ଦୁବାଇ: ଟେଷ୍ଟ କ୍ରିକେଟ୍ର ନିୟମାବଳୀରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) କିଛି ପରିବର୍ତ୍ତନ କରିଛି। ଫିଲ୍ଡ ଅମ୍ପାୟାରଙ୍କ ଦ୍ବାରା ଟିଭି ଅମ୍ପାୟାରଙ୍କୁ ଦିଆଯାଉଥିବା ରେଫରାଲ୍ରୁ ସଫ୍ଟ ସିଗ୍ନାଲ୍କୁ ହଟାଇ ଦିଆଯାଇଛି। ଏହି ନିୟମ ଆସନ୍ତା ଜୁନ୍ ୧ ତାରିଖରୁ ଲାଗୁ କରାଯିବ। ଏହାଫଳରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଲର୍ଡ୍ସରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ରେ ଏହି ନିୟମ ପ୍ରଥମ ଥର ଲାଗୁ ହେବ। ଏପରିକି ଜୁନ୍ ୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେଉଥିବା ଡବ୍ଲୁଟିସି ଫାଇନାଲ୍ରେ ମଧ୍ୟ ସଫ୍ଟ ସିଗ୍ନାଲ୍ ନିୟମ ଲାଗୁ ହେବ। ଏହି ନିୟମରେ ପରିବର୍ତ୍ତନ କରାଯିବା ଫଳରେ ଫିଲ୍ଡ ଅମ୍ପାୟାରମାନେ କିଛି ବି ନିଷ୍ପତ୍ତି ନେବା ପୂର୍ବରୁ ତୃତୀୟ ଟିଭି ଅମ୍ପାୟାରଙ୍କ ସହିତ ଆଲୋଚନା କରିପାରିବେ।
ସେହିପରି ହେଲ୍ମେଟ ପିନ୍ଧିବା ନିୟମରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି। ବଡ଼ ଧରଣର ଆହତକୁ ଏଡ଼ାଇବା ପାଇଁ ଯେତେବେଳେ ଜଣେ ବ୍ୟାଟର ଦ୍ରୁତ ବୋଲରଙ୍କୁ ସାମ୍ନା କରିବ ସେତେବେଳେ ତାଙ୍କୁ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ ରହିବ। ସେହିପରି ଯତେବେଳେ ୱିକେଟରକ୍ଷକ ଷ୍ଟମ୍ପ୍ସ ପାଖରେ କ୍ଷେତ୍ରରକ୍ଷଣ କରିବେ ଏବଂ ବ୍ୟାଟରଙ୍କ ନିକଟରେ ପିଚ୍ ସମ୍ମୁଖରେ କ୍ଷେତ୍ରରକ୍ଷଣ କରୁଥିବା ଖେଳାଳିମାନଙ୍କ ପାଇଁ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦିନିକିଆ ଓ ଟ୍ବେଣ୍ଟି-୨୦ ପରି ଟେଷ୍ଟ କ୍ରିକେଟ୍ରେ ମଧ୍ୟ ଫ୍ରି ହିଟ୍ ଲାଗୁ କରାଯିବ। କୌଣସି ପ୍ରକାରର ନୋ ବଲ୍ ପଡ଼ିବା ପରେ ବ୍ୟାଟରଙ୍କୁ ତୁରନ୍ତ ଗୋଟିଏ ଫ୍ରି ହିଟ୍ ମିଳିବ। ଫ୍ରି ହିଟ୍ରେ ବଲ୍ ଷ୍ଟମ୍ପ୍ସରେ ବାଜିଲେ ମଧ୍ୟ ବ୍ୟାଟର ରନ୍ ନେଇପାରିବେ।