍‌ ଯୋଡ଼ିଥିଲେ।

ଅଷ୍ଟ୍ରେଲିଆ ବିରୋଧରେ ଭାରତ ବୁଧବାର ୨ୟ ଟି-୨୦ରେ ଆରମ୍ଭରୁ ଧୀମା ଗତିରେ ଖେଳିଥିଲେ ହେଁ ପରବର୍ତ୍ତୀ ସମୟରେ ଗତି ବଢ଼ାଇଥିଲା। ଲୋକେଶ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ୨୬ ବଲରୁ ୪୭ ରନ୍‌ (୩ ଚୌକା ଓ ୪ ଛକା) ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଶିକାର ହୋଇଛନ୍ତି ରାହୁଲ। କଲଟର ନାଇଲଙ୍କ ବଲ ଲମ୍ବା ସର୍ଟ ଖେଳି ଜୟ ରିଚାର୍ଡସନଙ୍କୁ ବଲ ଦେଇ ରାହୁଲ ପାଭଲିଅନ୍‌ ଫେରିଛନ୍ତି। ସ୍କୋର ୭୦ ରନ୍‌ରେ ଟିମ୍‌ ଇଣ୍ଡିଆର ଅନ୍ୟତମ ଓପନର ଶିଖର ଧାଓ୍ଵନ ୨୪ଟି ବଲ ଖେଳି ୧୪ ରନ ଓ ଋଷଭ ପନ୍ତ ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରି ଫେରିଛନ୍ତି। ବିଶାଖାପାଟଣାରେ ଫେବ୍ରୁଆରି ୨୪ରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର