ଭୁବନେଶ୍ବର: ବିଶ୍ବକପ୍ ଜିତିବାକୁ ଆମେ ଭଲ ଭାବରେ ପ୍ରସ୍ତୁତ ହୋଇ ଆସିଛୁ ଏବଂ ଦଳ ଏ ଦିଗରେ ଦୃଢ଼ଭାବେ ଅଗ୍ରସର ହେଉଛି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ କଲିନ୍ ବାଚ୍। ଆମ ଆଗରେ ଏବେ ସେମିଫାଇନାଲ୍ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍। ଏହି ଦଳକୁ ଆମେ ଢେର ସମ୍ମାନ କରୁଛୁ। ଗତ ଥରର ବିଶ୍ବକପ୍ ଫାଇନାଲ୍ , ଚାମ୍ପିଅନ୍ସ ଟ୍ରଫି, ନେଦରଲାଣ୍ଡକୁ ଉଭୟ ଥର ହରାଇଛୁ। ଗତ ସଂସ୍କରଣର ୭ ଜଣ ଖେଳାଳି ମଧ୍ୟ ଦଳରେ ଥିବାରୁ ଆମ ପାଖରେ ଅଭିଜ୍ଞତାର ଅଭାବ ନାହିଁ। ଅନ୍ୟ ୩ ୟୁରୋପୀୟ ସେମିଫାଇନାଲ୍ ଦଳ ମଧ୍ୟରୁ ଇଂଲଣ୍ଡର ଅଗ୍ରଗତି ଉଲ୍ଲେଖନୀୟ ବୋଲି କହିଥିଲେ ବାଚ୍। ଭାରତ ବିପକ୍ଷରେ ନେଦରଲାଣ୍ଡ୍ ଚମତ୍କାର ପ୍ରତ୍ୟାବର୍ତନ କରି ଜିତିଛି ବୋଲି କହିଥିଲେ ୧୯୮୦ ବିଶ୍ବକପ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ବାଚ୍। ନୂଆ ଫର୍ମାଟର ଏହି ବିଶ୍ବକପ୍ କଷ୍ଟକର ଏବଂ ଆହ୍ବାନଭରା ବୋଲି ମଧ୍ୟ ସ୍ବୀକାର କରିଥିଲେ। ଭାରତରେ ଖେଳୁଥିବା ବେଳେ ପ୍ରଶଂସକଙ୍କଠାରୁ ସମର୍ଥନ ମିଳିବା ଆମକୁ ଉତ୍ସାହିତ କରିଥାଏ। ଭାରତ ଏବଂ ଅଷ୍ଟ୍ରେଲିଆ ଏବେ କ୍ରିକେଟ୍ ମଧ୍ୟ ଖେଳୁଛନ୍ତି। ଉଭୟ ପ୍ରତିଦ୍ବନ୍ଦ୍ବୀ ଥିଲେ ବି ଖେଳୁଆଡ ଦେଶ ଭାବେ ପରିଚିତ, ଆମେ ଭାରତକୁ ସମ୍ମାନ କରିଥାଉ ବୋଲି କହିଥିଲେ ବାକ୍। ଭାରତ ପାଇଁ ଗୁରୁବାରର କ୍ବାର୍ଟର ଫାଇନାଲ୍ କଷ୍ଟକର ଥିଲା, ଘରୋଇ ଦଳ ଜିତିଥିଲେ ଭଲ ହୋଇଥାନ୍ତା। ଆମେ ଏବେ ପରବର୍ତୀ ମ୍ୟାଚ୍ ପାଇଁ କଠିନ ପରିଶ୍ରମ କରିଛୁ। ସେମିଫାଇନାଲ୍ ସମ୍ଭାବନାକୁ ମୁଁ ୫୦:୫୦ ନଜରରେ ଦେଖୁଛି ବୋଲି କହିଥିଲେ ଅଷ୍ଟ୍ରେଲିଆର ୨୫ ବର୍ଷୀୟ ତାରକା ଖେଳାଳି ଡାନିଏଲ୍ ବିଲ୍। ଫରୱାର୍ଡ ପୋଜିସନ୍ରେ ଖେଳୁଥିବା ଡାନିଏଲ୍ ଦୁଇ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ଏବଂ ୨୦୧୪ରେ ଭୁବନେଶ୍ବରରେ ଚାମ୍ପିଅନ୍ସ ଟ୍ରଫି କାଂସ୍ୟ ପଦକ ଜିତିବାର ସ୍ମୃତି ରଖିଛନ୍ତି।
ପ୍ରଶଂସକଙ୍କ ପସନ୍ଦରେ ୪ ଭାରତୀୟ
ଚଳିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍ରେ କିଏ ପ୍ରଶଂସକଙ୍କ ପସନ୍ଦରେ ଶ୍ରେଷ୍ଠ ଖେଳାଳି ଏଥି ଲାଗି ଟ୍ବିଟର୍ ପୃଷ୍ଠାରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମୋଟ ୨୧ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୪ ଭାରତୀୟ ରହିଛନ୍ତି। ସେହି ୪ ଭାରତୀୟ ହେଲେ ବରୁଣ କୁମାର, ଲଳିତ ଉପାଧ୍ୟାୟ, ସିମ୍ରନ୍ଜିତ୍ ସିଂହ ଏବଂ ସୁରେନ୍ଦ୍ର କୁମାର। ବେଲ୍ଜିୟମର ଆର୍ଥର ଭାନ୍ ଡୋରେନ, ସାଇମନ୍ ଗଙ୍ଗନାର୍ଡ, ଇଂଲଣ୍ଡର ଲିଆମ୍ ଆନ୍ସେଲ, ଲିଆମ୍ ସାନଫୋର୍ଡ, ଆର୍ଜେଣ୍ଟିନାର ଅଗଷ୍ଟିନ୍ ମାଜିଲି, ଲୁକାସ ଭିଲା, ଜର୍ମାନିର ଫ୍ଲୋରିଆନ୍ ପୁଶ୍ଚ୍, କ୍ରିଷ୍ଟୋଫର ରୁର୍, ମ୍ୟାଟ୍ ଗ୍ରାମବଶ୍ଚ,ନେଦରଲାଣ୍ଡର୍ ଜୋରୋନ୍ ହର୍ଜବର୍ଜର, ସିଭ୍ ଭାନ ଆସ୍, ଫ୍ରାନ୍ସର ହୁଗୋ ଭାନ୍ଷ୍ଟେଟ୍, ଅଷ୍ଟ୍ରେଲିଆର ଟିମ୍ ବ୍ରାଣ୍ଡ, ମାଥ୍ୟୁ ସ୍ବାନ୍, ବ୍ଲାକ ଗୋଭର୍ସ ଏବଂ ଆରାନ୍ ଜାଲେସ୍କି ଏହି ୨୧ ଜଣିଆ ତାଲିକାରେ ସାମିଲ ଅଛନ୍ତି।
ଓଡ଼ିଶା ଘର ଭଳି ଲାଗେ: ମନପ୍ରୀତ୍
ଓଡ଼ିଶା ଆସିଲେ ନିଜ ପରିବାର ଏବଂ ଘର ଭଳି ଅନୁଭବ ମିଳିଥାଏ। ଏଠାରୁ ଯେଭଳି ଭଲ ପାଇବା ମିଳେ ଅନ୍ୟତ୍ର ମିଳିନଥାଏ। ଦୁର୍ଭାଗ୍ୟଜନକ ଭାବେ ଆମେ ବିଶ୍ବକପ୍ ସେମିଫାଇନାଲରେ ପହଞ୍ଚି ପାରିନଥିଲେ ବି ପ୍ରଶଂସକଙ୍କଠାରୁ ମିଳିଥିବା ସମର୍ଥନ ଅଭିଭୂତ କରିଛି। ଆମେ ଭୁବନେଶ୍ବରକୁ ନିଶ୍ଚିତ ସବୁବେଳେ ଖୁସୀରେ ଆସିବୁ ବୋଲି କହିଥିଲେ ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/1480998733251.jpg)