ଲଣ୍ଡନ୍: ପଞ୍ଚମ ଦିବସ ଖେଳ ଆରମ୍ଭ ପୂର୍ବରୁ ସମୀକରଣ ଥିଲା ୨୮୦ ରନ୍ ବନାମ ୭ ୱିକେଟ୍। ପ୍ରଥମ ଅଧଘଣ୍ଟା ଭାରତ କୌଣସି ଅସୁବିଧାରେ ପଡ଼ିନଥିଲା। ସ୍କଟ୍ ବୋଲାଣ୍ଡ୍ଙ୍କ ବୋଲିଂରେ ବିରାଟ କୋହଲିଙ୍କ ବ୍ୟାଟ୍ ଧାର ଦେଇ ବଲ୍ ପହଞ୍ଚିଥିଲା ଷ୍ଟିଭେନ୍ ସ୍ମିଥଙ୍କ ହାତରେ। କେବଳ କ୍ୟାଚ୍ ନୁହେଁ ଯେଭଳି ଏହା ଥିଲା ଆଇସିସି ବିଶ୍ବ ଟେଷ୍ଟ ଟ୍ରଫି। ସେହି ଓଭରରେ ଗୋଟିଏ ବଲ୍ ବ୍ୟବଧାନ ପରେ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାରିଙ୍କ ଗ୍ଲୋଭସରେ କ୍ୟାଚ୍ କରାଇ ଭାରତର ପରାଜୟକୁ ମଧ୍ୟ ନିଶ୍ଚିତ କରିଥିଲେ ବୋଲାଣ୍ଡ୍। ଅଜିଙ୍କ୍ୟ ରାହାଣେ ଏବଂ ଶ୍ରୀକର ଭରତ ୧୦ ଓଭର ଲଢ଼ିଥିଲେ ମଧ୍ୟ ଫଳାଫଳ ଦିଗରେ ଏହା ବିଶେଷ ପ୍ରଭାବ ପକାଇନଥିଲା। ମିଚେଲ ଷ୍ଟାର୍କଙ୍କ ବଲ୍ରେ ରାହାଣେ କଟ୍ ବିହାଇଣ୍ଡ୍ ହୋଇଯିବା ପରେ ଭାରତର ଶେଷ ଆଶା ମଉଳିଯାଇଥିଲା। ଏହା ପରେ ଭାରତର ପରାଜୟ ଏବଂ ଅଷ୍ଟ୍ରେଲିଆର ବିଜୟ କେବଳ ଏକ ଔପଚାରିକତା ହୋଇଯାଇଥିଲା। ଭାରତର ନିମ୍ନକ୍ରମଙ୍କୁ ପୋଛି ନେଇଥିଲେ ଅଭିଜ୍ଞ ସ୍ପିନର୍ ନାଥନ୍ ଲାୟନ୍। ସମ୍ପ୍ରସାରିତ ମଧ୍ୟାହ୍ନ ଭୋଜନ ପୂର୍ବରୁ ହିଁ ଭାରତର ପାଳି ୨୩୪ ରନ୍ରେ ଶେଷ ହୋଇଯାଇଥିଲା। ଭାରତ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଫାଇନାଲ୍ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ବିଶ୍ବ ଟେଷ୍ଟ ମୁକୁଟ ଜିତି ନେଇଛି। ଭାରତକୁ କିନ୍ତୁ ୧୦ ବର୍ଷ ଧରି ଆଇସିସି ଟ୍ରଫି ବିହୀନ ରହିବାକୁ ପଡ଼ିଛି।
ଅଷ୍ଟ୍ରେଲିଆକୁ ନବମ ଆଇସିସି ଟ୍ରଫି
ବିଗତ ୪ ଶୃଙ୍ଖଳାରେ ଘରେ ଓ ବାହାରେ ଭାରତକୁ ହରାଇପାରିନଥିବା ଅଷ୍ଟ୍ରେଲିଆ କିନ୍ତୁ ସେହି ଦେଶ ବିପକ୍ଷ ଫାଇନାଲ୍ ବେଳକୁ ମିଳିତ ଭାବେ ଲଢ଼ି ଟ୍ରଫି କବ୍ଜା କରି ନେଇଛି। ଏହି ୪ ଶୃଙ୍ଖଳା ମଧ୍ୟରେ ଅଷ୍ଟ୍ରେଲିଆରେ ଭାରତ ଦୁଇ ଥର ଶୃଙ୍ଖଳା ଜିତିବା ଥିଲା ସବୁଠାରୁ ଉଲ୍ଲେଖନୀୟ। ଏବେ ଗୋଟିଏ ବିଜୟରେ ଭାରତ ଉପରେ ସବୁ ପ୍ରତିଶୋଧ ନେଇଯାଇଛି ଅଷ୍ଟ୍ରେଲିଆ। ଏହି ବିଜୟ ଅଷ୍ଟ୍ରେଲିଆକୁ ସବୁ ଆଇସିସି ବିଶ୍ବ ଟ୍ରଫି ହାସଲରେ ଏକମାତ୍ର ସମ୍ପୂର୍ଣ୍ଣ ଦଳ କରିଛି। ୫ ଥର ଦିନିକିଆ (୧୯୮୭, ୧୯୯୯, ୨୦୦୩, ୨୦୦୭, ୨୦୧୫) ବିଶ୍ବକପ୍ ଜିତିଥିବା ଅଷ୍ଟ୍ରେଲିଆ ଦୁଇ ଥର ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୬, ୨୦୦୯) ହାସଲ କରିଥିଲା। ଏବେ ଲଗାତାର ଦୁଇ ବର୍ଷ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ (୨୦୨୧) ଏବଂ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (୨୦୨୩) ଜିତି ନେଇଛି କଙ୍ଗାରୁ ଦଳ। ଚଳିତ ଜୁନ୍ ମାସର ୧୬ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡରେ ଆସେସ୍ ଶୃଙ୍ଖଳା ବିଜୟ ପୂର୍ବରୁ ପ୍ୟାଟ୍ କମିନ୍ସଙ୍କ ଦଳକୁ ଏହା ମଧ୍ୟ ମନୋବଳ ଯୋଗାଇବ। କିନ୍ତୁ ୨୦୦୧ ମସିହା ପରଠାରୁ ଇଂଲଣ୍ଡରେ ଅଷ୍ଟ୍ରେଲିଆ ଆସେସ୍ ଅର୍ଜନ କରିବାକୁ ସଂଘର୍ଷ କରୁଥିବାରୁ କମିନ୍ସଙ୍କ ଦଳ କେତେ ସଫଳ ହେବ ସମୟ କହିବ।
ୱର୍ଣ୍ଣଙ୍କ ପଛରେ ଲାୟନ୍
ଟେଷ୍ଟ କ୍ରିକେଟ୍ରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ କଟ୍ ଆଣ୍ଡ୍ ବୋଲ୍ଡ ୱିକେଟ୍ ନେବାରେ ନାଥନ୍ ଲାୟନ ଏବେ ତାଙ୍କ ଦେଶର ବିଂବଗତ କିଂବଦନ୍ତି ସେନ୍ ୱର୍ଣ୍ଣଙ୍କ ନିକଟତର ହୋଇଛନ୍ତି। ସେନ୍ ୱର୍ଣ୍ଣ ନିଜ ବୋଲିଂ ବେଳେ ସର୍ବାଧିକ ୨୧ ଥର କଟ୍ ଆଣ୍ଡ୍ ବୋଲ୍ଡ ୱିକେଟ୍ ଅକ୍ତିଆର କରିଥିବାବେଳେ ନାଥନ୍ ଲାୟନଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ରବିବାର ଭାରତର ଦ୍ବିତୀୟ ପାଳିରେ ଶ୍ରୀକର ଭରତଙ୍କୁ ଏଭଳି ଆଉଟ୍ କରି ରିଚି ବେନ (୧୭)ଙ୍କୁ ପଛରେ ପକାଇ ଦେଇଥିଲେ। ହ୍ୟୁଗ୍ ଟ୍ରମ୍ବଲ (୧୫) ଚତୁର୍ଥ ସ୍ଥାନରେ ଅଛନ୍ତି। ଡବଲ୍ୟୁଟିସି ଫାଇନାଲ୍ରେ ମୋଟ ୫ ୱିକେଟ୍ ଅକ୍ତିଆର କରିଥିବା ନାଥନ୍ ଲାୟନ୍ ମଧ୍ୟ ଆଉ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ୍ ଛୁଇଁଛନ୍ତି। ଇଂଲଣ୍ଡରେ ଭ୍ରମଣକାରୀ ସ୍ପିନରଙ୍କ ମଧ୍ୟରେ ପଞ୍ଚମ ଅଷ୍ଟ୍ରେଲୀୟ ଭାବେ ୫୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ମାତ୍ର ୬ ଜଣ ସ୍ପିନର ଇଂଲଣ୍ଡରେ ଅନ୍ୟୁନ ୫୦ ୱିକେଟ୍ ନେଇଛନ୍ତି। ସେନ୍ ୱର୍ଣ୍ଣ (୧୨୯), କ୍ଲାରି ଗ୍ରିମେଟ୍ (୬୭), ହ୍ୟୁଗ୍ ଟ୍ରମ୍ବଲ୍ (୬୭), ଲାନ୍ସ ଗିବ୍ସ (୬୨), ବିଲ୍ ଓ’ରେଲି (୫୦) ଏବଂ ନାଥନ୍ ଲାୟନ (୫୦)ଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ୍ର ଗିବ୍ସ ଏକମାତ୍ର ଅଣ ଅଷ୍ଟ୍ରେଲୀୟ।
କ୍ୟାରିଙ୍କ କମାଲ୍
ଗୋଟିଏ ଟେଷ୍ଟରେ ୧୦୦ ରନ୍ ଏବଂ ୬ ଡିସମିସାଲ୍ (କ୍ୟାଚ୍ ଓ ଷ୍ଟମ୍ପିଂ) କରିବାରେ ଆଲେକ୍ସ କ୍ୟାରି ପଞ୍ଚମ ଅଷ୍ଟ୍ରେଲୀୟ ହୋଇଛନ୍ତି। ଆଦାମ ଗିଲକ୍ରିଷ୍ଟ୍ ୩ ଥର ଏବଂ ବ୍ରାଡ୍ ହାଡିନ୍ ୨ ଥର ଏଭଳି କରିଥିବା ବେଳେ ରଡ୍ ମାର୍ସ, ଇଆନ୍ ହିଲିଙ୍କ ପରେ ଆଲେକ୍ସ କ୍ୟାରି ସାମିଲ ହୋଇଛନ୍ତି।
ଭାରତର ଟସ୍ ରେକର୍ଡ
ଭାରତ ଦ ଓଭାଲ୍ ଟେଷ୍ଟରେ ଟସ୍ ଜିତି ଫିଲଡିଂ କରିଥିଲା। ତେବେ ଟସ୍ ଜିତି ବୋଲିଂ ପସନ୍ଦ କରିବା ପରେ ଭାରତ ସେତେଟା ସଫଳ ହୋଇନାହିଁ। ଅଦ୍ୟାବଧି ୫୮ ଟେଷ୍ଟରେ ଭାରତ ଏଭଳି କରିଛି କିନ୍ତୁ ମାତ୍ର ୯ଟି ଜିତିଛି। ୨୧ ହାରିଥିବା ବେଳେ ୨୮ଟି ଅମୀମାଂସିତ ରହିଛି।