ଲଣ୍ଡନ : ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ବୁଧବାରଠୁ ଲଣ୍ଡନ୍ର ଦ ଓଭାଲ୍ ଗ୍ରାଉଣ୍ଡରେ ଆରମ୍ଭ ହେବ। ଏହି ଐତିହାସିକ ଓଭାଲ୍ ପଡ଼ିଆରେ ବର୍ତ୍ତମାନସୁଦ୍ଧା ୧୦୪ ମ୍ୟାଚ୍ ଖେଳାଯାଇଥିଲା ବେଳେ ୮୮ ମ୍ୟାଚ୍ରେ ଟସ୍ ଜିତୁଥିବା ଅଧିନାୟକ ବ୍ୟାଟିଂ କରିବାକୁ ପସନ୍ଦ କରିଛନ୍ତି। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩୮ ମ୍ୟାଚ୍ରେ ବିଜୟୀ ହୋଇଥିଲା ବେଳେ ପ୍ରଥମରୁ କ୍ଷେତ୍ରରକ୍ଷଣ କରୁଥିବା ଦଳ ୨୯ ମ୍ୟାଚ୍ ଜିତିଛି। ଗତ ୧୦ ବର୍ଷ ମଧ୍ୟରେ ୯ ମ୍ୟାଚ୍ରୁ ୫ଥର ଟସ୍ ଜିତୁଥିବା ଦଳ ପ୍ରଥମେ କ୍ଷେତ୍ରରକ୍ଷଣ କରିଆସିଛି। ସେଥିମଧ୍ୟରୁ ୨ ଥର ଜିତିଥିଲା ବେଳେ ୩ ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଛି।
ଗତ ୧୦ ବର୍ଷ ମଧ୍ୟରେ ଓଭାଲ୍ ପିଚ୍ରେ ଭଲ ରନ୍ ସଂଗ୍ରହ ହୋଇପାରୁଛି। ଇଂଲଣ୍ଡର ୭ ପଡ଼ିଆ ଲର୍ଡ୍ସ, ଓଲ୍ଡ ଟ୍ରାଫୋର୍ଡ, ହେଡିଙ୍ଗଲେ, ଟ୍ରେଣ୍ଟ ବ୍ରିଜ୍, ଏଜବାଷ୍ଟନ୍ ଓ ରୋଜ୍ ବାଉଲ୍ ଅପେକ୍ଷା ଓଭାଲ୍ରେ ଓଭର ପିଛା ତୃତୀୟ ସର୍ବାଧିକ ରନ୍ (୩.୩୯) ସଂଗ୍ରହ ହୋଇପାରିଛି। ବୋଲରମାନଙ୍କ ପାଇଁ ମଧ୍ୟ ଏଠାରେ ଅନେକ କିଛି ସହାୟତା ମିଳିପାରିବ। ପ୍ରତି ୫୪ ବଲ୍ ପରେ କିମ୍ବା ୩୦ ରନ୍ ସଂଗ୍ରହ ହେବା ପରେ ଗୋଟିଏ ୱିକେଟ୍ର ପତନ ହେଉଥିବା ରେକର୍ଡରୁ ଜଣାପଡ଼ିଛି। ପ୍ରଥମ ଦୁଇ ପାଳିରେ ୱିକେଟ୍ ହାସଲ ପାଇଁ ଦ୍ରୁତ ବୋଲରଙ୍କ ଉପରେ ଦଳମାନେ ଅଧିକ ନିର୍ଭର କରୁଥିଲା ବେଳେ ୨୭.୫୧ ହାର ରନ୍ ମଧ୍ୟରେ ପ୍ରତିପକ୍ଷଙ୍କୁ ରୋକିପାରୁଛନ୍ତି। ଯେଉଁଥିରେ ହାରାହାରି ଇକୋନୋମି ୩.୧୯ ଏବଂ ଷ୍ଟ୍ରାଇକ୍ରେଟ୍ ୫୧.୪୫ ରହୁଛି। ସ୍ପିନରମାନେ ପରବର୍ତ୍ତୀ ଦୁଇ ପାଳିରେ ରାଜୁତି କରୁଛନ୍ତି। ଶେଷ ଦୁଇ ପାଳିରେ ସ୍ପିନରମାନେ ପ୍ରତି ୫୦ ବଲ୍ରେ ୨୬.୫୭ ହାରରେ ଗୋଟିଏ ୱିକେଟ୍ ନେଉଛନ୍ତି। ଏହି ପଡ଼ିଆ ୧୦ ବର୍ଷ ମଧ୍ୟରେ ୭ ପଡ଼ିଆମାନଙ୍କ ମଧ୍ୟରୁ ସ୍ପିନରମାନଙ୍କୁ ଶ୍ରେଷ୍ଠ ଷ୍ଟ୍ରାଇକ୍ରେଟ୍ (୫୮.୮), ଦ୍ବିତୀୟ ଶ୍ରେଷ୍ଠ ହାରାହାରି (୩୨.୩୧) ଏବଂ ତୃତୀୟ ଶ୍ରେଷ୍ଠ ଇକୋନୋମି (୩.୨୯) ପ୍ରଦାନ କରୁଛି।
ଦ ଓଭାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ
ଭାରତ ଦ ଓଭାଲ୍ରେ ୧୪ ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ଦୁଇଟି ଜିତିଥିବା ବେଳେ ୩ ପରାଜୟ ଓ ୭ ମ୍ୟାଚ୍ ଅମୀମାଂସିତ ରଖିଛି। ଶେଷ ଥର ପାଇଁ ୨୦୨୧ରେ ଭାରତ ଏଠାରେ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଏଠାରେ ୩୪ ମ୍ୟାଚ୍ ଖେଳିଛି। ସେଥିମଧ୍ୟରୁ ୭ ବିଜୟ, ୧୭ ପରାଜୟ ଓ ୧୪ ମ୍ୟାଚ୍ ଅମୀମାଂସିତ ରଖିଛି। ଶେଷଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ଦ ଓଭାଲ୍ରେ ଖେଳିଥିଲା। କିନ୍ତୁ ଘରୋଇ ଦଳଠୁ ୧୩୭ ରନ୍ରେ କଙ୍ଗାରୁ ଦଳ ପରାଜିତ ହୋଇଥିଲା।