ପୁଣି ବ୍ୟାଟିଂର କମାଲ ଦେଖାଇଲା ବିରାଟ ବାହିନୀ, ବଡ଼ ଟାର୍ଗେଟକୁ ବି ସହଜରେ ପୂରା କଲା

କଟକ: ବିରାଟ ବାହିନୀ ପୁଣି ଥରେ ନିଜର କମାଲ ଦେଖାଇ ବିଶ୍ୱର କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଛି। ଏକ ବଡ଼ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରି ଭାରତୀୟ ବ୍ୟାଟ୍‌ସମ୍ୟାନମାନେ ଏହାକୁ ୧୦ଟି ବଲ ବାକି ଥାଇ ପୂରା କରିଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତୃତୀୟ ତଥା ଅନ୍ତିମ ଦିନିକିଆକୁ ଜିତିବା ପରେ ଭାରତୀୟ ଟିମ୍‌  ପ୍ରମାଣିତ କରିପାରିଛି ଯେ ଟିମ୍‌-ଇଣ୍ଡିଆ ପାଇଁ କୌଣସି ବଡ଼ ଟାର୍ଗେଟ ଅସାଧ୍ୟ ନୁହେଁ।

ଆଜି ଭାରତର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍କୋରକୁ ଏକ ମଜବୁତ ସ୍ତରକୁ ନେଇଯାଇଥିଲେ। ତେବେ ମଧ୍ୟ କ୍ରମର ବ୍ୟାଟ୍‌ସମ୍ୟାନମାନଙ୍କ ନୈରାଶ୍ୟଜନକ ବ୍ୟାଟିଂ ଯୋଗୁଁ ଭାରତ ଏକ ସଂକଟ ପରିସ୍ଥିତି ଦେଇ ଗତି କରୁଥିଲା। ଦଳକୁ ୨୪ଟି ବଲରେ ୩୦ ରନ୍‌ ଦରକାର ଥିବା ବେଳେ ଷ୍ଟାଡିୟମରେ ଥିବା ଦର୍ଶକମାନେ ହତୋତ୍ସାହ ହୋଇଯାଇଥିଲେ। କିନ୍ତୁ ଏଭଳି ସଂକଟ ସମୟରେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା (ଅପରାଜିତ ୩୯ ରନ୍‌) ଓ ଶାର୍ଦ୍ଦୁଲ ଠାକୁର (ଅପରାଜିତ ୧୭ ରନ୍‌) ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟ ଦେଇଥିଲେ।

ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ କରିଥିଲା ଏବଂ ଭାରତକୁ ୩୧୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଏହି ଲକ୍ଷ୍ୟକୁ ସହଜରେ ପୂରଣ କରବା ଲକ୍ଷ୍ୟ ନେଇ ଭାରତ ପାଳି ଆରମ୍ଭ କରିଥିଲା। ଓପନର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମାଙ୍କୁ ବାରବାଟୀରେ ଆଜି ଉଗ୍ର ରୂପରେ ଦେଖିବାକୁ ମିଳିଥିଲା। ରୋହିତ ସାଥୀ ଖେଳାଳି ଲୋକେଶ ରାହୁଲଙ୍କ ସହ ୨୧.୨ ଓଭର ଯାଏଁ କ୍ରିଜରେ ଛିଡ଼ା ହୋଇ ଭାରତର ସ୍କୋରକୁ ମଜବୁତ ସ୍ତରକୁ ନେଇଯାଇଥିଲେ। ସେ (୬୩ ରନ୍‌, ୬୩ ବଲ, ୮ ଚୌକା, ୧ ଛକା) ଭାରତର ସ୍କୋର ୧୨୨ ରନ୍‌ ଥିବା ବେଳେ ଜେସନ୍‌ ହୋଲଡରଙ୍କ ବଲ ସାଇ ହୋପ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ।

Photo: Hindustan Times

ରୋହିତ ଆଉଟ୍‌ ହୋଇଯିବା ପରେ ତାଙ୍କ ସ୍ଥାନ ପୂରଣ କରିଥିଲେ ଅଧିନାୟକ ବିରାଟ କୋହଲି। ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ। ସେ ୪୭ତମ ଓଭରର ପ୍ରଥମ ବଲରେ ଆଉଟ୍‌ ହେବା ପୂବରୁ ୮୫ ରନ୍‌ କରିଥିଲେ। କୋହଲି ୮୧ଟି ବଲ ଖେଳି ୯ଟି ଚୌକା ସାମିଲ କରିଥିଲେ। ଏଥିଲାଗି କୋହଲିଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଛି।

ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଶିକାର ହୋଇଥିଲେ ଲୋକେଶ ରାହୁଲ (୭୭ରନ୍‌, ୮୯ ବଲ, ୮ ଚୌକା, ୧ ଛକା)। ସେ ଟିମ୍‌ର ସ୍କୋର ୧୬୭ ରନ୍‌ ଥିବା ବେଳେ ଆଉଟ୍‌ ହୋଇ ପାଭଲିଅନକୁ ଫେରିଆସିଥିଲେ। ରାହୁଲ ଆଉଟ୍‌ ହୋଇଯିବାର ଅଳ୍ପ ସମୟ ମଧ୍ୟରେ ମଧ୍ୟକ୍ରମର ବ୍ୟାଟ୍‌ସମ୍ୟାନ ଶ୍ରେୟସ ଆୟର ବ୍ୟକ୍ତିଗତ ଭାବେ ୭ରନ୍‌ କରି ଆଉଟ୍‌ ହୋଇଥିଲେ। ଭାରତର ୩ୟ ବିପର୍ଯ୍ୟୟ ଭାବେ ଆୟର ଆଉଟ୍‌ ହେବା ବେଳକୁ ସ୍କୋର ୧୮୮ ରନ୍‌ ଥିଲା। ଓ୍ଵିକେଟ୍‌କିପର ବ୍ୟାଟ୍‌ସମ୍ୟାନ ଋଷବ ପନ୍ତ ମଧ୍ୟ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ ୭ ରନ୍‌ କରି ପାଭଲିଅନ୍‌ ଫେରିଥିବା ବେଳେ କେଦାର ଯାଦବ ୯ ରନ୍‌ କରି ପାଭଲିଅନକୁ ଫେରିଥିଲେ।

ୱେଷ୍ଟଇଣ୍ଡିଜ୍‌ ତରଫରୁ କିମୋ ପଲ ୩ଟି ଓ୍ଵିକେଟ ନେଇଥିବା ବେଳେ ସେଲଡନ୍‌ କଟ୍ରେଲ, ଜାସନ ହୋଲଡର ଓ ଆଲଜରି ଯୋସେଫ ୧-୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର